ପଟ୍ଟାମୁଣ୍ଡାଇ ୨୨।୪: ଘରୋଇ ଫାଇନାନ୍ସ କମ୍ପାନୀ ଚାପରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଡାମରପୁର ଗ୍ରାମରେ । ମୃତ ଯୁବକ ପଟ୍ଟାମୁଣ୍ଡାଇ ବ୍ଲକ ଡାମରପୁର ଗ୍ରାମର ପ୍ରକାଶ ମାଝୀ । ଫାଇନାନ୍ସ କର୍ମଚାରୀଙ୍କ ଚାପ ସହିନପାରି ରସି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଫାଇନାନ୍ସ କମ୍ପାନୀ କର୍ମଚାରୀ ମାନେ ସୋମବାର ରାତି ଯାଏ ଘର ସମ୍ମୁଖରେ ଜାତିଆଣ ଆକ୍ଷେପ କରିବା ସହିତ ଗାଳିଗୁଲଜ କରିଥିବା ନେଇ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କଲେ ମୃତକଙ୍କ ସ୍ତ୍ରୀ ।
ସୂଚନାଯୋଗ୍ୟ ଯେ, ଏକ ଘରୋଇ ଫାଇନାନ୍ସ ପ୍ରାଇଭେଟ୍ କମ୍ପାନୀର କର୍ମଚାରୀ ମାନେ ସୋମବାର ବିଳମ୍ବିତ ରାତି ଯାଏଁ ମୃତ ପ୍ରକାଶଙ୍କ ଘର ସମ୍ମୁଖରେ କିସ୍ତି ଟଙ୍କା ପାଇଁ ଜୁଲମ କରିଥିଲେ । ହେଲେ ପ୍ରକାଶଙ୍କ ପୁଅ ଦେହ ଖରାପ ଥିବାରୁ କିସ୍ତି ଟଙ୍କା ଦେବା ପାଇଁ ଅସମର୍ଥ ପ୍ରକାଶ କରିଥିଲେ । ହେଲେ କମ୍ପାନୀର କର୍ମଚାରୀ ମାନେ ଶୁଣିବା ପରିବର୍ତ୍ତେ ପ୍ରକାଶଙ୍କ ପରିବାର ଉପରେ ଜୁଲମ କରିଥିଲେ । ପରେ ଗ୍ରାମବାସୀ ମାନେ ଘଟଣାସ୍ଥଳରେ ପହଞ୍ଚି କର୍ମଚାରୀ ମାନଙ୍କୁ ବୁଝାଇଥିଲେ ମଧ୍ୟ କର୍ମଚାରୀ ମାନଙ୍କ ଉପରେ କିଛି ପ୍ରଭାବ ପଡି ନଥିଲା । ଅନ୍ୟପଟେ ଟଙ୍କା ନଦେଇପାରିଲେ ଆତ୍ମହତ୍ୟା କରିଦିଅ ବୋଲି କହିଥିବା ନେଇ ପ୍ରକାଶଙ୍କ ସ୍ତ୍ରୀ ଏତଲାରେ ଅଭିଯୋଗ କରିଛନ୍ତି ।
ସୋମବାର ରାତିରେ ଟଙ୍କା ସଂଗ୍ରହ କରିବା ପାଇଁ ପ୍ରକାଶ ଘରୁ ବାହାରି ଯାଇଥିଲେ ହେଲେ ଆଉ ଘରକୁ ଫେରି ନଥିଲେ । ମଙ୍ଗଳବାର ସକାଳୁ ପ୍ରକାଶଙ୍କ ମୃତଦେହ ପାଖରେ ଥିବା ନଦୀ ପଠା ଇଟାଭାଟିରେ ଝୁଲୁଥିବା ଅବସ୍ଥାରେ ମିଳିଥିଲା । ତେବେ ଏକମାତ୍ର ରୋଜଗାରିଆ ପୁଅକୁ ହରାଇ ଲୁହ ଝରାଉଛି ମା । ଅନ୍ୟପଟେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପ୍ରକାଶଙ୍କ ସ୍ତ୍ରୀ । ସେପଟେ ତୁରନ୍ତ ନ୍ୟାୟ ପ୍ରଦାନ କରିବା ସହିତ ପରିବାରକୁ କ୍ଷତି ପୂରଣ ଯୋଗାଇ ଦେବା ପାଇଁ ଦାବି କରିଛନ୍ତି ଗ୍ରାମବାସୀ ।
You Can Read:
ଖରା ବଢ଼ିଲେ ଆବଶ୍ୟକସ୍ଥଳେ ଜିଲ୍ଲାପାଳ ମାନେ ସ୍କୁଲ ବନ୍ଦ ନିଷ୍ପତ୍ତି ନେଇପାରିବେ : ସୁରେଶ ପୂଜାରୀ