ଦାନା ବାନ୍ଧୁଛି ଲଘୁଚାପ; ସୋମବାର ନେବ ଅବପାତର ରୂପ, ୨୮ଯାଏ କାଁ ଭାଁ ବର୍ଷା !

Published By : Prameya-News7 Bureau | November 23, 2024 IST

ଭୁବନେଶ୍ୱର,୨୩/୧୧: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ୨୫ ତାରିଖ ଅର୍ଥାତ୍ ସୋମବାର ବେଳକୁ ଏହା ଅବପାତର ରୂପ ନେବ । ପରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ମୁହାଁଇବ । ହେଲେ ଓଡ଼ିଶା ଉପରେ ଲଘୁଚାପର  କୌଣସି ପ୍ରଭାବ ରହିବନି । ତେବେ ୨୭ ଓ ୨୮ ତାରିଖ  ବେଳକୁ ରାଜ୍ୟରେ କାଁ ଭାଁ ବର୍ଷା  ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ବର ପୂର୍ବାନୁମାନ କରିଛି । 

୨୭ ତାରିଖରେ ଭଦ୍ରକ,   କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ପୁରୀରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା  ସମ୍ଭାବନା ରହିଛି । ୨୮ରେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, କୋରାପୁଟ ଓ ମାଲକାନଗିରିରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।

ସେପଟେ ଶୁକ୍ରବାର ରାଜ୍ୟର ୧୫ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିଲା । ଜି. ଉଦୟଗିରିର ତାପମାତ୍ରା ସବୁଠୁ କମ୍‌ ବା ୮ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି । ଫୁଲବାଣୀରେ ରାତି ତାପମାତ୍ରା ୧୦ ଡିଗ୍ରୀ ରହିଛି । କୋରାପୁଟ ଓ ଦାରିଙ୍ଗିବାଡ଼ିରେ ୧୧, ଭବାନୀପାଟଣା ଓ ଝାରସୁଗୁଡ଼ାରେ ୧୨,   ରାଉରକେଲାରେ ୧୨.୧, ସୁନ୍ଦରଗଡ଼ ଓ ଅନୁଗୁଳରେ ୧୨.୬,   ବଲାଙ୍ଗିରରେ ୧୩.୨, ରାୟଗଡ଼ାରେ ୧୩.୬ ଡିଗ୍ରୀ ରେକର୍ଡ ହୋଇଛି ।

ଆସନ୍ତା ୪ ଦିନ ଯାଏ ରାଜ୍ୟରେ ରାତିର ତାପମାତ୍ରା ଅପରିବର୍ତ୍ତିତ ରହିବ । ଦିନ ବା ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନି । ୨୭ ତାରିଖ ପରେ ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବ । ଏହାଫଳରେ ଶୀତ ସାମାନ୍ୟ କମିଯିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.