ବିପଦଜ୍ଜନକ ହୋଟେଲ୍‌; ଚାରିପାଖେ ଜଗି ରହିଥାନ୍ତି ବିରାଟକାୟ ସାର୍କ, ଏଠାକୁ ଯିବାର ଭରସା କେବଳ ହେଲିକପ୍ଟର

Published By : Prameya-News7 Bureau | December 14, 2024 IST

ନୂଆଦିଲ୍ଲୀ ୧୪।୧୨: ସମସ୍ତେ ପ୍ରାୟ ଦୈନନ୍ଦିନ ଜୀବନରୁ ବ୍ରେକ୍‌ ପାଇଁ ଛୁଟିରେ ଯାଇଥାନ୍ତି । ବୁଲିବାକୁ ରୋମାଞ୍ଚକର ସ୍ଥାନ ଏବଂ ରହିବାକୁ ଭଲ ହୋଟେଲ୍‌ ଖୋଜନ୍ତି । ଆଉ ଏହି ହୋଟେଲ୍‌ ଯଦି ସମୁଦ୍ର ମଝିରେ ଥାଏ ତେବେ ଏହା ତ ବହୁତ ଖାସ୍‌ ହୋଇଥାଏ । କିନ୍ତୁ ଦୁନିଆର ଏପରି ଏକ ହୋଟେଲ୍‌ ରହିଛି ଯେଉଁଠିକୁ ଯିବାକୁ ଡରନ୍ତି ଲୋକେ । କାରଣ ଏଠାକୁ ଯିବାକୁ ନା ଗାଡିର ସୁବିଧା ଥାଏ, ନା ଜାହାଜର । କେବଳ ହେଲିକ୍ୟାପଟର ହିଁ ଏଠାକୁ ଯିବାର ଭରସା । ସବୁଠାରୁ ବଡ କଥା ହେଉଛି ଏଠାରେ ଲୋକଙ୍କର ପହରା ଦେଇଥାନ୍ତି ଭୋକିଲା ସାର୍କ ।  

ହୋଟେଲର ନାଁ ହେଉଛି ଫ୍ରାଇଙ୍ଗ୍ ପେନ୍‌ ଟାଓ୍ବର । ଏହାକୁ ଦୁନିଆର ସବୁଠାରୁ ଖତରନାକ ହୋଟେଲ୍‌ କୁହାଯାଏ । ଏହି ଅନନ୍ୟ ହୋଟେଲ୍‌ ଆମେରିକାର ନର୍ଥ କେରୋଲିନାର ତଟରୁ ପାଖାପାଖି ୫୫ କିମି ଦୂରରେ ରହିଛି । ଏଠାରେ ଆପଣଙ୍କ ସାମ୍ନା ସାର୍କଙ୍କ ପରି ଖତରନାକ ମାଛର ହୋଇପାରେ । ଏହାପୂର୍ବରୁ ଏକ କୋଷ୍ଟଗାର୍ଡ ଲାଇଟ୍ ଷ୍ଟେସନ୍ ଭାବରେ କାମ କରୁଥିଲା । ଯାହା ବର୍ତ୍ତମାନ ସୋଲାର-ପାଓ୍ବର ଚାଳିତ ଠିକଣାରେ ପରିଣତ ହୋଇସାରିଛି । ଏହି ସ୍ଥାନ ଆଡଭେନ୍ଚର୍ସ ଲଭରଙ୍କ ପାଇଁ କୌଣସି ସ୍ୱପ୍ନଠାରୁ କମ୍ ନୁହେଁ । 

ଏହି ଟାୱାରରେ ପହଞ୍ଚିବା ପରେ ଦୂର ସମୁଦ୍ରର ସୌନ୍ଦର୍ଯ୍ୟ ଏବଂ ଏପରି ଏକ ଅନୁଭବ ମିଳିବ ଯାହା ଆପଣଙ୍କୁ ଦୁନିଆଠାରୁ ବହୁତ ଦୂରକୁ ନେଇଯିବ । ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ଅନେକ ମଜାଳିଆ ଆକ୍ଟିଭିଟି କରିବାର ସୁଯୋଗ ପାଇଥାନ୍ତି । ସେ ମାଛ ଧରିବା ହେଉ କିମ୍ବା ହେଲିକପ୍ଟରରୁ ହେଲିପ୍ୟାଡରେ ଇକୋ-ଫ୍ରେଣ୍ଡଲି ଗଲ୍ଫ ଖେଳିବା ହେଉ । ସବୁକିଛି ହୋଇଥାଏ ଖୁବ୍‌ ରୋମାଞ୍ଚକର । ଏହାବ୍ୟତୀତ ଟାୱାରରେ ରହି ଆପଣ ସୋଲାର ଚାଳିତ ଅନେକ ସୁବିଧାକୁ କରିପାରିବେ ଉପଭୋଗ । 

ଜଣେ ବ୍ୟକ୍ତିଙ୍କ ପାଇଁ ଏଠାରେ ରହିବାର ଦାମ୍‌ ପ୍ରାୟ ୪୯୮ ଡଲାର । ଅର୍ଥାତ୍‌ ଭାରତୀୟ ମୂଲ୍ୟରେ ପ୍ରାୟ ୫୦ ହଜାର ଟଙ୍କା । ଏହି ଦାମ୍‌ରେ ଆପଣ ୩ଦିନ ପାଇଁ ସମସ୍ତ ସୁବିଧା ପାଇପାରିବେ । ଏଥିରେ ସାତୋଟି ରୁମ୍‌, ରୋଷେଇ ଘର, ଷ୍ଟୋର ରୁମ୍, ଅଫିସ୍, ମନୋରଞ୍ଜନ କ୍ଷେତ୍ର ଏବଂ ଶୌଚାଳୟ ଇତ୍ୟାଦି ରହିଛି ।

 ଏହାବ୍ୟତୀତ ହୋଟେଲର ଛାତ ଉପରେ ଏକ ହେଲିପ୍ୟାଡ୍ ଏବଂ ଅଣ୍ଡର ୱାଟର କ୍ୟାମେରା ଲଗାଯାଇଛି । ଯାହା ସେହି ସ୍ଥାନର ଲାଇଭ୍ ଫୁଟେଜ୍ ଦେକାଇଥାଏ । ତେବେ ୨୦୧୦ରେ ରିଚାର୍ଡ ନିଲ୍ ଏହି ଟାୱାରକୁ କୋଷ୍ଟଗାର୍ଡ ଲାଇଟ୍ ଷ୍ଟେସନରୁ ଏକ ହୋଟେଲରେ ପରିବର୍ତ୍ତନ କରିଥିଲେ । ସେହି ଦିନଠାରୁ ଏହା ଆଡଭେଞ୍ଚର ପ୍ରେମୀଙ୍କ ପାଇଁ ଏକ ହଟସ୍ପଟ ପାଲଟିଛି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.