ବିମାନରେ ମହିଳାଙ୍କ ହାଇଡ୍ରାମା, କାମୁଡିଦେଲେ ସୁରକ୍ଷାକର୍ମୀଙ୍କ ହାତ

Published By : Prameya-News7 Bureau | June 18, 2024 IST

india today

ନୂଆଦିଲ୍ଲୀ: ଲକ୍ଷ୍ନୌରେ ଏକ ବିମାନ ଭିତରକୁ ଯିବାକୁ ଚେଷ୍ଟା କରୁଥିବାବେଳେ ଜଣେ ସୁରକ୍ଷାକର୍ମୀଙ୍କ ହାତ କାମୁଡିଦେଲେ ଜଣେ ମହିଳା। ଏପରିକି ସେହି ମହିଳା ଜଣକ ବିମାନ କ୍ରିଉ ଏବଂ ଅନ୍ୟ ଯାତ୍ରୀଙ୍କ ସହ ଅସଦାଚରଣ କରିଥିଲେ। ମୁମ୍ବାଇ ଅଭିମୁଖେ ଯାଉଥିବା ଏକ ଅକାସା ବିମାନରେ ଏହି ଘଟଣା ଘଟିଛି।

ଲକ୍ଷ୍ନୌ ଯୁଗ୍ମ ପୋଲିସ କମିଶନର ଆକାଶ କୁଲହରିଙ୍କ ଅନୁଯାୟୀ ମହିଳାଙ୍କ ମାନସିକ ଅବସ୍ଥା ଭଲ ନଥିଲା। ସେ ବିମାନରେ ଥିବା ଅନ୍ୟ ଯାତ୍ରୀଙ୍କ ସହ ଝଗଡା କରୁଥିଲେ। ଯେତେବେଳେ ଯାତ୍ରୀମାନେ କର୍ମଚାରୀଙ୍କ ନିକଟରେ ଅଭିଯୋଗ କରିଥିଲେ, ବିମାନ ଭିତରେ ସ୍ଥିତି ଆହୁରି ବିଗିଡି ଯାଇଥିଲା। ପରେ ମହିଳା ଯାତ୍ରୀଙ୍କୁ ବିମାନରୁ ବାହାର କରିଦିଆଯାଇଥିଲା।

ତେବେ ସେ ଯିବାକୁ ମନା କରି ବିମାନରେ ଜବରଦସ୍ତ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଯେତେବେଳେ ସିକ୍ୟୁରିଟି ଗାର୍ଡ ତାଙ୍କୁ ଅଟକାଇବାକୁ ଚେଷ୍ଟା କଲେ, ମହିଳା ଜଣଙ୍କ ମଧ୍ୟ ତାଙ୍କୁ ଆକ୍ରମଣ କରି ତାଙ୍କ ହାତକୁ କାମୁଡି ଦେଇଥିଲେ। ପୋଲିସକୁ ଘଟଣାସ୍ଥଳକୁ ପହଞ୍ଚିବା ପରେ ତାଙ୍କୁ ବିମାନର ମହିଳା କର୍ମଚାରୀମାନେ ହସ୍ତାନ୍ତର କରିଥିଲେ।

ଏହି ମାମଲାରେ ଭାରତୀୟ ଦଣ୍ଡ ସଂହିତା (ଆଇପିସି)ର ଧାରା ୫୦୪ (ଉଦ୍ଦେଶ୍ୟମୂଳକ ଭାବେ ଅପମାନିତ କରିବା କିମ୍ବା ଜନସାଧାରଣ ସ୍ଥାନରେ ଶାନ୍ତି ଭଙ୍ଗ କରିବା) ମାମଲା ରୁଜୁ ହୋଇଛି। ଲକ୍ଷ୍ନୌ ଯୁଗ୍ମ ସିପି କୁଲହରି କହିଛନ୍ତି ଯେ ମହିଳାଙ୍କ ମାନସିକ ସ୍ଥିତି ଭଲ ଅଛି କି ନାହିଁ ତାହା କେବଳ ଡାକ୍ତରୀ ପରୀକ୍ଷା ପରେ ସ୍ପଷ୍ଟ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.