ତମେ ମୋ କଥା ଶୁଣିଲନି…ମୁଁ ଯାଉଛି…ଏମିତି ଚିଠି ଲେଖି ବିଷ ପିଇଦେଲେ ସଂଜୁଲତା

Published By : Prameya-News7 Bureau | February 12, 2025 IST

ସୋର ୧୨/୨: ତମେ ମଦ ପିଅନି । ଏଇ ନିଶା ପିଇଲେ ଦେହ ଖରାପ ହେଉଛି । ତମେ ଭଲରେ ନରହିଲେ ଆମ ସଂସାର କେମିତି ଚାଲିବ। ଏମିତି କେତେ କଥା କହି ଅନାଦିଙ୍କୁ ବୁଝାଇଥିଲେ ସଂଜୁଲତା । ଭଲରେ ନଶୁଣିବାରୁ ତାଗିଦ କଲେ । ଝଗଡା କଲେ । ଜୀବନ ହାରିଦେବାର ଧମକ ବି ଦେଲେ ହେଲେ ଅନାଦିଙ୍କ ଉପରେ କୌଣସି ଫରକ ପଡିଲାନି । ସେ ସବୁଦିନ ମଦ ପିଇ ଘରକୁ ଫେରି ସଂଜୁଲତାଙ୍କୁ ବାଡିଆପିଟା କରୁଥିଲେ । ଶେଷରେ ଅନାଦିଙ୍କ ଉପରେ ଅଭିମାନ କରି ସବୁଦିନ ପାଇଁ ଆଖିବୁଜିଦେଇଛନ୍ତି ସଂଜୁଲତା । ସୋର ଉତ୍ତରେଶ୍ବରର ଘଟଣାକୁ ନେଇ ଏବେ ସବୁଠି ଆଲୋଡନ । 

ମଙ୍ଗଳବାର ରାତିରେ ମଦକୁ ନେଇ ଉଭୟ ସଂଜୁଲତା ଓ ଅନାଦିଙ୍କ ମଧ୍ୟରେ ଝଗଡା ହୋଇଥିଲା । ସକାଳୁ ଅନାଦି ପୁଣି ମଦ ପିଇବାକୁ ଚାଲିଯାଇଥିଲେ । ମଦ ନିଶାରେ ଫେରିଲା ବେଳକୁ ଆଉ କିଛି ନଥିଲା । ଘର ଭିତରେ ସଂଜୁଲତା ପ୍ରଥମେ ବିଷ ପିଇବା ସହ ବେକରେ ରଶି ଲଗାଇ ଝୁଲିପଡିଥିଲେ । ସଂଜୁଲତା କବାଟ ନଖୋଲିବାରୁ ଗାଁ ଲୋକଙ୍କୁ ଡାକିଥିଲେ ଅନାଦି ।  ଘରର କବାଟ ଭାଙ୍ଗିବା ପରେ ସମସ୍ତେ ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସଂଯୁକ୍ତା ମୃତଦେହ ଝୁଲୁଥିଲା । ତାଙ୍କୁ ମେଡିକାଲ ଅଣାଯାଇଥିଲା । ସେଠାରେ ମୃତ ଘୋଷଣା କରିଥିଲେ ଡାକ୍ତର । ତେବେ ମୃତ୍ୟୁ ପୂର୍ବରୁ ସଂଜୁଲତା ଏକ ଚିଠି ଛାଡି ଯାଇଥିଲେ । ଯେଉଁଥିରେ ସେ ଅନାଦି ମଦ ପିଇବା ନଛାଡିବାରୁ ଆତ୍ମହତ୍ୟା କରିଥିବା ସ୍ପଷ୍ଟ ଉଲ୍ଲେଖ କରିଛନ୍ତି । ପୋଲିସ ମୃତଦେହ ଜବତ କରି ଛାନ୍‌ଭିନ୍‌ କରୁଛି । ଏହି ଘଟଣା ପ୍ରଥମ ନୁହେଁ ମଦ ନିଶା ଏମିତି କେତେ ଯେ ସଂସାର ଉଜାଡିଛି ତାର ହିସାବ ନାହିଁ । 

 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.