କ୍ୱିକ୍ କମର୍ସ ଆପ୍‌ରେ ଅଧାରୁ ଅଧିକ ଜଙ୍କ୍ ଫୁଡ୍‌ ଅପସନ: ଅର୍ଡର କରୁଛନ୍ତି ୧୦ରୁ ୪ ଜଣ, ବାପାମାଙ୍କୁ ଘାରିଲାଣି ଚିନ୍ତା

NEWS7
youth-hanging-dead-body-found-in-athamallik

ନୂଆଦିଲ୍ଲୀ: Junk Food on Quick Commerce Apps: ଲୋକେ ପଇସା ଦେଇ କ୍ୱିକ୍ କମର୍ସ ପ୍ଲାଟ୍‌ଫର୍ମରୁ ରୋଗ କିଣୁଛନ୍ତି। ଅର୍ଥାତ୍ ଏତେମାତ୍ରାରେ ଜଙ୍କଫୁଡ୍ (ତେଲ ମସଲା ଲୁଣି ଚଟପଟା ଖାଦ୍ୟ) କିଣୁଛନ୍ତି ଯେ ଯାହା ରୋଗ ସୃଷ୍ଟି କରିବାର ମୁଖ୍ୟ କାରଣ ହେଉଛି। ଏକ ସର୍ଭେରେ ଏଭଳି ରିପୋର୍ଟ ସାମ୍ନାକୁ ଆସିଛି। ଭାରତର ସହରାଞ୍ଚଳରେ ଜଙ୍କ୍ ଫୁଡ୍ କ୍ରମଶଃ ଲୋକପ୍ରିୟ ହେବାରେ ଲାଗିଛି। ଲୋକାଲସର୍କଲ୍ସର ଏକ ସର୍ଭେ ଅନୁଯାୟୀ, କ୍ୱିକ୍ କମର୍ସ ପ୍ଲାଟଫର୍ମରେ ବିକ୍ରି ହେଉଥିବା ଅଧାରୁ ଅଧିକ ପ୍ୟାକେଜ୍ ହୋଇଥିବା ଖାଦ୍ୟ ସାମଗ୍ରୀରେ ହାଇ ଫେଟ୍(ଉଚ୍ଚ ଚର୍ବିଯୁକ୍ତ), ସୁଗାର(ଶର୍କରା) ଏବଂ ଶଲ୍ଟ(ଲବଣ) (HFSS) କିମ୍ବା ଅଲ୍ଟ୍ରା-ପ୍ରୋସେସ୍ଡ ଫୁଡ୍ (UPF) ଅଧିକ ରହୁଛି।

୩୯% ପରିବାର ନିୟମିତ ଭାବରେ କ୍ୱିକ୍ କମର୍ସ ଆପ୍‌ରୁ ମୃଦୁ ପାନୀୟ(ସଫ୍ଟ ଡ୍ରିଙ୍କ୍ସ), ବିସ୍କୁଟ, ଚିପ୍ସ ଏବଂ ନୁଡୁଲ୍ସ ଭଳି ଜିନିଷ କିଣୁଥିବାର ସର୍ଭେରେ ଜଣାପଡ଼ିଛି। ଅର୍ଥାତ୍ ପ୍ରତି ଦଶଟି ପରିବାରରୁ ୪ଟି ପରିବାର ଜଙ୍କଫୁଡ୍ ଅର୍ଡର କରୁଛନ୍ତି। ତେବେ ବଡ଼ କଥା ହେଲା ଅର୍ଡର କରୁଥିବା ଲୋକଙ୍କ ମଧ୍ୟରେ ପିଲା ଏବଂ ଯୁବକଙ୍କ ସଂଖ୍ୟା ସର୍ବାଧିକ ରହିଛି। ବିଶେଷ କରି ଜେନ୍-ଜିଙ୍କୁ ଏହା ବେଶି ଆକୃଷ୍ଟ କରୁଛି। ଯାହା ଏମାନଙ୍କ ମଧ୍ୟରେ ମୋଟାପଣ, ମଧୁମେହ ଏବଂ ହୃଦରୋଗ ପରି ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି।

କୋଭିଡ-୧୯ ପରଠାରୁ ଅଲ୍ଟ୍ରା-ପ୍ରୋସେସ୍ଡ ଫୁଡର ବିକ୍ରି ମୂଲ୍ୟ ୧୦% ରୁ ଅଧିକ ବୃଦ୍ଧି ପାଇଛି। ପିଲାଙ୍କ ଠାରୁ ଆରମ୍ଭ କରି ଯୁବବର୍ଗଙ୍କର ଏହିସବୁ ଜିନିଷପ୍ରତି ଆଗ୍ରହ ପରିବାର ଲୋକଙ୍କୁ ଚିନ୍ତାରେ ପକାଇଛି। ସର୍ଭେରେ ୧୦ଟି ଅଭିଭାବକଙ୍କ ମଧ୍ୟରୁ ୯ ଜଣ ଅଭିଭାବଗ ଜଙ୍କଫୁଡ୍ ଉପରେ ରେଡ୍ ୱାର୍ଣ୍ଣିଂ ଲଗାଇବାକୁ ଦାବି କରିଛନ୍ତି।

ଜଙ୍ଗ ଫୁଡ୍ ନିଶାରେ ଜେନ୍ ଜିରିପୋର୍ଟ ଅନୁଯାୟୀ, ଏହି ପ୍ଲାଟଫର୍ମଗୁଡ଼ିକରେ ବିକ୍ରି ହେଉଥିବା ପ୍ରତି ଦୁଇଟି ଜିନିଷ ମଧ୍ୟରୁ ଗୋଟିଏରେ ଜଙ୍କ୍ କିମ୍ବା ଏଚଏଫଏସଏସ ଯୁକ୍ତ ଖାଦ୍ୟ ରହୁଛି। ଏହି ଜିନିଷଗୁଡ଼ିକ ପିଲାମାନେ ପ୍ରାୟତଃ ଅର୍ଡର କରନ୍ତି। ଏଥିରେ ବିସ୍କୁଟ, ଥଣ୍ଡା ପାନୀୟ, ଚିପ୍ସ, ନୁଡୁଲ୍ସ, ଚକୋଲେଟ ଏବଂ ଆଇସକ୍ରିମ ଭଳି ସାମଗ୍ରୀ ସାମିଲ୍ ରହିଛି। ସବୁଠାରୁ ବଡ଼ କଥା ହେଲା ଅନଲାଇନ୍ ପ୍ଲାଟଫର୍ମରେ ପ୍ରଚୁର ବିକଳ୍ପ ରହୁଥିବାରୁ ପିଲାମାନଙ୍କ ପାଇଁ ଏସବୁ ଦୂରେଇ ରହିବା କଷ୍ଟକର ହୋଇପଡ଼ୁଛି। ତେଣୁ ଲୋଭରେ ପଡ଼ି ସେମାନେ ଏସବୁ ଖାଦ୍ୟ ମଗାଉଛନ୍ତି।

ସର୍ଭେରେ କୁହାଯାଇଛି ଯେ କୋଭିଡ୍-୧୯ ପରେ ଜଙ୍କ୍ କିମ୍ବା ଅଲ୍ଟ୍ରା-ପ୍ରୋସେସ୍ଡ ଫୁଡ୍ (UPF) ର ଚାହିଦା V ଶେପ୍ଡ(ଦୁଇ ଗୁଣ ଆଧାରରେ) ଭାବରେ ବଢ଼ିବାରେ ଲାଗିଛି। ଖାସ୍ କରି ଜେନ-ଜିଙ୍କ ମଧ୍ୟରେ ଏହି ଧାରା ଅଧିକ ଦେଖାଯାଉଛି। କମ୍ ମୂଲ୍ୟରେ ଏଗୁଡ଼ିକ ଶୀଘ୍ର ପହଞ୍ଚି ଯାଉଥିବାରୁ ଜେନ୍-ଜି ଏଭଳି ଖାଦ୍ୟ ଅଧିକମାତ୍ରାରେ ମଗାଉଛନ୍ତି।

୧୦ ମଧ୍ୟରୁ ୯ ପରିବାର ଚାହୁଁଛନ୍ତି ରେଡ୍ ୱାର୍ଣ୍ଣିଂ

୨୦୨୪ ମସିହା ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଦେଶର ୨୭୭ଟି ଜିଲ୍ଲାରେ ୪୨,୦୦୦ ରୁ ଅଧିକ ଲୋକଙ୍କ ଉପରେ ଲୋକାଲସର୍କଲ୍ସ ସର୍ଭେ କରିଥିଲେ। ଏଥିମଧ୍ୟରୁ ୩୯% ଅଭିଭାବକ କହିଛନ୍ତି ଯେ ସେମାନଙ୍କ ପିଲାମାନେ ନିୟମିତ ଭାବରେ ଏହି ଆପ୍ସରୁ ଜଙ୍କଫୁଡ୍ ଅର୍ଡର କରୁଛନ୍ତି। ସର୍ଭେରୁ ଏହା ମଧ୍ୟ ଜଣାପଡିଛି ଯେ ଦଶ ଜଣଙ୍କ ମଧ୍ୟରୁ ୯ ଜଣ ଅଭିଭାବକ ଆପ୍ସରେ ରେଡ୍ ୱାର୍ଣ୍ଣିଂ ଲେବଲ୍ ଲାଗୁ କରିବାକୁ ଦାବି କରିଛନ୍ତି। ଯାହା ଦ୍ୱାରା ପିଲାମାନେ ସ୍ୱାସ୍ଥ୍ୟ ପାଇଁ କ’ଣ କ୍ଷତିକାରକ ତାହା ବୁଝିପାରିବେ। ତେବେ ବର୍ତ୍ତମାନ ଅଧିକାଂଶ ଆପ୍ ଏସବୁ ସାମଗ୍ରୀ ଉପରେ ଏପରି ସୂଚନା ଦେଉ ନାହାନ୍ତି।

ଗତ ବର୍ଷ, ICMR ଏବଂ NIN(ICMR - National Institute of Nutrition) ଏଭଳି ଖାଦ୍ୟ ନେଇ ଚିନ୍ତା ପ୍ରକଟ କରିଥିଲା। ସଂସ୍ଥା ସ୍ପଷ୍ଟ ଭାବରେ କହିଥିଲା ଯେ ଅଲ୍ଟ୍ରା ପ୍ରୋସେସ୍ଡ ଫୁଡ୍ରେ ଫାଇବର ଏବଂ ପୋଷକ ତତ୍ୱ କମ୍ ଥାଏ, କିନ୍ତୁ ଶର୍କରା, ଲବଣ ଏବଂ ତେଲର ମାତ୍ରା ଅଧିକ ଥାଏ। ଏଗୁଡ଼ିକର ସ୍ୱାଦ ଖୁବ୍ ଚଟପଟା ଓ ସାରା ଦେଶରେ ସହଜରେ ମିଳିଯାଉଛି। ତେଣୁ ଲୋକମାନେ ଏହାକୁ ଦୈନନ୍ଦିନ ଖାଦ୍ୟରେ ସାମିଲ କରୁଛନ୍ତି। ଅର୍ଥନୈତିକ ସର୍ଭେରେ ଏହା ମଧ୍ୟ ପ୍ରକାଶ ପାଇଛି ଯେ ଅସ୍ୱାସ୍ଥ୍ୟକର ଖାଦ୍ୟ ଭାରତର ୫୬% ରୁ ଅଧିକ ରୋଗର ମୂଳ କାରଣ। ଯେଉଁଥିରେ ଜଙ୍କଫୁଡ୍ ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି।

ଅଲ୍ଟ୍ରା ପ୍ରୋସେସ୍ଡ ଫୁଡ୍ କାହାକୁ କହିବା?

ଅଲ୍ଟ୍ରା- ପ୍ରୋସେସ୍ଡ ଫୁଡ୍ ହେଉଛି ଏପରି ଖାଦ୍ୟ ଯାହାକୁ ଇଣ୍ଡଷ୍ଟ୍ରିୟାଲ ପ୍ରୋସେସିଙ୍ଗରେ ତିଆରି କରାଯାଏ। ଏଥିରେ ପ୍ରିଜରଭେଟିଭ୍, ଏମଲସିଫାୟର୍, ଆର୍ଟିଫିସିଆଲ ଫ୍ଲେବର, କଲର, ଆଡେଡ୍ ସୁଗାର, ସାଚୁରେଟେଡ୍ ଫ୍ୟାଟ୍ ଏବଂ ଲୁଣ ଭଳି ଏକାଧିକ ଉପାଦାନ ମିଶାଯାଏ। ଖାଦ୍ୟକୁ ଦୀର୍ଘ ଖରାପ ହେବାରୁ ସୁରକ୍ଷା ଦେବା ସ୍ୱାଦ ବଢ଼ାଇବା ଓ ଆକର୍ଷଣୀୟ କରାଇବା ପାଇଁ ଏସବୁ ମିଶା ଯାଇଥାଏ। ଗୋଟିଏ ଅର୍ଥରେ କହିବାକୁ ଗଲେ ଏଗୁ଼ଡ଼ିକ ସବୁ ରେଡି ଟୁ ଇଟ୍ ଖାଦ୍ୟ ହୋଇଥାଏ। ଏହାକୁ ବାରମ୍ବାର ରୋଷେଇ କରିବା କିମ୍ବା ଗରମ କରିବାକୁ ପଡ଼େ ନାହିଁ।

ଏଗୁଡ଼ିକ ମଧ୍ୟରେ ଫ୍ରୋଜେନ ଫୁଡ୍(ବରଫ ଦିଆ ଖାଦ୍ୟ), ସୁଗାର ଡ୍ରିଙ୍ଗ୍ସ(ବିଭିନ୍ନ ପ୍ରକାର ମିଠା ପାନୀୟ), ପ୍ରୋସେସ୍ଡ ମିଟ୍(ପ୍ୟାକେଟ ମାଂସ), ଇନଷ୍ଟାଣ୍ଟ ନୁଡୁଲ୍ସ, ପିଜ୍ଜା, ବର୍ଗର, ମୋମୋ,ଫ୍ରେଞ୍ଜ ଫ୍ରାଇଜ୍,ଚିପ୍ସ, ଲୁଣିଆ ବିସ୍କୁଟ୍ ଆଦି ସାମଗ୍ରୀ,କୁକୀଜ, କେକ୍ ଓ ମଫୀନ ଭଳି ପ୍ରଡକ୍ଟ ରହିଛି। ଯାହା ଦେଖିବାକୁ ସୁନ୍ଦର ଓ ଖାଇବାକୁ ସ୍ୱାଦିଷ୍ଟ ଲାଗେ, ହେଲେ ସ୍ୱାସ୍ଥ୍ୟପ୍ରତି ହାନୀକାରକ ହୋଇଥାଏ।