କାହିଁକି ଏକୁଟିଆ ରହିଗଲେ ରତନ ଟାଟା? ଦୁଇ ଦୁଇଟି ପ୍ରେମ ପରେ ବି ଅଧା ରହିଥିଲା ତାଙ୍କ ଲଭ୍ ଷ୍ଟୋରୀ

Published By : Prameya-News7 Bureau | October 10, 2024 IST

ନୂଆଦିଲ୍ଲୀ ୧୦/୧୦: ସେ ଥିଲେ ବିଜନେସ ଟାଇକୁନ୍ । ସେ ଥିଲେ ଦାନବୀର । ଶିଳ୍ପ ସାମ୍ରାଜ୍ୟର ସମ୍ରାଟ । ଶିଳ୍ପ ଜଗତରେ ସୃଷ୍ଟି କରିଥିଲେ  ମାଇଲ ଖୁଣ୍ଟ । ଯୁବପୀଢୀଙ୍କ ପାଇଁ ସେ ପ୍ରେରଣା । ଖୁବ ସରଳ ଜୀବନ କାଟୁଥିବା ରତନ ଥିଲେ ବେଶ୍ ପ୍ରଫେସନାଲ । ହେଲେ ସଫଳତାର ଶୀର୍ଷ ଛୁଇଁଥିବା ରତନ କିନ୍ତୁ କାଟୁଥିଲେ ନିସଙ୍ଗ ଜୀବନ । ରହୁଥିଲେ ଏକାକୀ । ଏତେ ବଡ଼ ବ୍ୟକ୍ତିତ୍ୱ ହୋଇ ବି ସେ ବାଛିନଥିଲେ ସଙ୍ଗୀନି । ପ୍ରେମରେ ପଡିଥିଲେ ସତ କରିନଥିଲେ ବିବାହ । ଅଧା ରହିଥିଲା ତାଙ୍କ ଅଢେଇ ଅକ୍ଷର କାହାଣୀ । ଏକଥା ଆମେ କହୁନୁ ବରଂ ନିଜେ ବଖାଣିଥିଲେ ରତନ । 

ଆମେରିକାର ଲସ୍‌ ଏଞ୍ଜଲସ୍‌ରେ ଥିଲା ଚାକିରି । ଉଚ୍ଛୁଳା ଯୌବନର ପ୍ରେମର ଢେଉରେ ବୁଡିଥିଲେ ଟାଟା । ଜଣେ ଯୁବତୀଙ୍କ ଦେଇବସିଥିଲେ ମନ । କଥା ବିବାହ ପର୍ଯ୍ୟନ୍ତ ପହଞ୍ଚିଥିଲା। କିନ୍ତୁ ହଠାତ୍ ଘରୁ ଆସିଥିଲା ଫୋନକଲ୍ । ଆଉ ବିଗିଡିଯାଇଥିଲା ତାଙ୍କ ପ୍ରେମ ସମୀକରଣ । କାରଣ ଜେଜେମା’ଙ୍କ ଅସୁସ୍ଥତା ହେତୁ ଭାରତ ଫେରିବାକୁ ବାଧ୍ୟ ହୋଇଥିଲେ ଦୟାଳୁ ମଣିଷ । ମନରେ ବିଶ୍ୱାସ ଥିଲା କି, ତାଙ୍କ ପଛେ ପଛେ ଭାରତ ଚାଲିଆସିବ ତାଙ୍କ ପ୍ରେମ । ହେଲେ ତାସ୍‌ର ପତ୍ତା ଭଳି ଭୁଶୁଡିପଡିଥିଲା ତାଙ୍କ ଭଲପାଇବାର କାଚମହଲ । ୧୯୬୨ରେ ଭାରତ-ଚୀନ୍‌ ଯୁଦ୍ଧରେ ଯୁବତୀଙ୍କ ମାଆ-ବାପା ତାଙ୍କୁ ଛାଡିନଥିଲେ ଭାରତ। ଫଳରେ ଅଧୁରା ରହି ଯାଇଥିଲା ରତନ ଟାଟାଙ୍କ ପ୍ରେମ କାହାଣୀ ।


ଆହୁରି ବି ଜଣେ ବି-ଟାଉନ୍‌ରେ ଅଭିନେତ୍ରୀଙ୍କ ସହ ରତନଙ୍କ ନାଁଙ୍କୁ ନେଇ ଚର୍ଚ୍ଚା ହୁଏ । ଆଉ ସେହି ବଲିଉଡ ଅଭିନେତ୍ରୀ ଜଣଙ୍କ ହେଉଛନ୍ତି ସିମି ଗେରୱାଲ। ଚର୍ଚ୍ଚା ଥିଲା କି, ସିମି ୬୦ ଦଶକରେ ବଲିଉଡର ଜଣେ ସଫଳ ଅଭିନେତ୍ରୀ ଥିବା ବେଳେ ଶୋ’ର କରିଥିଲେ ହୋଷ୍ଟ । ଆଉ ସେହି ଶୋ’କୁ ଗେଷ୍ଟ ହୋଇ ଯାଇଥିଲେ ନିଜେ ରତନ ଟାଟା । 

୨୦୧୧ ମସିହାରେ ଦେଇଥିବା ଏକ ସାକ୍ଷାତକାରରେ ରତନ ଟାଟାଙ୍କୁ ଡେଟ୍ କରିବା କଥା ସ୍ୱୀକାର କରିଥିଲେ ସିମି । ସିମି କହିଥିଲେ, ରତନ ଟାଟା ଥିଲେ ଜଣେ ଅସାଧାରଣ ମଣିଷ । ତାଙ୍କ ବ୍ୟକ୍ତିତ୍ୱ ଥିଲା ଚମତ୍କାର । ପ୍ରଖର ବୁଦ୍ଧି ସହ ସେ ଥିଲେ ଖୁବ୍‌ ବିନମ୍ର ସ୍ୱଭାବର । କିନ୍ତୁ କେବେ ବି ତାଙ୍କ ଲୋଭ କି ଦୁର୍ବଳତା ନ ଥିଲା । ଯାହା ତାଙ୍କୁ ଖୁବ୍‌ ଆକୃଷ୍ଟ କରିଥିଲା ବୋଲି ବଖାଣିଥିଲେ ସିମି ।

ରତନ ନାଁ ଯେମିତି, ବ୍ୟକ୍ତିତ୍ୱ ସେମିତି । ଦୁଇ ଦୁଇ ଥର ପ୍ରେମ, ତଥାପି ସେ ଥିଲେ ନିର୍ବିବାଦ । ଭଲପାଇବା ଥାଇ ବି ସେ ହରାଇବସିଥିଲେ ସବୁ କିଛି । ତଥାପି ମନରେ ଥିଲା ଅବଶୋଷ । ହେଲେ ବେଳେ ବେଳେ ମନକୁ ଆସେ ଏକାକି ରହିବାର ଦୁଃଖ । ତାଙ୍କୁ ମାଡିବସେ ତାଙ୍କ ନିସଙ୍ଗତା । ଆଜି ତାଙ୍କ ଅବର୍ତ୍ତମାନରେ ଅନେକ ଆଲୋଚନା, କଣ ଅଧା ରହିଗଲା କି ତାଙ୍କ ପ୍ରେମ କାହାଣୀ ?

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.