ଆସିବ ‘ଡିୟର କମ୍ରେଡ୍’ର ହିନ୍ଦୀ ରିମେକ୍, ସିଦ୍ଧାନ୍ତ-ପ୍ରତିଭାଙ୍କୁ କାଷ୍ଟ କରିପାରନ୍ତି କରଣ ଜୋହର

NEWS7
who-is-delhi-next-chief-minister-5-bjp-leaders-ahead-race-cm-post

ନୂଆଦିଲ୍ଲୀ ୦୩।୦୧: ୨୦୧୯ରେ ମୁକ୍ତିପ୍ରାପ୍ତ ତେଲୁଗୁ ଫିଲ୍ମ ‘ଡିୟର କମ୍ରେଡ୍’ ବକ୍ସ ଅଫିସ୍ରେ ହିଟ୍ ହୋଇଥିଲା । ୬ ବର୍ଷ ପରେ ଫିଲ୍ମକୁ ନେଇ ବଲିଉଡ୍ରେ ଚର୍ଚ୍ଚା ଆରମ୍ଭ ହୋଇଛି। ଖୁବ୍‌ଶୀଘ୍ର ଏହାର ହିନ୍ଦୀ ରିମେକ୍ ବଡ଼ ପରଦାକୁ ଆସିବ । ମୂଳ ଫିଲ୍ମର ସଫଳତା ପରେ କରନ ଜୋହରଙ୍କ ଧର୍ମା ପ୍ରଡକ୍ସନ୍ସ ତୁରନ୍ତ ଏହାର ଔପଚାରିକ ହିନ୍ଦୀ ଅଧିକାର ହାସଲ କରିଥିଲା । ଏବେ ଚର୍ଚ୍ଚା ହେଉଛି ଫିଲ୍ମର ମୁଖ୍ୟ କଳାକାର ଭାବେ ସିଦ୍ଧାନ୍ତ ଚତୁର୍ବେଦୀ ଓ ପ୍ରତିଭା ରାଣ୍ଟାଙ୍କୁ କାଷ୍ଟ୍ କରାଯାଇଛି । ତେବେ ଔପଚାରିକ ରୂପେ ଏହା ଅଦ୍ୟାବଧି ସ୍ପଷ୍ଟ ହୋଇନାହିଁ ।

ଗଣମାଧ୍ୟମ ଅନୁସାରେ, ଧର୍ମା ପ୍ରଡକ୍ସନ୍ସ "ଡିୟର କମ୍ରେଡ୍'ର ରିମେକ୍‌କୁ ନେଇ ଆରମ୍ଭରୁ ଉତ୍ସାହିତ ରହିଛି । ଉପଯୁକ୍ତ ଷ୍ଟାର୍ କାଷ୍ଟ୍ ଚୟନ ଉପରେ ଏହାର ଫୋକସ୍ ଥିଲା । ଫିଲ୍ମର ମୁଖ୍ୟ ଅଭିନେତା ହେବା ପାଇଁ ସିଦ୍ଧାନ୍ତଙ୍କ ପାଖରେ ସବୁ ଗୁଣ ରହିଥିବା ନିର୍ମାତା ଲକ୍ଷ୍ୟ କଲେ । ସେହିପରି ମୁଖ୍ୟ ନାୟିକା ଭୂମିକାକୁ ପରଦାରେ ସୁନ୍ଦର ଭାବେ ଉପସ୍ଥାପନ କରିବା ପାଇଁ ପ୍ରତିଭା ପୂରାପୂରି ଫିଟ୍ । ଆଉ ଏକ ପ୍ରୋଜେକ୍ଟ ପାଇଁ ପ୍ରଡକ୍ସନ୍ ହାଉସ୍ ସହିତ ପ୍ରତିଭାଙ୍କର ଆଲୋଚନା ଚାଲିଥିଲା ।

"ଡିୟର କମ୍ରେଡ୍'ର ରିମେକ୍ ପାଇଁ ମଧ୍ୟ ସେ ଫିଟ୍ ହେବେ ଭାବି ନିର୍ମାତା ତାଙ୍କ ନାଁରେ ମୋହର ମାରିଲେ । ହିନ୍ଦୀ ସଂସ୍କରଣ ମୂଳ ଫିଲ୍ମର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭାବନାତ୍ମକ ଦିଗକୁ ଅକ୍ଷୁଣ୍ଣ ରଖିବ । କିନ୍ତୁ ସର୍ବ-ଭାରତୀୟ ସ୍ତରରେ ରିଲିଜକୁ ଆଖିରେ ରଖି ଫିଲ୍ମ ନିର୍ମାଣ ହେବ । ଫିଲ୍ମର କାହାଣୀର ସମ୍ବେଦନଶୀଳତା ଓ ଯୁଗୋପଯୋଗିତା ବିଷୟରେ ଧର୍ମା ପ୍ରଡକ୍ସନ୍ ବେଶ ସଚେତନ । ମୂଳ ଫିଲ୍ମର ସ୍ୱତନ୍ତ୍ରତାକୁ ନଷ୍ଟ ନ କରି ନୂଆ ଦର୍ଶକଙ୍କ ପାଇଁ "ଡିୟର କମ୍ରେଡ୍'ର ପୁନଃ ପରିକଳ୍ପନା ନିର୍ମାତାଙ୍କ ଉଦ୍ଦେଶ୍ୟ । ପୂର୍ବରୁ ମୂଳ ଫିଲ୍ମର ମୁଖ୍ୟ କଳାକାର ବିଜୟ ଦେବରକୋଣ୍ଡା ଓ ରଶ୍ମିକା ମନ୍ଦନାଙ୍କୁ ହିନ୍ଦୀ ରିମେକ୍ରେ କାଷ୍ଟ୍ କରିବାକୁ ସ୍ଥିର କରାଯାଇଥିଲା । କିନ୍ତୁ କରୋନା ମହାମାରୀ ପରେ ପ୍ରୋଜେକ୍ଟ ଅଟକିଗଲା ।