ବଲାଙ୍ଗୀର ୧୧/୪: ରାତିରେ ମଦ କିଣିବାକୁ ଯାଇଥିଲେ ଯୁବକ । ସେଠାରେ ମଦ ବ୍ୟବସାୟଙ୍କ ସହ ଝଗଡା ହୋଇଥିଲା । ବଚସା ଏତେ ବଢି ଯାଇଥିଲା ଯେ ଦୁହେଁ ପରସ୍ପରକୁ ଗାଳି ଗୁଲଜ କରିବା ସହ ଆକ୍ରମଣ କରିଥିଲେ । ଆଉ ଶେଷରେ ମଦ ବ୍ୟବସାୟୀ ଜଣକ ଯୁବକଙ୍କୁ ଠେଙ୍ଗାରେ ପିଟିପିଟି ମାରିଦେଲେ । ବଲାଙ୍ଗୀର ଲୋଇସିଂହା ସରଗାଡ ଗାଁରେ ବିଭତ୍ସ ହତ୍ୟାକାଣ୍ଡକୁ ନେଇ ଚାଞ୍ଚଲ୍ୟ । ମୃତକ ସ୍ଥାନୀୟ ଅଞ୍ଚଳର ଅରୁଣ ସାଏ ପଟେଲ ।ଅରୁଣ ବିଭିନ୍ନ ସମୟରେ ନିଶା ସେବନ କରି ଆତଙ୍କ ସୃଷ୍ଟି କରନ୍ତି । ପଡୋଶୀଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିବାର ଅଭିଯୋଗ ରହିଛି । ଏମିତିକି ସେ ସଂପୃକ୍ତ ବ୍ୟବସାୟୀଙ୍କ ଠାରୁ ମଦ ପିଇ ଅନେକ ଥର ପଇସା ଦେଇନାହାନ୍ତି । ଯାହାକୁ ନେଇ ପୂର୍ବରୁ ମଧ୍ୟ ଉଭୟଙ୍କ ମଧ୍ୟରେ ଅନେକ ଥର ଝଗଡା ହୋଇଥିଲା ।
ସେହି ପୁରୁଣା ରାଗ ବୁଧବାର ରାତିରେ ଉଗ୍ରରୂପ ନେଇଥିଲା । ପରସ୍ପରକୁ ଗାଳି ଗୁଲଜ ଓ ଝଗଡା ପରେ ଅରୁଣଙ୍କୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇ ଦେଇଥିଲେ ମଦ ବ୍ୟବସାୟୀ । ଠେଙ୍ଗାରେ ପିଟି ପିଟି ନୃସଂଶ ଭାବରେ ହତ୍ୟା କରିଥିଲେ ।ହତ୍ୟାକାଣ୍ଡ ପରେ ସଂପୃକ୍ତ ମଦ ବ୍ୟବସାୟୀ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଖବର ପାଇଁ ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚିଥିଲା ସଦର ଥାନା ପୋଲିସ। ମୃତଦେହ ଜବତ ପରେ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ହତ୍ୟାକାରୀ ବ୍ୟବସାୟୀଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଛାନ୍ଭିନ୍ ଚଳାଇଛି ପୋଲିସ ।