ନୂଆଦିଲ୍ଲୀ: ଆମେରିକାରେ ଡୋନାଲ୍ଡ ଟ୍ରମ୍ପ କ୍ଷମତାସୀନ ହେବା ପରଠୁ କଠୋର ନିଷ୍ପତ୍ତି ନେଇ ଚାଲିଛନ୍ତି। ଏବେ ଟ୍ରମ୍ପ ପ୍ରଶାସନ ୪୩ ଦେଶର ଏକ ତାଲିକା ପ୍ରସ୍ତୁତ କରିଛନ୍ତି, ଯାହାଙ୍କ ଉପରେ ଯାତ୍ରା କଟକଣା ଲଗାଯିବାର ଯୋଜନା ରହିଛି। ତାଲିକାକୁ ତିନୋଟି ବର୍ଗରେ ବିଭକ୍ତ କରାଯାଇଛି। ପ୍ରଥମ ରେଡ୍, ଦ୍ଵିତୀୟ ଅରେଞ୍ଜ ଓ ତୃତୀୟ ୟେଲୋ ରହିଛି। ରେଡ୍ ତାଲିକାରେ ସେହି ଦେଶକୁ ରଖାଯାଇଛି, ଯାହାର ନାଗରିକଙ୍କୁ ଆମେରିକାରେ ପ୍ରବେଶ ନିଷେଧ ରହିଛି। ତାଲିକାରେ ଆଫଗାନିସ୍ତାନ, ଉତ୍ତର କୋରିଆ, ଇରାନ, ୟମନ, ସୋମାଲିଆ, ସୁଦାନ ଓ ସିରିୟା ପରି ଦେଶ ସାମିଲ। ଏହି ସବୁ ଦେଶକୁ ରେଡ୍ ତାଲିକାଭୁକ୍ତ କରାଯିବା ପଛର କାରଣ ଏହି ଦେଶରେ ଅଶାନ୍ତି ଲାଗି ରହିଛି କିମ୍ବା ଆମେରିକା ସହ ସଂପର୍କ ଖରାପ ରହିଛି। କିନ୍ତୁ ତାଲିକାରେ ଭୂଟାନର ନାଁ ରହିବା ସଭିଙ୍କୁ ଆଚମ୍ଵିତ କରିଛି। କାରଣ ଭୂଟାନକୁ ଦୁନିଆର ସବୁଠୁ ଶାନ୍ତିପ୍ରିୟ ଦେଶ କୁହାଯାଏ। ତଥାପି ଭୂଟାନକୁ ଆମେରିକା କାହିଁକି ରେଡ୍ ତାଲିକାଭୁକ୍ତ କରିଛି, ଚାଲନ୍ତୁ ଜାଣିବା ଏହା ପଛର କାରଣ।
Also read: କଣ କେବେ ଏକୁଟିଆ ଲାଗେନି ଆପଣଙ୍କୁ? ଖୁଲ୍ଲାସା କଲେ ପ୍ରଧାନମନ୍ତ୍ରୀ ମୋଦି...
ଟ୍ରମ୍ପ ପ୍ରଶାସନର ସୂତ୍ର ଅନୁସାରେ ଭୂଟାନକୁ ରେଡ୍ ତାଲିକାଭୁକ୍ତ କରାଯିବା ପଛରେ କିଛି କାରଣ ରହିଛି। ସବୁଠୁ ମୁଖ୍ୟ କାରଣ ହେଉଛି ଭୂଟାନର ଲୋକ ଆମେରିକା ପହଞ୍ଚିବା ପରେ ସର୍ବଦା ଭିସା ନିୟମର ଉଲ୍ଲଂଘନ କରିଥାନ୍ତି। ଭିସାର ଅବଧି ସରିବା ପରେ ବି ସବୁ ବେଳେ ଆମେରିକାରେ ରହିଥାନ୍ତି। ଏହା ଆମେରିକାର ରାଷ୍ଟ୍ରୀୟ ସୁରକ୍ଷା ପାଇଁ ବିପଦ ସାଜିପାରେ। ଏହା ବାଦ୍ ବେଆଇନ ମାର୍ଗ ଦେଇ ଆମେରିକାରେ ପହଞ୍ଚୁଥିବା ଭୂଟାନବାସୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ଏହା ଆମେରିକା ପ୍ରଶାସନର ଚିନ୍ତା ବଢାଇ ଦେଇଛି।
ଆମେରିକା ଡିପାର୍ଟମେଣ୍ଟ ଅଫ୍ ହୋମଲ୍ୟାଣ୍ଡ ସିକ୍ୟୁରିଟି ଅନୁସାରେ ଗତ ବର୍ଷ ୩୭ ପ୍ରତିଶତ ଭୂଟାନବାସୀ ଭିସା ନିୟମର ଉଲ୍ଲଂଘନ କରିଛନ୍ତି। ବର୍ତ୍ତମାନ ରେଡ୍ ତାଲିକାଭୁକ୍ତ ହେବା ପରେ ଭୁଟାନର ପ୍ରତିଟି ନାଗରିକଙ୍କୁ ଲମ୍ବା ଯାଞ୍ଚ ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ିବ। ତେବେ ଯାଇ ଭିସା ଜାରି ହେବ ଏବଂ ଅନେକ ମାମଲାରେ ସେମାନଙ୍କ ଆବେଦନକୁ ବିନା କୌଣସି କାରଣ ଦର୍ଶାଇ ଖାରଜ ମଧ୍ୟ କରାଯାଇପାରେ।
କେବଳ ଏତିକି ନୁହେଁ ସଂପ୍ରତି ଆମେରିକାରେ ବାସ କରୁଥିବା ଭୂଟାନ ଲୋକଙ୍କ ଅତିରିକ୍ତ ଯାଞ୍ଚ କରାଯିବ। ଟ୍ରମ୍ପ ପ୍ରଶାସନର ଏହି ନିଷ୍ପତ୍ତି ବିଶେଷ କରି ସେହି ଲୋକଙ୍କ ପାଇଁ ସମସ୍ୟା ସୃଷ୍ଟି କରିବ ଯେଉଁମାନେ ପାଠପଢା ପାଇଁ ଆମେରିକା ଆସିଥାନ୍ତି। ଏପରିକି ଏହି ନିଷ୍ପତ୍ତି ଆମେରିକା ଓ ଭୂଟାନ ସଂପର୍କ ଉପରେ ପ୍ରଭାବ ପକାଇପାରେ। ଆମେରିକା ନିଜ ନିଷ୍ପତ୍ତିର ପୁନଃ ସମୀକ୍ଷା କରୁ ବୋଲି ଭୂଟାନର ବୈଦେଶିକ ମନ୍ତ୍ରଣାଳୟ ଦାବି କରି ସାରିଛି।