‘ଦୁନିଆର ନକ୍ସାରେ ଓଡ଼ିଶାକୁ ପ୍ରାଥମିକତା ଦେବାକୁ ଚାହୁଁଛି’, ବିଜେପିର କାର୍ଯ୍ୟଶୈଳୀରେ ଓଡ଼ିଶାବାସୀଙ୍କ ବିଶ୍ୱାସ ବଢିଛି: ପିଏମ୍ ମୋଦୀ

Published By : Prameya-News7 Bureau | November 29, 2024 IST

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ଦିନିଆ ଓଡିଶା ଗସ୍ତରେ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଭୁବନେଶ୍ୱର ପହଞ୍ଚିବା ପରେ ବିମାନ ବନ୍ଦର ନକଟରେ ଏକ ଜନସଭାକୁ ସମ୍ୱୋଧନ କରିଛନ୍ତି । ଜୟ ଜଗନ୍ନାଥ, ଜୟ ଜଗନ୍ନାଥରୁ ପିଏମ୍ ମୋଦୀ ନିଜ ଭାଷଣ ଆରମ୍ଭ କରିଛନ୍ତି । ପିଏମ୍ ମୋଦୀ ଏହି ଅବସରରେ କହିଛନ୍ତି, 'ପାଞ୍ଚ ଦିନ ପୂର୍ବେ ଦିଲ୍ଲୀରେ ଓଡ଼ିଶା ପର୍ବରେ ସାମିଲ ହେବାର ସୌଭାଗ୍ୟ ମିଳିଥିଲା । ଓଡ଼ିଶା ପର୍ବରେ ଓଡିଆ ଐତିହ୍ୟ ଏବଂ ସଂସ୍କୃତିର ଭବ୍ୟ ଦର୍ଶନ, ଓଡ଼ିଶାବାସୀଙ୍କ ଭଲପାଇବା ମୋ ପାଇଁ ସବୁବେଳେ ସ୍ମରଣୀୟ ମୁହୂର୍ତ୍ତ ହୋଇରହିବ ।'

ପିଏମ୍ ମୋଦୀ କହିଛନ୍ତି, 'ବିମାନ ବନ୍ଦର ନିକଟରେ ଲୋକଙ୍କ ଏହି ବିଶାଳ ସମାଗମ, ଆପଣଙ୍କ ଭଲପାଇବା ପାଇଁ ମୁଁ କୃତଜ୍ଞ । ଆଜି ଆପଣମାନଙ୍କ ମଧ୍ୟରେ ଏକ ଚମକ ଦେଖିୁଛି, ମହାରାଷ୍ଟ୍ର, ହରିୟାଣା ଏବଂ ଉପନିର୍ବାଚନ ଫଳାଫଳ ସାରା ଦେଶରେ କିପରି ବିଶ୍ୱାସ ଭରିଛି ତାହା ଆପଣମାନଙ୍କ ଆଖିରେ ଦେଖୁଛି । ଓଡ଼ିଶା ଆରମ୍ଭ କରିବା ପରେ ମହାରାଷ୍ଟ୍ର ଏବଂ ହରିୟାଣା ବି ତାହା କରି ଦେଖାଇଲା । ବିରୋଧୀ ଦଳଗୁଡ଼ିକ ବିଜେପି ବିରୋଧରେ ଅପପ୍ରଚାର କରୁଛନ୍ତି । କିନ୍ତୁ ଜନତା ବିଜେପି ସରକାରଙ୍କ କାମକୁ ଦେଖି ଆଶୀର୍ବାଦ ଦେବା ପାଇଁ ଆଗକୁ ଆସନ୍ତି ।'

ପିଏମ୍ ମୋଦୀ କହିଛନ୍ତି, 'ନିର୍ବାଚନ ପୂର୍ବରୁ ବଡ଼ ବଡ଼ ରାଜନୀତି ପଣ୍ଡିତ ଓଡ଼ିଶାରେ ବିଜେପି ଆସିବ ବୋଲି ମନା କରୁଥିଲେ । ବିଜେପି ଏକାକୀ ନିଜ ବଳରେ ସରକାର ଗଢିବା ସମ୍ଭବ ନୁହେଁ ବୋଲି କହୁଥିଲେ । କିନ୍ତୁ ନିର୍ବାଚନ ପରିଣାମ ଆସିବା ପରେ ସେମାନେ ଚକିତ ହୋଇଥିଲେ। ଓଡ଼ିଶାବାସୀ କେନ୍ଦ୍ରର ବିଜେପି ସରକାରର ୧୦ ବର୍ଷର କାମକୁ ଦେଖିଥିଲେ । କେନ୍ଦ୍ର ସରକାରଙ୍କ କାମ ଓଡ଼ିଶାର ସବୁ ଘରେ ପହଞ୍ଚିଥିଲା । ରାଜ୍ୟରେ ଆମ ସରକାର ନଥିବା ସତ୍ତ୍ୱେ ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର ସରକାର ସବୁଠୁ ଅଧିକ ଯୋଗଦାନ କରୁଥିଲେ । ଓଡ଼ିଶାକୁ ମିଳୁଥିବା ବଜେଟ୍‌କୁ ତିନି ଗୁଣା କରାଗଲା । ବିଜେପିର କାର୍ଯ୍ୟଶୈଳୀରେ ଓଡ଼ିଶାବାସୀଙ୍କ ବିଶ୍ୱାସ ବଢିଛି ।'

ପିଏମ୍ ମୋଦୀ କହିଛନ୍ତି, 'ଓଡ଼ିଶାରେ ହିନ୍ଦୀ ଭାଷାରେ ମୋ କଥା କେମିତି ପହଞ୍ଚାଇବି ବୋଲି ଭାବୁଥିଲି, କିନ୍ତୁ ଓଡ଼ିଶାରେ ଭାଷା କେବେ ବି ବାଧକ ହୋଇନି ।' ପିଏମ୍ ମୋଦୀ କହିଛନ୍ତି, 'ସିଏମ୍-ପିଏମ୍ ଭାବେ କାର୍ଯ୍ୟ କରିବା ବେଳେ ରାଜନୀତିର ଅନେକ ରଙ୍ଗ ଦେଖିଛି । ରାଜନୀତିରେ ନୀତିରେ ବିରୋଧ ଏକ ସ୍ୱାଭାବିକ ବୋଲି ମୁଁ ବିଶ୍ୱାସ କରେ । କୌଣସି ନିଷ୍ପତ୍ତିକୁ ନେଇ ଭିନ୍ନ ମତ ହୋଇପାରେ । ରାଜନୈତିକ ଦଳ ଜନତାଙ୍କ ପାଖରେ ନିଜ କଥା ପହଞ୍ଚାଇଥାନ୍ତି । ଏଥିପାଇଁ ଅନେକ ମାର୍ଗ ଆପଣାଇଥାନ୍ତି । କିନ୍ତୁ ଗତ କିଛି ମାସରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳୁଛି । ଭାରତର ସମ୍ୱିଧାନର ଭାଗନାକୁ ଦଳିଚକଟି ଦିଆଯାଉଛି, ଗଣତନ୍ତ୍ରର ସବୁ ମର୍ଯ୍ୟାଦାକୁ ଅସ୍ୱୀକାର କରାଯାଉଛି । ଯେଉଁମାନେ କ୍ଷମତାକୁ ନିଜର ଜନ୍ମସିଦ୍ଧ ଅଧିକାର ଭାବୁଛନ୍ତି, ସେମାନେ ୧୦ ବର୍ଷ ହେଲା କେନ୍ଦ୍ରର କ୍ଷମତା ହରାଇ ବସିଛନ୍ତି । ଦେଶର ଜନତା ଅନ୍ୟ କାହାକୁ ଆଶୀର୍ବାଦ ଦେଲେ ସହିପାରୁ ନାହାନ୍ତି । ସେଥିପାଇଁ ଜନତାଙ୍କ ଉପରେ ରାଗ ସୁଝାଇବାରେ ଲାଗିଛନ୍ତି । ଲୋକଙ୍କୁ ଭ୍ରମିତ କରିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି । ତେଣୁ ଦେଶବାସୀ ପ୍ରତି ମୁହୂର୍ତ୍ତରେ ସତର୍କ ରହିବା ଦରକାର । ସବୁ ମିଛ ଉପରୁ ପରଦା ଉଠାଇବାର ଅଛି । କ୍ଷମତା ପାଇଁ ଭୋକିଲା ଥିବା ଲୋକମାନେ ଜନତାଙ୍କୁ କେବଳ ମିଛ କହୁଛନ୍ତି । ଗୋଟିଏ ମିଛ କାମ ନକଲେ ଆଉ ଗୋଟିଏ ବଡ଼ ମିଛ କହୁନ୍ତି । ସେମାନଙ୍କ ଉଦ୍ଦେଶ୍ୟ କେବଳ କ୍ଷମତା ହାସଲ କରିବା।' 

ପିଏମ୍ ମୋଦୀ କହିଛନ୍ତି, 'ଆଜିର କେନ୍ଦ୍ର ସରକାର ଓଡ଼ିଶାର ଗୌରବକୁ ପ୍ରାଥମିକତା ଦେଉଛନ୍ତି । ଚଳିତ ମାସରେ ବାଲିଯାତ୍ରାର ସଫଳ ଆୟୋଜନ ହୋଇଛି । ଡିଜିପି କନଫରେନ୍ସ ଆୟୋଜନ ପାଇଁ ମୁଁ ଏଠାକୁ ଆସିଛି । ଆମ ଦେଶରେ ଶହେ ବର୍ଷରୁ ଅଧିକ ଧରି ଡିଜିପି କନଫରେନ୍ସ ହେଇଆସୁଛି, କିନ୍ତୁ ପ୍ରଥମ ଥର ପାଇଁ ଓଡ଼ିଶାରେ ଆୟୋଜନ ହେଉଛି । ଚାରି ଦିନ ପରେ ଓଡ଼ିଶାର ପୁରୀରେ ନୌସେନା ଦିବସ ପାଳନ କରାଯିବ । ପୁରୀରେ ନୌସେନା ନିଜ ସାମର୍ଥ୍ୟ ଦେଖାଇବ । ଯେଉଁଥି ପାଇଁ ଓଡ଼ିଶା ସାରା ବିଶ୍ୱର କେନ୍ଦ୍ରରେ ରହିବ । ଏହାପରେ ଜାନୁଆରୀ ୮ରୁ ୧୦ ଯାଏ ପ୍ରବାସୀ ଭାରତୀୟ ଦିବସ ଆୟୋଜନ କରାଯିବ । ସାରା ଦୁନିଆର ଲୋକ ଭୁବନେଶ୍ୱର ଆସିବେ । ଏଠାରୁ ଯେଉଁ ସ୍ମୃତି ନେଇ ଯିବେ, ତାହା ସାରା ଦୁନିଆରେ ପହଞ୍ଚାଇବେ । ଓଡ଼ିଶାକୁ କେବଳ ଦେଶ ନୁହେଁ ଦୁନିଆର ନକ୍ସାରେ ପ୍ରାଥମିକତା ଦେବାକୁ ଚାହୁଁଛି । ଏହିସବୁ ଆୟୋଜନ ଓଡ଼ିଶାକୁ ମିଳୁଥିବା ପ୍ରାଥମିକତାକୁ ଦର୍ଶାଉଛି । ଜନ ଭାଗିଦାରୀରେ ପ୍ରବାସୀ ଭାରତୀୟ ଦିବସକୁ ସଫଳ କରିବା । ଉତ୍କର୍ଷ ଓଡ଼ିଶା ଜରିଆରେ ବିକଶିତ ଓଡ଼ିଶା ଗଠନ ପାଇଁ ପ୍ରୟାସ କରାଯାଉଛି ।'

ଏହି ଜନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି, 'ଆଜି ଓଡ଼ିଶା ପାଇଁ ଏକ ଐତିହାସିକ ଦିନ । ନୂଆ ସରକାର ଗଠନ ପରଠୁ ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କ ତୃତୀୟ ଗସ୍ତ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ଦେଶ ଆଜି ସୁଦୃଢ ହୋଇଛି । ବିଶ୍ୱର ଶକ୍ତିଶାଳୀ ଦେଶମାନଙ୍କ ମଧ୍ୟରେ ଭାରତ ଆଜି ପରିଗଣିତ ହୋଇଛି । ବାହ୍ୟ ଏବଂ ଆଭ୍ୟନ୍ତରୀଣରେ ସୁରକ୍ଷାରେ ଦେଶ ଆଜି ପୂର୍ବ ଅପେକ୍ଷା ଅଧିକ ସୁରକ୍ଷିତ । ଓଡ଼ିଶାରେ ପ୍ରଥମ ଥର ପାଇଁ ଡିଜିପି-ଆଇଜିପି ସମ୍ମିଳନୀ ଆୟୋଜନ ହେଉଥିବାରୁ ମୁଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କୃତଜ୍ଞତା ଜଣାଉଛି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଏବଂ ତାଙ୍କ ଗୁରୁ ମନ୍ତ୍ର ସବକା ସାଥ୍, ସବକା ବିକାଶ, ସବକା ବିଶ୍ୱାସ୍ ଏବଂ ସବକା ପ୍ରୟାସକୁ ପାଥେୟ କରି ଓଡ଼ିଶା ବିକାଶ ପଥରେ ଆଗେଇ ଚାଲିଛି ।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.