WTC ମୁକାବିଲାରେ ବୋଲରଙ୍କ ଡୋମିନାନ୍ସ: ପ୍ରଥମ ଦିନରେ ୧୪ ୱିକେଟ୍‌ର ପତନ

Published By : Prameya-News7 Bureau | June 12, 2025 IST

ଲଣ୍ଡନ ୧୨/୦୬: ଅଷ୍ଟ୍ରେଲିଆ ଓ ଦକ୍ଷିଣ  ଆଫ୍ରିକା ମଧ୍ୟରେ ଚାଲିଛି ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ୍‌ ମୁକାବିଲା । ପ୍ରଥମ ଦିବସରେ ବୋଲରଙ୍କ ରାଜୁତି ଜାରି ଦେଖିବାକୁ ମିଳିଛି । ଆଉ ଏହାର ଫଳସ୍ୱରୂପ ପ୍ରଥମ ଦିନରେ ୧୪ଟି ୱିକେଟ୍‌ର ପତନ ହୋଇଥିଲା । କାଗିସୋ ରାବାଡ଼ାଙ୍କ ଘାତକ ବୋଲିଂର ମୁକାବିଲା କରିନପାରି ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ  ମାତ୍ର ୨୧୨ ରନ କରି ଅଲ୍‌ ଆଉଟ୍‌ ହୋଇଯାଇଥିଲା । 

ଜବାବରେ ଦକ୍ଷିଣ ଆଫ୍ରିକା ମଧ୍ୟ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି । ପ୍ରଥମ ଦିବସ ଷ୍ଟମ୍ପ ଅପସାରଣ ସୁଦ୍ଧା ଦକ୍ଷିଣ ଆଫ୍ରିକା ୪ ୱିକେଟ୍‌ ହରାଇ ୪୩ ରନ ସଂଗ୍ରହ କରିଛି । ଦଳ ପକ୍ଷରୁ ଟେମ୍ବା ବଭୁମା ୩ ଓ ଡେଭିଡ୍‌ ବେଡିଂହାମ ୮ ରନ କରି ଅପରାଜିତ ରହିଛନ୍ତି । 

ଐତିହାସିକ ଲର୍ଡ୍ସ କ୍ରିକେଟ୍‌ ଗ୍ରାଉଣ୍ଡ୍‌ରେ ଟସ୍‌ ଜିତି ଦକ୍ଷିଣ ଆଫ୍ରିକା ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ରାବାଡ଼ା ନୂଆ ବଲ୍‌ରେ ଘାତକ ସୁଇଂ ବୋଲିଂ କରିଥିଲେ । 

ସପ୍ତମ ଓଭରରେ ସେ ଉସମାନ ଖୱାଜା(୦) ଓ କାମେରନ  ଗ୍ରୀନ(୪)ଙ୍କୁ ଆଉଟ୍‌ କରିଥିଲେ । ଅନ୍ୟ ଓପନର  ମାର୍ନସ ଲାବୁସାନ ସତର୍କତାର ସହ ଖେଳିଥିଲେ ହେଁ  ଶେଷରେ ୧୭ ରନ କରି ମାର୍କୋ ଜାନସେନଙ୍କ ବଲ୍‌ରେ  ପାଭିଲିୟନ ଫେରିଥିଲେ । ଟ୍ରେଭିସ୍‌ ହେଡ୍‌(୧୧) ଙ୍କୁ ମଧ୍ୟ ଆଉଟ୍‌ କରିଥିଲେ ଜାନସେନ । ୬୭ରନ୍‌ରେ ଅଷ୍ଟ୍ରେଲିଆ ୪ଟି ୱିକେଟ୍‌ ହରାଇ ସଂକଟରେ  ପଡ଼ିଯାଇଥିଲା । ମାତ୍ର ଏହାପରେ ଷ୍ଟିଭେନ ସ୍ମିଥ ଲଢୁଆ  ବ୍ୟାଟିଂ କରି ସ୍ଥିତି ସୁଧାରିଥିଲେ । 

ବ୍ୟୁ ୱେବଷ୍ଟରଙ୍କୁ  ସାଥୀ କରି ସ୍ମିଥ୍‌ ପଞ୍ଚମ ୱିକେଟ୍‌ରେ ୭୯ ରନ୍‌ ଯୋଗ  କରିଥିଲେ । ଦଳୀୟ ସ୍କୋର ୧୪୬ରେ ପହଞ୍ଚିଥିଲା । ସ୍ମିଥ୍‌ ଅର୍ଦ୍ଧଶତକ ଅର୍ଜନ କରିସାରିଥିଲେ । ଆଡେନ ମାରକ୍ରମ  ୪୨ତମ ଓଭରରେ ସ୍ମିଥ୍‌ଙ୍କୁ ଆଉଟ୍‌ କରି ଉନ୍ମାଦନା  ଖେଳାଇ ଦେଇଥିଲେ । ସ୍ମିଥ୍‌ ୬୬ ରନ କରିଥିଲେ ।  

ଦ୍ୱିତୀୟ ଅଧିବେଶନ ଶେଷ ହେବା ପର୍ଯ୍ୟନ୍ତ  ୱେବଷ୍ଟର ଓ ଆଲେକ୍ସ କ୍ୟାରୀ ଲଢେଇ ଜାରି ରଖି ୪୬  ରନ ଯୋଗ କରିଥିଲେ । ତୃତୀୟ ଅଧିବେଶନ ଆରମ୍ଭ  ହେବା ସହ ଅଷ୍ଟ୍ରେଲିଆ ପୁଣିଥରେ ବିପର୍ଯ୍ୟୟର ସାମ୍ନା  କରିଥିଲା । କ୍ୟାରୀ ୨୩ ରନ କରି କେଶବ ମହାରାଜଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ । ରାବାଡ଼ା ପୁଣିଥରେ  ବିପର୍ଯ୍ୟୟ ଘଟାଇଥିଲେ । 

ପ୍ୟାଟ୍‌ କମିନ୍ସ ଓ ମିଚେଲ ଷ୍ଟାର୍କ ୧ରନ ଲେଖାଏଁ କରି ଆଉଟ୍‌ ହୋଇଥିଲେ । ୱେବଷ୍ଟର  ଲଢୁଆ ୭୨ ରନ କରି ଶେଷରେ ରାବାଡ଼ାଙ୍କ ପଞ୍ଚମ ଶିକାର  ସାଜିଥିଲେ । ନାଥାନ ଲାୟନଙ୍କୁ ଜାନସେନ ଆଉଟ୍‌ କରିଥିଲେ  ଓ ଅଷ୍ଟ୍ରେଲିଆ ଇନିଂସ ୨୧୨ରେ ସୀମିତ ରହିଥିଲା । ଜବାବରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ ବ୍ୟାଟିଂ  ଆରମ୍ଭ କରି ଅନୁରୂପ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା ।  ଆଡେନ ମାରକ୍ରମ ଖାତା ଖୋଲିବା ପୂର୍ବରୁ ମିଚେଲ ଷ୍ଟାର୍କଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ ।

ରିକେଲଟନ ସତର୍କତାର ସହ ଖେଳି ୧୬ ରନ ସଂଗ୍ରହ କରିଥିଲେ  ହେଁ ଶେଷରେ ଷ୍ଟାର୍କଙ୍କ ବଲ୍‌ରେ ସ୍ଲିପ୍‌କୁ କ୍ୟାଚ ଟେକି  ଦେଇଥିଲେ । ୱିଆନ ମୁଲ୍ଡରଙ୍କୁ ବୋଲ୍ଡ କରିଥିଲେ ପ୍ୟାଟ୍‌  କମିନ୍ସ । ୨୫ ରନ୍‌ରେ ଦଳ ୩ଟି ୱିକେଟ୍‌ ହରାଇଥିଲା । ବଭୁମା ଓ ଟ୍ରିଷ୍ଟନ ଷ୍ଟବ୍ସ ସତର୍କତାର ସହ ବ୍ୟାଟିଂ  କରୁଥିବାବେଳେ ଜୋସ ହାଜେଲଉଡ୍‌ ୨୧ତମ ଓଭରରେ  ଯୋଡ଼ି ଭାଙ୍ଗିଥିଲେ । ଷ୍ଟବ୍ସ ୨ ରନ କରି ପାଭିଲିୟନ  ଫେରିଥିଲେ । ପରବର୍ତ୍ତୀ ଓଭରରେ ବେଡିଂହାମ୍‌ ୨ଟି  ଚୌକା ମାରି ଦଳୀୟ ସ୍କୋରକୁ ୪୩ରେ ପହଞ୍ଚାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.