ନୂଆଦିଲ୍ଲୀ ୨୭।୨: ବିଶ୍ୱ ବ୍ୟାଙ୍କ ସବୁ ବର୍ଷ ସବୁଠୁ ଧନୀ ଓ ସବୁଠୁ ଗରିବ ଦେଶଙ୍କ ତାଲିକା ଜାରି କରନ୍ତି। ଏହିକ୍ରମରେ ୨୦୨୪-୨୫ ବର୍ଷ ନିମନ୍ତେ ବିଶ୍ୱବ୍ୟାଙ୍କ ତାଲିକା ଜାରି ହୋଇଛି। ବିଶ୍ୱବ୍ୟାଙ୍କ ଜିଡିପି ଆଧାରରେ ସବୁଠୁ ଗରିବ ଓ ସବୁଠୁ ଧନୀ ଦେଶଙ୍କ ତାଲିକା ଜାରି କରିଛନ୍ତି। ଜିଡିପି ହିଁ ଏକମାତ୍ର ମାଧ୍ୟମ ଯେଉଁଥିରୁ କୌଣସି ଦେଶର ହାରାହାରି ପ୍ରତିବ୍ୟକ୍ତି ଆର୍ଥିକ ସ୍ଥିତିର ଅନୁମାନ କରାଯାଇ ପାରେ। ପ୍ରତିବ୍ୟକ୍ତି ଜିଡିପି ଯେତିକି କମ୍ ରହିବ ସେହି ଦେଶ ସେତିକି ଗରିବ ବୋଲି ଆକଳନ କରାଯାଏ।
ବିଶ୍ୱର ଗରୀବ ଦେଶମାନଙ୍କୁ ଅନେକ ଆହ୍ୱାନର ସମ୍ମୁଖୀନ ହେବାକୁ ପଡୁଛି, ଯେଉଁଥିରେ ବୈଶ୍ୱିକ ସଂଘର୍ଷରୁ ଆରମ୍ଭ କରି ଦୁର୍ନୀତି ଓ ଆର୍ଥିକ ଅସ୍ଥିରତା ମଧ୍ୟ ରହୁଛି। ଯେଉଁପରି ବିଶ୍ୱର ସବୁଠୁ ଧନୀ ଦେଶର ତାଲିକା ଦେଖିବା ପାଇଁ ସମସ୍ତଙ୍କ ମନରେ ଆଗ୍ରହ ଥାଏ ଠିକ୍ ସେହିପରି ଗରିବ ଦେଶଙ୍କ ତାଲିକାକୁ ମଧ୍ୟ ଅପେକ୍ଷା କରାଯାଇଥାଏ। ବିଶ୍ୱବ୍ୟାଙ୍କ ଏହି ତାଲିକା ଏବେ ଜାରି କରିଛନ୍ତି। ତେବେ ଆସନ୍ତୁ ଜାଣିବା ବିଶ୍ୱର ସବୁଠୁ ଗରିବ ଦେଶଙ୍କ ସୂଚୀରେ କେଉଁ ୧୦ ଦେଶ ଅଛନ୍ତି?
ଗରିବ ଦେଶଙ୍କ ଏହି ତାଲିକାର ସବୁଠୁ ପ୍ରଥମ ସ୍ଥାନରେ ରହିଛି ଦକ୍ଷିଣ ସୁଦାନ। ଦେଶର ଜିଡିପି ମାତ୍ର ୪୫୫ ଡଲାର ବୋଲି କୁହାଯାଇଛି। ସେହିପରି ଗରିବ ଦେଶଙ୍କ ଟପ୍ ୧୦ ସୂଚୀର ଦ୍ୱିତୀୟ ସ୍ଥାନରେ ରହିଛି ବୁରୁନ୍ଦି। ଦେଶର ଜିଡିପି ମାତ୍ର ୯୧୬ ଡଲାର। ଏହି ତାଲିକାରେ ୧,୧୨୩ ଜିଡିପି ସହିତ ମଧ୍ୟ ଆଫ୍ରିକୀୟ ଗଣରାଜ୍ୟ (ସିଏଆର) ତୃତୀୟ ସ୍ଥାନରେ ରହିଛି। ଏହା ପଛକୁ ଚତୁର୍ଥ ସ୍ଥାନରେ ରହିଛ କଙ୍ଗୋ ରିପବ୍ଲିକ ଡେମୋକ୍ରାଟିକ (ଡିଆରସି)। କଙ୍ଗୋର ଜିଡିପି ୧,୧୫୨ ଡଲାର ରହିଛି।
ପଞ୍ଚମ ସ୍ଥାନରେ ମୋଜାମ୍ବିକକୁ ମିଳିଛି। ଦେଶର ଜିଡିପି ମାତ୍ର ୧,୬୪୯ ଡଲାର। ଏହି ଲିଷ୍ଟରେ ନାଇଜର ବି ରହିଛି। ନାଇଜରର ଜିଡିପି ୧,୬୭୫ ଡଲାର ହୋଇଥିବା ବେଳେ ତାଲିକାର ଷଷ୍ଠ ସ୍ଥାନରେ ରହିଛି। ସପ୍ତମ ସ୍ଥାନରେ ମଲାଭି ଅଛି। ଦେଶର ଜିଡିପି ୧,୭୧୨ ଡଲାର। ଲାଇବେରିଆ ଏହି ତାଲିକାର ଅଷ୍ଟମ ସ୍ଥାନରେ ରହିଛି। ଲାଇବେରିଆର ଜିଡିପି ୧,୮୮୨ ଡଲାର। ଗରୀବ ଦେଶଙ୍କ ସୂଚୀର ନବମ ସ୍ଥାନରେ ମେଡାଗାସ୍କର। ଦେଶର ଜିଡିପି ୧,୯୭୯। ଟପ-୧୦ ଗରୀବ ଦେଶଙ୍କ ସୂଚୀର ଦଶମ ସ୍ଥାନରେ ରହିଛି ୟେମେନ ଓ ଦେଶର ଜିଡିପି ୧,୯୯୬ ଡଲାର ବୋଲି ସୂଚିତ କରାଯାଇଛି।