କେତେ ଭୟଙ୍କର ଥିଲା ଦୁର୍ଘଟଣା ! ହାତରେ ଘଣ୍ଟା ନଥିଲେ ଚିହ୍ନି ହୋଇନଥାନ୍ତା ଅଜିତ ପାଓ୍ବାରଙ୍କ ମୃତଦେହ

NEWS7
winter-is-back-with-thick-fog-in-subernapur-district

ମୁମ୍ବାଇ: ବିମାନ ଦୁର୍ଘଟଣାରେ ବୁଧବାର ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁ ହୋଇଛି । ବିମାନରେ ଥିବା ସମସ୍ତ ଯାତ୍ରୀ ପ୍ରାଣ ହରାଇଛନ୍ତି । ତେବେ ବିମାନ ଦୁର୍ଘଟଣା ପରେ ସବୁ କିଛି ଜଳିପୋଡ଼ି ପାଉଁଶ ହୋଇଯାଇଛି । ଏଥିରେ ଥିବା ସବୁ ଯାତ୍ରୀ ମଧ୍ୟ ପୋଡ଼ି ଯାଇଛନ୍ତି । ତେବେ ଅଜିତ ପାଓ୍ବରଙ୍କ ମୃତଦେହ ତାଙ୍କ ହାତରେ ପିନ୍ଧିଥିବା ଘଣ୍ଟା ଦ୍ବାରା ଚିହ୍ନଟ ହୋଇପାରିଥିଲା ବୋଲି ଏବେ ଖବର ମିଳିଛି । ଅଜିତ ପାଓ୍ବାରଙ୍କ ହାତଘଣ୍ଟା ହିଁ ତାଙ୍କର ଶେଷ ପରିଚୟ ଥିଲା। ଏହା ଦୁର୍ଘଟଣା କେତେ ଭୟଙ୍କର ଥିଲା, ତାହା ଏଥିରୁ ଅନୁମାନ କରାଯାଇପାରେ ।

ଅଜିତ ପାୱାରଙ୍କ ଦେହାନ୍ତ ପରେ ମହାରାଷ୍ଟ୍ରର ସିଏମ ଦେବେନ୍ଦ୍ର ଫଡନବୀସ, ଡେପୁଟି ସିଏମ ଏକନାଥ ସିନ୍ଦେ , ଏନସିପି (ଶରଦ ପାୱାର) ମୁଖ୍ୟ ଶରଦ ପାୱାର ମୁମ୍ବାଇରୁ ବାରାମତି ଅଭିମୁଖେ ଯାତ୍ରା କରିଥିଲେ । ଏହି ସମୟରେ, ଅଜିତଙ୍କ ପତ୍ନୀ ସୁନେତ୍ର ପାୱାର, ସୁପ୍ରିୟା ସୁଲେ ଏବଂ ସେମାନଙ୍କ ପିଲା ପାର୍ଥ ଏବଂ ଜୟ ଦିଲ୍ଲୀରୁ ବାରାମତୀ ଯାଇଥିଲେ । ରୋହିତ ପାୱାର ଅଜିତଙ୍କ ମୃତଦେହକୁ ରଖାଯାଇଥିବା ହସ୍ପିଟାଲରେ ପହଞ୍ଚିଥିଲେ । ମହାରାଷ୍ଟ୍ରର ୬ ଥର ଉପୁମଖ୍ୟମନ୍ତ୍ରୀ ଥିବା ଅଜିତ ପାଓ୍ବାରଙ୍କ ଦୁଃଖଦ ମୃତ୍ୟୁରେ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି ।

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମୋହନ ଯାଦବ, କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ, ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଏବଂ ଦିଗବିଜୟ ସିଂହଙ୍କ ସମେତ ଅନେକ ନେତା ବୁଧବାର ଦିନ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି। ମୋହନ ଯାଦବ ଏକ୍ସରେ ପୋଷ୍ଟ କରିଛନ୍ତି, ‘ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର ସର୍ବଦା ଗରିବ, ବଞ୍ଚିତ ଏବଂ ପଛୁଆ ବର୍ଗଙ୍କ ସେବା ପାଇଁ ଉତ୍ସର୍ଗୀକୃତ ଥିଲେ। ସେ ମହାରାଷ୍ଟ୍ରର ବିକାଶରେ ଅମୂଲ୍ୟ ଅବଦାନ ଦେଇଥିଲେ। ସେ ଜଣେ ସାଧାରଣ ନେତା ଥିଲେ। ତାଙ୍କ ଅକାଳ ବିୟୋଗରେ ମୋର ଶୋକ ପ୍ରକାଶ କରୁଛି।’

କେନ୍ଦ୍ର କୃଷି ମନ୍ତ୍ରୀ କହିଛନ୍ତି ଯେ, ଅଜିତ ପାୱାରଙ୍କ ଦେହାନ୍ତ ଖବର ଶୁଣି ମର୍ମାହତ । ବିଶ୍ୱାସ କରିପାରୁନାହିଁ ଯେ, ଅଜିତ ପାୱାର ଆଉ ଆମ ଗହଣରେ ନାହାନ୍ତି। ସେ କହିଛନ୍ତି, ‘ସେ ମୋର ଜଣେ ଘନିଷ୍ଠ ବନ୍ଧୁ ଏବଂ ଘନିଷ୍ଠ ସହଯୋଗୀ ଥିଲେ। ଜଣେ ଜନନେତା, ଜଣେ ଦକ୍ଷ ପ୍ରଶାସକ ଏବଂ ଜଣେ ଦୂରଦୃଷ୍ଟିସମ୍ପନ୍ନ ବ୍ୟକ୍ତି ଭାବରେ ତାଙ୍କର ଅବଦାନ ସର୍ବଦା ମନେ ରହିବ। ତାଙ୍କ ଦେହାନ୍ତ ଦ୍ୱାରା ମହାରାଷ୍ଟ୍ର ରାଜନୀତିରେ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନ ଅପୂରଣୀୟ।’

କମଲନାଥ ଏକ୍ସରେ ଲେଖିଛନ୍ତି ଯେ, ଅଜିତ ପାୱାରଙ୍କ ମୃତ୍ୟୁ ଭାରତୀୟ ରାଜନୀତି ପାଇଁ ଏକ ଅପୂରଣୀୟ କ୍ଷତି । ସେ ତାଙ୍କ ସମଗ୍ର ଜୀବନ ମହାରାଷ୍ଟ୍ରର ଲୋକଙ୍କ ସେବା ପାଇଁ ଉତ୍ସର୍ଗ କରିଥିଲେ। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ଏବଂ ତାଙ୍କ ପରିବାରକୁ ଏହି ଦୁଃଖ ସହ୍ୟ କରିବା ପାଇଁ ଶକ୍ତି ଦିଅନ୍ତୁ। ଦିଗବିଜୟ ସିଂହ କହିଛନ୍ତି, ‘ବିମାନ ଦୁର୍ଘଟଣାରେ ଅଜିତ ଦାଦାଙ୍କ ମୃତ୍ୟୁ ଖବର ଶୁଣି ମୁଁ ମର୍ମାହତ। ସୁନେତ୍ର ଜୀ ଏବଂ ତାଙ୍କ ପରିବାର ପ୍ରତି ଆମର ସମବେଦନା। ଭଗବାନ ସେମାନଙ୍କୁ ଏହି ଅପୂରଣୀୟ କ୍ଷତି ସହ୍ୟ କରିବା ପାଇଁ ଶକ୍ତି ଦିଅନ୍ତୁ।’