ନୂଆଦିଲ୍ଲୀ: ବିଜୟ ହଜାରେ ଟ୍ରଫିରେ ବିଦର୍ଭ ପାଇଁ ଖେଳୁଥିବା ଭାରତୀୟ ବ୍ୟାଟର୍ କରୁଣ ନାୟାରଙ୍କ ଦମଦାର ପ୍ରଦର୍ଶନ। ୬ଟି ଇଂନିସ ଖେଳି ୫ ଶତକ। ୬୬୪ ଆଭରେଜ୍ରେ ବ୍ୟାଟିଂ। ୨୦୧୭ରୁ ଟିମ୍ ଇଣ୍ଡିଆରୁ ବାଦ ପଡ଼ିଥିବା କରୁଣ ନାୟାର ଏବେ ବିଜୟ ହଜାରେ ଟ୍ରଫିରେ ନିଜର ଜଲଓ୍ୱା ଦେଖାଉଛନ୍ତି। ନାୟାର ୬ଟି ଇନିଂସରେ ମାତ୍ର ଥରୁଟିଏ ଆଉଟ୍ ହୋଇଛନ୍ତି। ସେ ରାଜସ୍ଥାନ ବିପକ୍ଷରେ ଟୁର୍ଣ୍ଣାମେଣ୍ଟର ତାଙ୍କର ଶେଷ ଇନିଂସ ଖେଳିଥିଲେ, ଯେଉଁଥିରେ ସେ ୮୮ ବଲ୍ରେ ୧୩ ଚୌକା ଏବଂ ୫ ଛକା ସହାୟତାରେ ଅପରାଜିତ ୧୨୨ ରନ କରିଥିଲେ।
ନାୟାର ଏପର୍ଯ୍ୟନ୍ତ ବିଜୟ ହଜାରେ ଟ୍ରଫି 2024-25ରେ ଖେଳିଥିବା ସମସ୍ତ ୬ ଇନିଂସରେ ୧୧୨*, ୪୪*, ୧୬୩*, ୧୧୧*, ୧୧୨ ଏବଂ ୧୨୨* ସ୍କୋର କରିଛନ୍ତି। ସେ ୬ଟି ଇନିଂସରେ ୬୬୪ ଆଭରେଜ୍ରେ ମୋଟ ୬୬୪ ରନ୍ କରିଛନ୍ତି। ଏହି ସମୟ ମଧ୍ୟରେ ୫ଟି ଶତକ ହାସଲ କରିଛନ୍ତି। ଏହି ସମୟରେ, ନାୟାରଙ୍କ ବ୍ୟାଟରୁ ୮୦ଟି ଚୌକା ଏବଂ ୧୧ଟି ଛକା ରହିଛି। ପ୍ରକାଶଥାଉକି ସେ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ସ୍କୋର କରିଥିବା ବ୍ୟାଟର୍ ତାଲିକାରେ ଶୀର୍ଷରେ ଅଛନ୍ତି। କର୍ଣ୍ଣାଟକର ମୟଙ୍କ ଅଗ୍ରୱାଲ 619 ରନ ସହିତ ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି।
ପ୍ରକାଶଥାଉକି କରୁଣ ନାୟାର ଜୁନ୍ ୨୦୧୧ରେ ଭାରତ ପାଇଁ ଦିନିକିଆ ଖେଳି ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ସେହି ବର୍ଷ ନଭେମ୍ବରରେ, ନାୟାର ତାଙ୍କର ଟେଷ୍ଟ ଡେବ୍ୟୁ କରିଥିଲେ ଏବଂ ତୃତୀୟ ମ୍ୟାଚ୍ରେ ହିଁ ଏକ ତ୍ରିଶତକ ହାସଲ କରିଥିଲେ। ତା'ପରେ ପରବର୍ତ୍ତୀ ତିନୋଟି ଟେଷ୍ଟରେ ଭଲ ପ୍ରଦର୍ଶନ କରିପାରିନଥିଲେ। ତାଙ୍କୁ ବାଦ ଦିଆଯାଇଥିଲା। ଏହା ପରେ, ନାୟାର ଆଉ କେବେ ଟିମ୍ ଇଣ୍ଡିଆକୁ ଫେରିପାରିଲେ ନାହିଁ।
ନାୟାର ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ୬ଟି ଟେଷ୍ଟ ଏବଂ ୨ଟି ଦିନିକିଆ ଖେଳିଥିଲେ। ୭ଟି ଟେଷ୍ଟ ଇନିଂସରେ ସେ ୬୨.୩୩ ହାରରେ ୩୭୪ ରନ କରିଥିଲେ ଏବଂ ସର୍ବାଧିକ ସ୍କୋର ଅପରାଜିତ ୩୦୩ ରନ୍ ଥିଲା। ଏହା ବ୍ୟତୀତ ସେ ଦିନିକିଆ ୨ଟି ଇନିଂସରେ ମୋଟ ୪୬ ରନ କରିଥିଲେ।