ହିମାଚଳ ପ୍ରଦେଶ ରେଷ୍ଟୁରାଣ୍ଟ ନେମପ୍ଲେଟ୍ ମାମଲା: ବିକ୍ରମାଦିତ୍ୟ ସିଂହଙ୍କୁ ପାର୍ଟିର ବିଚାରଧାରା ବୁଝାଇ ଦେଲେ ବେଣୁ ଗୋପାଲ

Published By : Prameya-News7 Bureau | September 27, 2024 IST

ନୂଆଦିଲ୍ଲୀ ୨୭।୯: ହିମାଚଳ ପ୍ରଦେଶ ପୂର୍ତ୍ତମନ୍ତ୍ରୀ ବିକ୍ରିମାଦିତ୍ୟ ସିଂହ ଶୁକ୍ରବାର ଦିଲ୍ଲୀରେ କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ବେଣୁ ଗୋପାଲଙ୍କୁ ଭେଟିଛନ୍ତି। ଏହି ସାକ୍ଷାତ ଆଲୋଚନା କାଳରେ ସିଂହ ତାଙ୍କର ସେହି ବୟାନକୁ ନେଇ ପାର୍ଟିକୁ ସଫେଇ ଦେଇଛନ୍ତି ଯେଉଁଥିରେ ସେ ହିମାଚଳରେ ଷ୍ଟ୍ରିଟ୍ ଭେଣ୍ଡରଙ୍କୁ ସେମାନଙ୍କ ନାମଫଳକ ଲଗାଇବା ଅନିବାର୍ଯ୍ୟ ବୋଲି ଘୋଷଣା କରିଥିଲେ। ଏହି ସାକ୍ଷାତ ଆଲୋଚନା ପରେ ବେଣୁଗୋପାଲ କହିଛନ୍ତି ଯେ ତାଙ୍କୁ ଆମ ପାର୍ଟିର ବିଚାରଧାରା ସମ୍ପର୍କରେ ସୂଚେଇ ଦେଇଛୁ।

ବେଣୁ ଗୋପାଲ କହିଛନ୍ତି ଯେ ପାର୍ଟିର ବିଚାରଧାରା ଘୃଣା ବିରୋଧୀ ଏଣୁ ଏହି ବିଚାରଧାରାକୁ କାୟମ ରଖିବାର ଦାୟିତ୍ୱ ସମସ୍ତଙ୍କର।   କୌଣସି ମନ୍ତ୍ରୀ ଅଥବା ପାର୍ଟି ପଦାଧିକାରୀ ପାର୍ଟିର ନୀତି ଓ ବିଚାରଧାରା ବିରୋଧରେ ଯାଇ ପାରିବେନି। ସେ କହିଛନ୍ତି ଯେ କଂଗ୍ରେସ ଏକତାରେ ବିଶ୍ୱାସ ରଖେ। ପାର୍ଟି ନେତା ରାହୁଲ ଗାନ୍ଧି ଘୃଣା ବିରୋଧରେ ଲଗାତାର ସଂଘର୍ଷ ଚଳାଇଛନ୍ତି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପ୍ରେମ ଓ ସ୍ନେହର କଥା କହୁଛନ୍ତି। ଏଣୁ ଆମେ ଘୃଣା ସୃଷ୍ଟି କରିପାରିବା ନାହିଁ। 

ତେବେ ଏହି ସାକ୍ଷାତ ଆଲୋଚନା କାଳରେ ସିଂହ ତାଙ୍କ କଥାକୁ ଗଣମାଧ୍ୟମ ତ୍ରୁଟିପୂର୍ଣ୍ଣ ଉପସ୍ଥାପନା କରିଥିବା କହିଛନ୍ତି। ହେଲେ ତାଙ୍କ ଘୋଷଣାର ଉଦ୍ଦେଶ୍ୟ ଏପରି ନଥିଲା। ଏହି ସାକ୍ଷାତ ଆଲୋଚନାକୁ ନେଇ ବିକ୍ରମାଦିତ୍ୟ କହିଛନ୍ତି ଯେ ‘ବିବାଦକୁ ନେଇ ତାଙ୍କୁ ମୁଁ କହିଛି ଯେ ପ୍ରଦେଶରେ ଜନତାଙ୍କ ହୀତ ଆମର ସର୍ବୋପରି। ଏ ସମ୍ପର୍କରେ ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଲାଗୁ କରିବା ଆମର ପ୍ରଥମ କର୍ତ୍ତବ୍ୟ। ଏଥି ପାଇଁ କମିଟି ତିଆରି କରାଯାଇଛି, ଏହା ଲାଗି ସୁପାରିଶ ମଧ୍ୟ ଗ୍ରହଣ କରାଯିବ। ତେବେ ଏହା ସ୍ପଷ୍ଟ ଯେ ହିମାଚଳର ହିତକୁ ଆଗକୁ ନେଇ ଯିବା ଆମର ଦାୟିତ୍ୱ’।


ସେପଟେ ହିମାଚଳ କଂଗ୍ରେସ ସଭାପତି ପ୍ରତିଭା ସିଂହ କହିଛନ୍ତି ଯେ ନେମପ୍ଲେଟ ବିବାଦ ଲୋକଙ୍କ ହେପାଜତ ଲାଗି। ଲୋକେ ବାହାରୁ ହିମାଚଳ ଆସିଲେ ସେମାନଙ୍କୁ ଶୁଦ୍ଧ ଓ ସ୍ୱଚ୍ଛ ଭୋଜନ ମିଳିବ ଏଥି ଲାଗି ଏହି ନେମପ୍ଲେଟ୍ ଜରୁରି। ଏଣୁ ଏକ କମିଟି ଗଠନ କରାଯାଇଛି। କମିଟିରେ କଂଗ୍ରେସ ସହିତ ବିରୋଧୀ ଦଳର ବିଧାୟକମାନେ ବି ଅଛନ୍ତି। ଏ ନେଇ କମିଟି ଯେଉଁ ରିପୋର୍ଟ ଦେବେ ଏହା ଉପରେ ହାଇକମାଣ୍ଡଙ୍କ ସହମତିରେ ପଦକ୍ଷେପ ନିଆଯିବ। 


ଏହା ପୂର୍ବରୁ ବିକ୍ରମାଦିତ୍ୟ ସିଂହ ବୁଧବାର କହିଥିଲେ ଯେ ହିମାଚଳ ପ୍ରଦେଶର ଷ୍ଟ୍ରିଟ୍ ଭେଣ୍ଡର ବିଶେଷ କରି ଖାଦ୍ୟପଦାର୍ଥ ବିକୁଥିବା ଲୋକେ ନିଜ ଦୋକାନରେ ନିଜର ପରିଚୟ ପ୍ରଦର୍ଶିତ କରିବା ବାଧ୍ୟତା ମୂଳକ। ତେବେ ହିମାଚଳ ପ୍ରଦେଶ ସରକାର ଏପରି କୌଣସି ନିଷ୍ପତ୍ତି ନିଆ ଯାଇ ନଥିବାର ଗୁରୁବାର ସ୍ପଷ୍ଟିକରଣ ଦେଇଥିଲେ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.