ନଭେମ୍ୱର ୨୫ରୁ ଡିସେମ୍ୱର ୨୦ ଯାଏ ସଂସଦର ଶୀତ ଅଧିବେଶନ, ବହୁ ଗୁରୁତ୍ୱପୂର୍ଣ୍ଣ ବିଲ୍ ଉପରେ ହୋଇପାରେ ଚର୍ଚ୍ଚା

Published By : Prameya-News7 Bureau | November 05, 2024 IST

ନୂଆଦିଲ୍ଲୀ: ସଂସଦର ଶୀତ ଅଧିବେଶନ ନଭେମ୍ୱର ୨୫ରୁ ଆରମ୍ଭ ହୋଇ ଡିସେମ୍ୱର ୨୦ ଯାଏ ଚାଲିବ । ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି । ପରମ୍ପରା ଅନୁଯାୟୀ ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଅଧିବେଶନ ଆରମ୍ଭ ହେବ । ଶୀତ ଅଧିବେଶନରେ ସଂସଦର ଉଭୟ ଗୃହରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ଆଲୋଚନା ହୋଇପାରେ । ସୂତ୍ର ଅନୁସାରେ ସରକାର 'ଏକ ଦେଶ ଏକ ନିର୍ବାଚନ' ଉପରେ ଚର୍ଚ୍ଚା କରିପାରନ୍ତି । ଗୃହ କାର୍ଯ୍ୟ ଯେପରି ସୁଚାରୁ ରୂପେ ଚାଲିବ ସେଥିପାଇଁ ଅଧିବେଶନ ଆରମ୍ଭ ପୂର୍ବରୁ ସରକାର ଏବଂ ଲୋକସଭା ବାଚସ୍ପତି ସର୍ବଦଳୀୟ ବୈଠକ କରିପାରନ୍ତି ।

ଏହା ପୂର୍ବରୁ ନଭେମ୍ୱର ୨ରେ ପ୍ରଦତ୍ତ ସୂଚନା ଅନୁସାରେ ସଂସଦର ଶୀତ ଅଧିବେଶନ ୱାନ୍ ନେସନ୍ ୱାନ୍ ଇଲେକ୍ସନ ଏବଂ ୱାକଫ୍ ଆଇନରେ ସଂଶୋଧନ ପାଇଁ ଆଗତ ବିଧେୟକ ଉପରେ ଚର୍ଚ୍ଚା ହୋଇପାରେ । ବିରୋଧୀଙ୍କ ଆକ୍ରାମକ ଅଭିମୁଖ୍ୟ ଦେଖି ଆଗାମୀ ଶୀତ ଅଧିବେଶନରେ ଜୋରଦାର ହଙ୍ଗାମା ହୋଇପାରେ ।

ଅଧିବେଶନରେ ଗୋଟିଏ ଦିନ ଗୃହର ସାଂସଦ ସଂସଦର ପୁରୁଣା ବିଲ୍ଡିଂରେ ବସି ପାରନ୍ତି । ନଭେମ୍ୱର ୨୬ରେ ଲୋକସଭା ଏବଂ ରାଜ୍ୟସଭାର ମିଳିତ ଅଧିବେଶନ ଡକାଯାଇପାରେ । ଭାରତର ସମ୍ବିଧାନ ସଭା ଦ୍ୱାରା ସମ୍ବିଧାନ ଗୃହୀତ ହେବାର ୭୫ ବର୍ଷ ପୂର୍ତ୍ତି ଅବସରରେ ସଂସଦର ମିଳିତ ଅଧିବେଶନ ହୋଇପାରେ । ଦିନିକିଆ ସଂଯୁକ୍ତ ଅଧିବେଶନ ପୁରୁଣା ସଂସଦ ଭବନରେ ହୋଇପାରେ । ଏହି ସ୍ପେଶାଲ୍ ଜଏଣ୍ଟ ସିଟିଂ ପାଇଁ ପୁରୁଣା ସଂସଦ ଭବନର ସେଣ୍ଟ୍ରାଲ୍ ହଲ୍ ସ୍ଥିତି ସମ୍ୱିଧାନ ଭବନରେ ବ୍ୟବସ୍ଥା କରାଯାଇପାରେ । ଏହି ସ୍ଥାନରେ ୧୯୪୯ ନଭେମ୍ୱର ୨୬ ତାରିଖରେ ସମ୍ୱିଧାନକୁ ଗ୍ରହଣ କରାଯାଇଥିଲା । ଏଥିପାଇଁ ନଭେମ୍ୱର ୨୬କୁ ସାରା ଦେଶରେ ସମ୍ୱିଧାନ ଦିବସ ରୂପେ ପାଳନ କରାଯାଉଛି । ନଭେମ୍ୱର ୨୬କୁ ପୂର୍ବେ ରାଷ୍ଟ୍ରୀୟ ଆଇନ ଦିବସ ରୂପେ ପାଳନ କରାଯାଉଥିଲା, କିନ୍ତୁ ୨୦୧୫ରେ ମୋଦୀ ସରକାର ଏହି ଦିନକୁ ସମ୍ୱିଧାନ ଦିବସ ରୂପେ ପାଳନ କରିବା ପାଇଁ ଘୋଷଣା କରିଥିଲେ । ୧୯୫୦ ଜାନୁଆରୀ ୨୬ରେ ଭାରତୀୟ ସମ୍ୱିଧାନ ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରାଯାଇଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.