ବାଲିଯାତ୍ରା ୨୦୨୫
LIVE TV

ନିଜେ କାର ଚଳାଇ ଧର୍ମେନ୍ଦ୍ରଙ୍କୁ ଭେଟିବାକୁ ତାଙ୍କ ଘରକୁ ଗଲେ ଅମିତାଭ ବଚ୍ଚନ

NEWS7
youth-critical-after-collision-between-scooty-and-truck

ମୁମ୍ବାଇ ୧୨।୧୧: ଭେଟେରାନ ବଲିଉଡ ଅଭିନେତା ଧର୍ମେନ୍ଦ୍ର ଗତ କିଛିଦିନ ହେଲା ଅସୁସ୍ଥ ଥିଲେ। ତାଙ୍କୁ ମୁମ୍ବାଇର ବ୍ରିଚ୍ କାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ୧୨ ନଭେମ୍ବର ବୁଧବାର ସକାଳେ ଧର୍ମେନ୍ଦ୍ରଙ୍କୁ ହସ୍ପିଟାଲରୁ ଛୁଟି ଦିଆଯାଇଥିବା ବେଳେ ଲୋକେ ତାଙ୍କୁ ଭେଟିବାକୁ ଓ ତାଙ୍କ ହାଲଚାଲ ଜାଣିବାକୁ ଘରକୁ ଯାଉଛନ୍ତି। ଏହିକ୍ରମରେ ଧର୍ମେନ୍ଦ୍ରଙ୍କୁ ତାଙ୍କ ବନ୍ଧୁ ତଥା ବଲିଉଡ ବିଗ୍-ବି ଅମିତାଭ ବଚ୍ଚନ ମଧ୍ୟ ଭେଟିଛନ୍ତି। ବିଗ୍-ବିଙ୍କ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ସେ ନିଜେ କାର ଚଳାଇ ଧର୍ମେନ୍ଦ୍ରଙ୍କ ଘରେ ପହଞ୍ଚିଥିଲେ।

ଧର୍ମେନ୍ଦ୍ର ଓ ଅମିତାଭ ବଚ୍ଚନ ଉଭୟ ବଲିଉଡ ଇଣ୍ଡଷ୍ଟ୍ରିର ବଡ଼ ନାମ। ପର୍ଦ୍ଦାରେ ଦୁଇଜଣଙ୍କ ଯୋଡିକୁ ଦର୍ଶକେ ପସନ୍ଦ କରନ୍ତି। ୧୯୭୫ ମସିହାରେ ମୁକ୍ତି ଲାଭ କରିଥିବା ଫିଲ୍ମ ‘ସୋଲେ’ରେ ଦୁଇ ବନ୍ଧୁ ଏକାଠି କାମ କରିଥିଲେ। ଏହି ଫିଲ୍ମଟି ଆଜିବି ଲୋକଙ୍କ ପ୍ରଥମ ପସନ୍ଦ ହୋଇ ରହିଛି। ଏଥିରେ ଅମିତାଭ ବଚ୍ଚନ ଜୟ ଓ ଧର୍ମେନ୍ଦ୍ର ବିରୁ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମରେ ଜୟ-ବିରୁଙ୍କ ଯୋଡି ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଥିଲା।

ବୁଧବାର ଅମିତାଭ ଯେମିତି ଜାଣିବାକୁ ପାଇଲେ ଧର୍ମେନ୍ଦ୍ର ହସ୍ପିଟାଲରୁ ଘରକୁ ଫେରିଛନ୍ତି ସେ ତାଙ୍କୁ ଭେଟିବାକୁ ତାଙ୍କ ଘରେ ପହଞ୍ଚି ଯାଇଥିଲେ। ଅମିତାଭଙ୍କ ପୂର୍ବରୁ ଲୋକପ୍ରିୟ ଟିଭି ସିରିୟେଲ ‘ତାରକ ମେହେଟ୍ଟା ଉଲଟା ଚଷମା’ ପ୍ରଡ୍ୟୁସର ଅତୀସ ମୋଦି ଧର୍ମେନ୍ଦ୍ରଙ୍କୁ ଭେଟିବାକୁ ତାଙ୍କ ଘରକୁ ଆସିଥିଲେ। ଏହା ପରଠାରୁ ଅନ୍ୟ କଳାକାରମାନେ ମଧ୍ୟ ତାଙ୍କଘରେ ପହଞ୍ଚିବାରେ ଲାଗିଛନ୍ତି। ଗତ ସୋମବାର ଧର୍ମେନ୍ଦ୍ର ଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଛି ବୋଲି ଖବର ପ୍ରସାରିତ ହୋଇଥିଲା, ଏହା ତାଙ୍କ ଫ୍ୟାନସଙ୍କୁ ଚିନ୍ତାରେ ପକାଇ ଦେଇଥିଲା।

ହସ୍ପିଟାଲରେ ଧର୍ମେନ୍ଦ୍ର ଆଡମିଟ୍ ଥିବା ବେଳେ ପୁରା ଦେଓଲ ପରିବାର ତାଙ୍କ ସହ ହସ୍ପିଟାଲରେ ଥିଲେ। ଗୋବିନ୍ଦା, ଶାହରୁଖ ଖାନ, ସଲମାନ ଖାନ, ଅମୀର ଖାନ, ଅମିଷା ପଟେଲ ଆଦି ଧର୍ମେନ୍ଦ୍ରଙ୍କୁ ହସ୍ପିଟାଲରେ ଭେଟିଥିଲେ। ଏବେ ଧର୍ମେନ୍ଦ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ପୂର୍ବାପେକ୍ଷା ବେଶ୍ ଭଲ ଅଛି। ଏଣୁ ଡାକ୍ତର ତାଙ୍କୁ ହସ୍ପିଟାଲରୁ ଛାଡି ଦେଇଛନ୍ତି। ଆଗକୁ ସେ ଘରେ ରହି ସୁସ୍ଥ ହେବେ। ତାଙ୍କ ଚିକିତ୍ସା ଘରେ କରାଯିବ। ଧର୍ମେନ୍ଦ୍ରଙ୍କୁ ଭେଟିବା ପାଇଁ ତାଙ୍କ କଜିନ ତଥା ଚଳଚିତ୍ର ନିର୍ମାତା ଗୁଡ୍ଡୁ ଧନୱା ଘରକୁ ଆସିଥିଲେ। ଧର୍ମେନ୍ଦ୍ରଙ୍କୁ ଭେଟିବା ପରେ ଗଣମାଧ୍ୟମ ସହ ଆଲୋଚନାରେ ସେ ସୁସ୍ଥ ହେଉଥିବା କହିଛନ୍ତି।ତେବେ ଧର୍ମେନ୍ଦ୍ରଙ୍କ କଣ ହୋଇଥିଲା ସେ ନେଇ ସେ କିଛି କହି ପାରିନାହାନ୍ତି।