ଭୁବନେଶ୍ୱର ୧୮।୦୪: ଆଗକୁ ଏଭଳି ଅଗ୍ନିବର୍ଷା ଆହୁରି ସାଙ୍ଘାତିକ ହେବ । ସହିବାର ସବୁ ସୀମା ଡେଇଁଯିବ । ଗୁରୁବାର ତାତି ୪୫ ଡିଗ୍ରୀ ଛୁଇଁବ । ଲୋକେ ତ୍ରାହି ତ୍ରାହି ଡାକିବେ । ଆସନ୍ତା ଦୁଇ ଦିନ ଅତି ଭୀଷଣ ଗ୍ରୀଷ୍ମପ୍ରବାହ ବହିବ । ତତଲା ହାୱା ନୁହେଁ, ନିଆଁ ହୁଳା ମାଡ଼ ଭଳି ଅନୁଭବ ହେବ । ଜୀବନ ନେଇଯିବ ଏହି ଭୟଙ୍କର ତାତି । ପାଣିପାଗ ବିଭାଗର ତାଜା ସତର୍କବାଣୀ ଏଭଳି ବିପଦ ଆଡ଼କୁ ଇଙ୍ଗିତ କରିଛି। ସପ୍ତାହ ଆଗରୁ ଗ୍ରୀଷ୍ମପ୍ରବାହ କମିବନି ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ପଶୁପାଳକ କହିଛନ୍ତି । ରାୟଗଡ଼ାରେ ଜଣେ ମହିଳା ଅଂଶୁଘାତର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆହୁରି ଅନେକ ସ୍ଥାନରୁ ଏଭଳି ଖବର ଆସିଛି ।
ଆଗାମୀ ଦୁଇ ଦିନ ହେବାକୁ ଥିବା ଅତିଭୀଷଣ ଗ୍ରୀଷ୍ମପ୍ରବାହ ପାଇଁ ରାଜ୍ୟ ସରକାର ସବୁ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି । ତିନି ଦିନ ସବୁ ସ୍କୁଲ ଛୁଟି ରହିବ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି । ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ସ୍କୁଲକୁ ୨୦ ତାରିଖ ପାଇଁ ଛୁଟି ଦିଆଯାଇଛି । ୨୧ ତାରିଖ ରବିବାର ଥିବାରୁ ୨୨ରେ ସ୍କୁଲ ଖୋଲିବ ।
ଗୁରୁବାର ଆକାଶରୁ ନିଆଁବର୍ଷା ହେବ । ବାରିପଦାରେ ତାତି ୪୫ ଡିଗ୍ରୀ ଛୁଇଁପାରେ । ମାଲକାନଗିରି, ବଲାଙ୍ଗୀର, ବାଲେଶ୍ୱର, ଖୋର୍ଦ୍ଧା, କଟକ, ଝାରସୁଗୁଡ଼ା, ସମ୍ବଲପୁର, ଅନୁଗୁଳ ଓ ନୂଆପଡ଼ାରେ ତାତି ୪୩ ବା ୪୪ ଡିଗ୍ରୀ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଭୟଙ୍କର ତାତି ପାଇଁ ଗୁରୁବାର ମୟୂରଭଞ୍ଜ, ନୂଆପଡ଼ା, ଗଜପତି ଓ ନୟାଗଡ଼ରେ ଅତି ଭୀଷଣ ଗ୍ରୀଷ୍ମପ୍ରବାହ (ସିଭିୟର ହିଟ୍ୱେଭ) ଗ୍ରୀଷ୍ମପ୍ରବାହ ବହିପାରେ । ଏଥିପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଢେଙ୍କାନାଳ, ଯାଜପୁର, କନ୍ଧମାଳ, କୋରାପୁଟ, ମାଲକାନଗିରି, ଅନୁଗୁଳ, ବୌଦ୍ଧ, ଝାରସୁଗୁଡ଼ା, କଳାହାଣ୍ଡି ଓ ବରଗଡ଼ରେ ଗ୍ରୀଷ୍ମପ୍ରବାହ ବହିବ ।
୧୯ ତାରିଖରେ ବି ଉତ୍ତପ୍ତ ପିଣ୍ଡ ପାଲଟିବ ପୂରା ଓଡ଼ିଶା । ମାଲକାନଗିରି, ବଲାଙ୍ଗୀର, ବୌଦ୍ଧ, ଅନୁଗୁଳ, ବାରିପଦାରେ ତାତି ୪୫ ଡିଗ୍ରୀ ରହିବ । ନୂଆପଡ଼ା, ଟିଟିଲାଗଡ଼, ସମ୍ବଲପୁର ଓ ଢେଙ୍କାନାଳରେ ତାତି ୪୪ ଡିଗ୍ରୀ ଛୁଇଁବ । ମୟୂରଭଞ୍ଜ, ନୂଆପଡ଼ା, ଗଜପତି ଓ ନୟାଗଡ଼ରେ ଅତି ଭୀଷଣ(ସିଭିୟର ହିଟ୍ୱେଭ) ବହିବ । ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଭୀଷଣ ଗ୍ରୀଷ୍ମପ୍ରବାହ ବହିବ । ୨୦ ଓ ୨୧ ତାରିଖରେ ବି ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନରେ ହିଟ୍ୱେଭ ରହିବ ।
ଡ. ପଶୁପାଳକଙ୍କ ଆକଳନ ଅନୁସାରେ, ଏବେ କାଳବୈଶାଖୀ ସମ୍ଭାବନା ଦିଶୁନି । ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ପବନ ବହିବ । ଏଥିପାଇଁ ତାତି ଅଧିକ ରହିବ । ଗୁରୁବାରଠାରୁ ପଶ୍ଚିମରେ ତାତି ଅଧିକ ବଢ଼ିବ । ଝାରସୁଗୁଡ଼ାରୁ କଳାହାଣ୍ଡି ଓ ପାଖ ଜିଲ୍ଲା ସବୁଠୁ ଅଧିକ ଉତ୍ତପ୍ତ ରହିବ । ରାଜ୍ୟର ଅଧିକାଂଶ ସ୍ଥାନରେ ସପ୍ତାହ ଯାଏ ତାତି ୪୧.୫ ଡିଗ୍ରୀରୁ ୪୪ ଡିଗ୍ରୀ ଭିତରେ ରହିବ । କେବେ କମିବ ସେ ନେଇ ସେ କୌଣସି ଆକଳନ କରିନାହାନ୍ତି । ତେବେ ଭୁବନେଶ୍ୱରରେ ୧୯ ତାରିଖ ଅପରାହ୍ନରେ ପରିଚାଳନାଜନିତ ମେଘ ଯୋଗୁ ତାତି ଉପରମୁହାଁ ହୋଇ ପୁଣି ଖସିଯିବ ।