ଜଳେଶ୍ବର ୨୮।୧: ସ୍କୁଟରକୁ ଧକ୍କା ଦେଲା କଣ୍ଟେନର । ଚାଳକଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଥିବା ବେଳେ ଚାଳକ ଅଳ୍ପକେ ରକ୍ଷା ପାଇଯାଇଛନ୍ତି । ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଭେଲୋରା ବାଇପାସ୍ ନିକଟରେ ଘଟିଛି ଦୁର୍ଘଟଣା । ଘଟଣାସ୍ଥଳରେ ଉତ୍ତେଜନା ଜାରି ରହିଥିବା ବେଳେ ରାସ୍ତା ଅବରୋଧ କରିଛନ୍ତି ଉତ୍ତ୍ୟକ୍ତ ଲୋକ ।
ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସକାଳ ସମୟର ସ୍କୁଟର ଯୋଗେ ଜବୁ ବକର ସିଦ୍ଦିକି ଏବଂ ତାଙ୍କର ସ୍ତ୍ରୀ କରିଶ୍ମା ଖାତୁନ ଚନ୍ଦନେଶ୍ଵରରୁ ସୋର ଅଭିମୁଖେ ଯାଉଥିଲେ । ଏହି ସମୟରେ ୬୦ନଂ ଜାତୀୟ ରାଜପଥ ଭେଲୋରା ନିକଟରେ ସ୍କୁଟରକୁ ପଛପଟୁ କଣ୍ଟେନର ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ସ୍ତ୍ରୀ କରିସ୍ମାଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ ଜବୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ସ୍ଥାନୀୟ ଲୋକେ ଘଟଣାସ୍ଥଳରେ କଣ୍ଟେନରକୁ ଅଟକ ରଖି ଥାନାକୁ ହସ୍ତାନ୍ତର କରିଥିଲେ ।
ତେବେ ଦୀର୍ଘ ୧୫ ବର୍ଷ ଧରି ଭେଲୋରା ଛକ ଠାରେ ନିର୍ମାଣାଧୀନ ରାଜପଥ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ଦାବି କରି ରାସ୍ତା ଅବରୋଧ କରାଯାଇଛି । ଆନ୍ଦୋଳନକାରୀ ମାନେ ରାଜପଥ ପ୍ରୋଜେକ୍ଟ ଡାଇରେକ୍ଟରଙ୍କ ମତାମତ ଅପେକ୍ଷାରେ ଥିବା ବେଳେ ଘଟଣାସ୍ଥଳରେ ବସ୍ତା ତହସିଲଦାର ରାଧରଞ୍ଜନ୍ ଦାସ, ଏସଡିପିଓ ବ୍ରଜ ମୋହନ ପ୍ରଧାନ ପହଞ୍ଚି ଆନ୍ଦୋଳନ କାରୀଙ୍କ ସହ ଆଲୋଚନା ପରେ ଦୀର୍ଘ ଦୁଇ ଘଣ୍ଟା ପରେ ଆନ୍ଦୋଳନ ପ୍ରଶମିତ ହୋଇଥିଲା।
You Can Read:
ଅଚାନକ ସ୍କୁଲରେ ପହଞ୍ଚିଗଲେ ବିଡ଼ିଓ, ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟ୍ ବୋର୍ଡରେ ପଢ଼ାଇଲେ ପାଠ