ମୁର୍ଶିଦାବାଦ ହିଂସାରେ ପିତାପୁତ୍ରଙ୍କ ହତ୍ୟାକାରୀ ଜିୟାଉଲ ଶେଖ ଗିରଫ

Published By : Prameya-News7 Bureau | April 20, 2025 IST

କୋଲକାତା ୨୦।୪: ପଶ୍ଚିମବଙ୍ଗରେ ୱକଫ ସଂଶୋଧନ ବିରୋଧ ବାହାନାରେ ମୁର୍ଶିଦାବାଦ ଜିଲ୍ଲାରେ ହୋଇଥିବା ହିଂସାର ଆଉ ଜଣେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ସମଶେରଗଞ୍ଜ ଜାଫରାବାଦ ପିତା-ପୁତ୍ର ହତ୍ୟାକାଣ୍ଡରେ ସମ୍ପୃକ୍ତ। ପୋଲିସ ରବିବାର ଏହି ସୂଚନା ଦେଇଛି। ଜନୈକ ବରିଷ୍ଠ ଅଧିକାରୀଙ୍କ ଅନୁସାରେ ଜଫରାବାଦ ହତ୍ୟା ମାମଲାରେ ଏହା ଚତୁର୍ଥ ଗିରଫଦାରୀ। ଗିରଫ ବ୍ୟକ୍ତିକୁ ଜାଫରାବାଦ ପଡୋଶୀ ଗାଁ ସୁଲିତାଲା ପୁରବାପାରାର ଜିୟାଉଲ ଶେଖ ଭାବେ ଚିହ୍ନଟ କରାଯାଇଛି। 

ଜିୟାଉଲ ୧୨ ଏପ୍ରିଲ ହତ୍ୟାକାଣ୍ଡ ପରଠାରୁ ଫେରାର ଥିଲା। ଜିୟାଉଲ ଜଣେ ଫେରିବାଲା ଓ ଗାଁକୁ ଗାଁ ବୁଲି କପଡା ବେପାର କରେ। ଏଥିରେ ସେ ଏହି ହତ୍ୟାକାଣ୍ଡ କାହିଁକି ଭିଆଇଲା ସେ ନେଇ ଏବେ ତଦନ୍ତ ଜାରି ରହିଛି। ପୋଲିସ ସୂଚନା ଅନୁସାରେ ଏସଟିଏଫ ଓ ଏସଆଇଟି ଜିୟାଉଲକୁ ଉତ୍ତର ଦିନାଜପୁର ଜିଲ୍ଲା ଚୋପଡାରୁ ଗିରଫ କରାଯାଇଛି। ଅଧିକାରୀ କହିଛନ୍ତି ଯେ ଜିୟାଉଲ ସେହିମାନଙ୍କ ମଧ୍ୟରେ ଜଣେ ଯିଏ ଷଡ଼ଯନ୍ତ୍ର କରି ଏପ୍ରିଲ ୧୨ ତାରିଖ ଦିନ ହରଗୋବିନ୍ଦ ଦାସ ଓ ତାଙ୍କ ପୁଅ ଚନ୍ଦନ ଦାସଙ୍କ ଘରେ ଭଙ୍ଗାରୁଜା କରିବା ସହିତ ସେମାନଙ୍କ ହତ୍ୟାଲାଗି ଭିଡକୁ ଉସକାଇଥିଲା। 

ଏପ୍ରିଲ ୧୨ ତାରିଖ ଦିନ ଘଟଣାସ୍ଥଳରେ ଜିୟାଉଲର ଉପସ୍ଥିତି ନେଇ ପୋଲିସକୁ ସିସିଟିଭି ଫୁଟେଜ ସହିତ ତା ମୋବାଇଲ ଫୋନ ସୂଚନାର ପ୍ରମାଣ ମିଳିଛି। ଏହା ପୂର୍ବରୁ ପିତା-ପୁତ୍ର ହତ୍ୟାମାମଲାରେ ପୋଲିସ କାଲୁ ନାଦର ଓ ଦିଲଦାର ନାମକ ଦୁଇ ଭାଇଙ୍କ ସମେତ ଇଞ୍ଜମାମଉଲ ହକ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଥିଲା। କାଲୁକୁ ବୀରଭୂମ ଜିଲ୍ଲା ମୁରାରାଇରୁ ଗିରଫ କରାଯାଇଥିବା ବେଳେ ଦିଲଦାରକୁ ବାଂଲାଦେଶ ସୀମାକୁ ଲାଗି ରହିଥିବା ସୂତୀ ପୋଲିସ ଥାନା ଅଞ୍ଚଳରୁ ଗିରଫ କରାଯାଇଥିଲା। 

ତେବେ ମାମଲାର ତୃତୀୟ ଅଭିଯୁକ୍ତକୁ ଜାଫରାବଦର ପଡୋଶୀ ସୁରୀପାରାରୁ ଧରାଯାଇଥିଲା। ପୋଲିସ ସୂଚନା ଅନୁସାରେ ମୁର୍ଶିଦାବାଦ ହିଂସା ମାମଲାରେ ଏପର୍ଯ୍ୟନ୍ତ ୧୦୦ରୁ ଅଧିକ ଏତଲା ରୁଜୁ ହେଲାଣି। ହିଂସା ମାମଲାରେ ପୋଲିସ ଏପର୍ଯ୍ୟନ୍ତ ୨୭୬ ଜଣଙ୍କୁ ଗିରଫ କରିଛି। ୱକଫ ସଂଶୋଧନ ଆଇନକୁ ନେଇ ନିକଟରେ ହୋଇଥିବା ବିରୋଧରେ ଆଉ ୩ ଜଣଙ୍କ ମୃତ୍ୟୁ ହୋଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.