ସଚିନଙ୍କ ସହ କ୍ୟାରିଅର ଆରମ୍ଭ: ଦିନେ ଥିଲେ କୋଟିଏ ଟଙ୍କାର ମାଲିକ, ଆଜି ବଞ୍ଚିବା ପାଇଁ କରୁଛନ୍ତି ସଂଘର୍ଷ

Published By : Prameya-News7 Bureau | December 10, 2024 IST

News7

ନୂଆଦିଲ୍ଲୀ: ବିନୋଦ କାମ୍ବଲି। କ୍ରିକେଟ୍‌ ଜଗତରେ ଏକ ପରିଚିତ ନାମ। ଯିଏ କୋଟି କୋଟିର ଟଙ୍କାର ମାଲିକ ଥିଲେ, ସେ ଆଜି ଅନ୍ୟ ଉପରେ ନିର୍ଭରଶୀଳ। ଯେତେବେଳେ ସେ କ୍ରିକେଟ୍ ପିଚ୍ ଉପରେ ନିଜର ଜଲଓ୍ୱା ଦେଖାଉଥିଲେ, ସେତେବେଳେ ସେ କୋଟି କୋଟି ମୂଲ୍ୟର ସମ୍ପତ୍ତିର ଅଧିକାରୀ ଥିଲେ।  ଖବର ଅନୁଯାୟୀ, ଯେତେବେଳେ ବିନୋଦ କାମ୍ବଲି ତାଙ୍କ କ୍ରିକେଟ୍ କ୍ୟାରିୟରର ଶିଖରରେ ଥିଲେ, ସେତେବେଳେ ତାଙ୍କର ସମ୍ପତ୍ତି ୧ ରୁ ୧.୫ ମିଲିୟନ୍ ଡଲାର ଥିଲା। କିନ୍ତୁ ୨୦୨୨ ମସିହାରୁ ଆରମ୍ଭ ହୁଏ ତାଙ୍କର ଆର୍ଥିକ ଅବନତି। ତାଙ୍କୁ ବାର୍ଷିକ ମାତ୍ର ୪ ଲକ୍ଷ ଟଙ୍କା ପେନସନ ମିଳୁଛି।

ବିନୋଦ କାମ୍ବଲିଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଆହୁରି ଗୁରୁତର ହୋଇଯାଇଛି। ତାଙ୍କ ଆର୍ଥିକ ସ୍ଥିତି କେବଳ ବିସିସିଆଇ ଦେଇଥିବା ପେନ୍‌ସନ୍‌ରେ ଚାଲିଛି। ବିନୋଦ କାମ୍ବଲି ନିଜେ ସାକ୍ଷାତକାରରେ କହିଥିଲେ ଯେ ବିସିସିଆଇ ତାଙ୍କୁ ମାସିକ ୩୦ ହଜାର ଟଙ୍କା ପେନସନ୍ ଦେଉଛି, ଯାହା ସାହାଯ୍ୟରେ ସେ ତାଙ୍କ ଘର ଚଳାଇବାରେ ସକ୍ଷମ ହୋଇପାରୁଛନ୍ତି।

ଯଦି ଆମେ ଘର ବିଷୟରେ କଥା ହେବା, ତେବେ ମୁମ୍ବାଇର ବାନ୍ଦ୍ରାଠାରେ ତାଙ୍କର ଏକ ଘର ଅଛି, ଯାହାର ମୂଲ୍ୟ ଭଲ ବୋଲି କୁହାଯାଏ। ତାଙ୍କ ଘରର ପରିସୀମା କହିଲେ ୧୬୦୬ ବର୍ଗଫୁଟ।

୨୦୦୯ରେ କାମ୍ବଲି ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେଇଥିଲେ। ୨୦୧୧ରେ ସେ ପ୍ରଥମ ଶ୍ରେଣୀ କ୍ରିକେଟରୁ ଅବସର ଘୋଷଣା କରିଥିଲେ। କାମ୍ବଲି ଭାରତ ପାଇଁ ମାତ୍ର ୧୭ଟି ଟେଷ୍ଟ ଏବଂ ୧୦୪ଟି ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିପାରନ୍ତି। ବାମହାତୀ ବ୍ୟାଟ୍ସମ୍ୟାନ୍ କାମ୍ବଲି ଟେଷ୍ଟରେ ହାରାହାରି ୫୪.୨୦ରେ ୧୦୮୪ ରନ୍ ସଂଗ୍ରହ କରିଥିଲେ। ଏଥିରେ ଚାରି ଶତକ ଏବଂ ତିନି ଅର୍ଦ୍ଧଶତକ ସାମିଲ ରହିଛି। ସେ ଆନ୍ତର୍ଜାତୀୟ ଦିନିକିଆରେ ହାରାହାରି ୩୨.୫୯ରେ ୨୪୭୭ ରନ୍ ସ୍କୋର କରିଥିଲେ। ଆନ୍ତର୍ଜାତିକ ଦିନିକିଆରେ କାମ୍ବଲି ଦୁଇ ଶତକ ଏବଂ ୧୪ ଅର୍ଦ୍ଧଶତକ ହାସଲ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.