ରିଜର୍ଭେସନକୁ ନେଇ ବାଂଲାଦେଶରେ ପୁଣି ହିଂସା, ହ୍ୱାଟସଆପ୍-ଇଂଷ୍ଟାଗ୍ରାମ ସମେତ ସବୁ ସୋସିଆଲ ମିଡିଆ ଆପ୍ ବ୍ୟାନ୍

Published By : Prameya-News7 Bureau | August 03, 2024 IST

ଢାକା : ବାଂଲାଦେଶରେ ଲୋକପ୍ରିୟ ସୋସିଆଲ ମିଡିଆ ଆପସ୍ ଇଂଷ୍ଟାଗ୍ରାମ, ଟିକଟକ୍, ଫେସବୁକ୍ ଓ ୟୁ ଟ୍ୟୁବ୍ ଉପରେ ଅସ୍ଥାୟୀ ବ୍ୟାନ ଲଗାଇ ଦିଆଯାଇଛି। ଏଭଳି ନିଷ୍ପତ୍ତି ସେହି ସମୟରେ ନିଆଯାଇଛି ଯେତେବେଳେ ସଂରକ୍ଷଣ (ରିଜର୍ଭେସନ) ପ୍ରସଙ୍ଗକୁ ନେଇ ଦେଶ ପୁଣି ଥରେ ଅଶାନ୍ତ ହୋଇଛି। ଏହି ସବୁ ସୋସିଆଲ ମିଡିଆ ଆପସ୍‌ ଉପରେ ଲଗାଯାଇଥିବା ବ୍ୟାନକୁ ନେଇ ବାଂଲାଦେଶ ସରକାରଙ୍କ ପକ୍ଷରୁ କୌଣସି ଅଧିକାରୀକ ବୟାନ ଜାରି ହୋଇନି। ତେବେ ‘ଟାଇମ୍ସ ଅଫ ଇଣ୍ଡିଆ’ ଓ ‘ଗ୍ଲୋବାଲ ଆଇଜ୍’ ସେମାନଙ୍କ ରିପୋର୍ଟରେ ସୋସିଆଲ ମିଡିଆ ବ୍ୟାନ ସୂଚନା ଦେଇଛନ୍ତି। 

ଗଣମାଧ୍ୟମ ରିପୋର୍ଟ ଅନୁସାରେ ବାଂଲାଦେଶରେ ସରକାର ଇଂଷ୍ଟାଗ୍ରାମ, ଟିକଟକ୍, ୟୁ ଟ୍ୟୁବ୍ ଓ ହ୍ୱାଟସଆପ୍ ସମେତ ସବୁ ଲୋକପ୍ରିୟ ମିଡଆ ଆପର ଉପଯୋଗ ଉପରେ ଅସ୍ଥାୟୀ କଟକଣା ଲଗାଇଛନ୍ତି। ଏହା ପୂର୍ବରୁ ଗ୍ଲୋବାଲ ଆଇଜ୍ ନ୍ୟୁଜ୍ ପକ୍ଷରୁ ତାଙ୍କ ଅଧିକାରୀକ ଏକ୍ସ ଆକାଉଣ୍ଟରେ ଏହି ବ୍ୟାନ ସମ୍ପର୍କରେ ସୂଚନା ଦିଆଯାଇଥିଲା। ଗ୍ଲୋବାଲ ଆଇଜ୍ ରିପୋର୍ଟରେ ଶୁକ୍ରବାରଠାରୁ ଦେଶରେ ସୋସିଆଲ ମିଡିଆ ସାଇଟ୍ ଉପରେ ନିଷିଦ୍ଧାଦେଶଜାରି ହୋଇଛି। ମଧ୍ୟାହ୍ନ ୧୨ଟା ପରଠାରୁ ମେଟା ପ୍ଲାଟଫର୍ମ ନେଟୱାର୍କକୁ ସୀମିତ କରିଦିଆଯାଇଥିବା ବେଳେ ଇଣ୍ଟରନେଟ୍ ସ୍ପିଡକୁ ଧିମେଇ ଦିଆଯାଇଛି। 

ବାଂଲାଦେଶରେ ପ୍ରଧାନମନ୍ତ୍ରୀ ଶେଖ ହସିନା ଓ ତାଙ୍କ ସରକାରଙ୍କ ବିରୋଧରେ ଶୁକ୍ରବାର ପୁଣି ଥରେ ପ୍ରଦର୍ଶନ ଆରମ୍ଭ ହୋଇଯାଇଛି। ଏହା ପୂର୍ବରୁ ଗତ ମାସରେ ମଧ୍ୟ ଦେଶରେ ବ୍ୟାପକ ପ୍ରଦର୍ଶନ ହୋଇଥିଲା। ଫଳରେ ପରିସ୍ଥିତ ନିୟନ୍ତ୍ରଣ ନିମନ୍ତେ ସାରା ଦେଶରେ କର୍ଫ୍ୟୁ ଜାରି ହୋଇଥିଲା। ଗତମାସରେ ମଧ୍ୟ ଇଂଷ୍ଟାଗ୍ରାମ, ଫେସବୁକ ଓ ହ୍ୱାଟସଆପ୍ ବ୍ୟାନ କରାଯିବା ସହିତ ଇଣ୍ଟରନେଟ୍ ଓ ସୋସିଆଲ ସାଇଟସ୍ ଉପରେ ରୋକ ଲଗାଇ ଦିଆଯାଇଥିଲା। 

ପରେ ସୁପ୍ରିମକୋର୍ଟ ରିଜର୍ଭେସନ କୋଟାକୁ ନେଇ ରାୟ ଦେବାରୁ ପରିସ୍ଥିତି ସ୍ୱଭାବିକ ହୋଇଥିଲା। ସୁପ୍ରିମକୋର୍ଟ ତାଙ୍କ ରାୟରେ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରକୁ ଛାଡି ସରକାରୀ ଚାକିରୀରେ ବାକି ସଂରକ୍ଷଣ ସମାପ୍ତ କରିଦେଇଥିଲେ। ଏଣୁ ଦେଶରେ ଜାରି ଉଗ୍ର ପ୍ରଦର୍ଶନ ଶାନ୍ତ ପଡିଥିବା ବେଳେ ଏବେ ପୁଣି ଥରେ ପ୍ରଦର୍ଶନ ଆରମ୍ଭ ହୋଇଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.