ସୋର୧୯/୧: ପୁଣି ଯୌତୁକ ଜୁଇରେ ଜଳିଲେ ମହିଳା । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ । ସୋର ଔପଦା ଥାନା ବାଙ୍ଗୁରୁ ଗାଁରୁ ଆସିଛି ସଂଗୀନ ଅଭିଯୋଗ । ମୃତକ ସ୍ଥାନୀୟ ଅଞ୍ଚଳର ବିପିନ ବିହାରୀ ପଣ୍ଡାଙ୍କ ପତ୍ନୀ ଆରତୀ ।
ଅଭିଯୋଗ ମୁତାବକ ଖଇରା ବ୍ଲକ ବରଦା ପଞ୍ଚାୟତ ବିଷ୍ଣୁପୁର ଗାଁର ପରୀକ୍ଷିତ ପଣ୍ଡାଙ୍କ ଝିଅ ଆରତୀ,ଔପଦା ବାଙ୍ଗୁରୁ ଗାଁର ବିପିନ ବିହାରୀଙ୍କୁ ବିବାହ କରିଥିଲେ । ତେବେ ବିବାହ ସମୟରେ ପୁଅ ଘର ଦାବି ଅନୁଯାୟୀ ପରୀକ୍ଷିତ ନଗଦ ୩ ଲକ୍ଷ ଟଙ୍କା ସହ ସୁନା ଚେନ,ମୁଦି,ନେକଲେସ ଆଦି ଝିଅକୁ ଦିଆଯାଇଥିଲା । ହେଲେ ଏତିକିରେ ସନ୍ତୁଷ୍ଟ ହୋଇନଥିଲେ ଶାଶୁଘର ଲୋକେ । ବାହାଘର କିଛି ମାସ ପରେ ପୁଣି ୩ ଲକ୍ଷ ଆଣିବାକୁ ଆରତିଙ୍କୁ ବାଧ୍ୟ କରିଥିଲେ ଶାଶୁଘର ଲୋକେ । ସେ ଏଥିରେ ରାଜି ନହେବାରୁ ତାଙ୍କୁ ନିର୍ଯାତନା ଦିଆଯାଇଥିଲା । ଶାଶୁଘର ଲୋକଙ୍କ ନିର୍ଯାତନା ସହିନପାରି ବାପ ଘରକୁ ପଳାଇ ଆସିଥିଲେ ଆରତୀ ।
ତେବେ ୧୫ ଦିନ ପରେ ସ୍ବାମୀ ଓ ଶ୍ବଶୁର ଆସି ବୁଝାସୁଝା କରି ଆରତୀଙ୍କୁ ଶାଶୁ ଘରକୁ ଫେରାଇ ନେଇଥିଲେ । ହେଲେ ପରିସ୍ଥିତିରେ କିଛି ସୁଧାର ଆସିନଥିଲା । ପୁଣି ବାପ ଘରୁ ପଇସା ଆଣିବାକୁ ବାଧ୍ୟ କରିଥିଲେ ଶାଶୁ ଘର ଲୋକ । ଘରର ଅଭାବ ଅସୁବିଧାକୁ ଦେଖି ଶନିବାର ସକାଳ ୮ଟାରେ ବାପ ଘରୁ ଶାଶୁ ଘରକୁ ପଳାଇ ଆସିଥିଲେ ଆରତୀ । ହେଲେ ରାତି ୯ଟାରେ ଆରତୀଙ୍କ ଦେହ ଅସୁସ୍ଥ ଥିବା ନେଇ ବାପଘରକୁ ଫୋନ୍ ଯାଇଥିଲା । ଖବର ପାଇ ପରିବାର ଲୋକ ଡାକ୍ତରଖାନାରେ ପହଞ୍ଚିଲା ବେଳକୁ ଆଉ କିଛି ନଥିଲା । ହସ୍ପିଟାଲରେ ଆରତୀଙ୍କ ମୃତଦେହ ପଡିଥିଲା । ହେଲେ ପାଖରେ ଶାଶୁ ଶ୍ବଶୁର ସ୍ବାମୀ ଓ ନଣନ୍ଦ କେହିନଥିଲେ । ପୋଲିସ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଛାନ୍ଭିନ୍ ଆରମ୍ଭ କରିଛି ।