ଅନ୍‌ଲାଇନ୍‌ ଗେମିଂ ଉପରେ ୨୮ ପ୍ରତିଶତ ଜିଏଟି ଆଦାୟ ପାଇଁ ରାସ୍ତା ସଫା, ଲୋକସଭାରେ ପାସ୍‌ ହେଲା ୨ ଜିଏସଟି ସଂଶୋଧନ ବିଲ୍‌

Published By : Prameya-News7 Bureau | August 11, 2023 IST

ନୂଆଦିଲ୍ଲୀ, ୧୧/୦୮: ଅନଲାଇନ୍ ଗେମ୍ ଉପରେ ୨୮ ପ୍ରତିଶତ ଟ୍ୟାକ୍ସ ନିୟମ ଶେଷ ପର୍ଯ୍ୟାୟରେ। ପ୍ରକୃତରେ ଶୁକ୍ରବାର ଲୋକସଭାରେ ମୌସୁମୀ ଅଧିବେଶନ ସମୟରେ ଦ୍ରବ୍ୟ ଏବଂ ସେବା କରର ୨ଟି ସଂଶୋଧନ ବିଲ୍‌କୁ ମଞ୍ଜୁରୀ ମିଳିଛି। ଯାହା ପରେ ଅନଲାଇନ୍‌ ଗେମ୍‌ ଉପରେ ଟ୍ୟାକ୍ସ ଆଦାୟ ପାଇଁ ରାସ୍ତା ସଫା ହୋଇଛି। ପୂର୍ବରୁ ଏହି ପରିବର୍ତ୍ତନକୁ କେନ୍ଦ୍ର ମନ୍ତ୍ରିମଣ୍ଡଳ ମଧ୍ୟ ମଞ୍ଜୁରୀ ଦେଇସାରିଛି।

ଦୁଇ ସଂଶୋଧିତ ବିଲ୍‌ ହେଉଛି ସେଣ୍ଟ୍ରାଲ ଗୁଡ୍ସ ଆଣ୍ଡ୍‌ ସର୍ଭିସ୍‌ ଟ୍ୟାକ୍ସ (ସଂଶୋଧନ) ବିଲ୍‌ ୨୦୨୩ ଏବଂ ଇଣ୍ଟିଗ୍ରେଟେଡ ଗୁଡ୍ସ ଆଣ୍ଡ୍‌ ସର୍ଭିସ୍‌ ଟ୍ୟାକ୍ସ (ସଂଶୋଧନ) ବିଲ୍‌ ୨୦୨୩। ଏହା ଦ୍ବାରା ଅନ୍‌ଲାଇନ୍‌ ଗେମିଂ, କ୍ୟାସିନୋ ଏବଂ ଘୋଡ଼ା ଦୌଡ଼ ଆୟୋଜନ କରୁଥିବା କ୍ଲବ୍‌ ଉପରେ ୨୮ ପ୍ରତିଶତ ଜିଏସଟି ଆଦାୟ ରାସ୍ତା ସଫା ହୋଇଛି। ମନ୍ତ୍ରିମଣ୍ଡଳ ଏହା ପୂର୍ବରୁ ୨୮ ପ୍ରତିଶତ ଟ୍ୟାକ୍ସ ଲଗାଇବାକୁ ଜିଏସଟି ଆଇନ୍‌ରେ ପ୍ରସ୍ତାବିତ ପରିବର୍ତ୍ତନକୁ ବୁଧବାର ମଞ୍ଜୁରୀ ଦେଇଥିଲେ।ତାହା ପୂର୍ବରୁ ଜିଏସଟି ପରିଷଦ କେନ୍ଦ୍ରୀୟ ଜିଏସଟି (ସିଜିଏସଟି) ଏବଂ ଆଇଜିଏସଟି ଅଧିନିୟମରେ ସଂଶୋଧନକୁ ଗତ ସପ୍ତାହରେ ମଞ୍ଜୁରୀ ଦେଇଥିଲେ।

ଆହୁରି ପଢ଼ନ୍ତୁ: ୨୮ ପ୍ରତିଶତ ଜିଏସଟି ନିଷ୍ପତ୍ତିରେ ଅନଲାଇନ୍‌ ଗେମିଂ ଇଣ୍ଡଷ୍ଟ୍ରି ଖପ୍ପା, ଡ୍ରିମ୍‌ ୧୧ ଭଳି କମ୍ପାନିଙ୍କ ରାଜସ୍ବରେ ଲାଗିପାରେ ବ୍ରେକ୍‌ !

କେନ୍ଦ୍ର ମନ୍ତ୍ରିମଣ୍ଡଳ ଦ୍ବାରା ସିଜିଏସଟି ଏବଂ ଆଇଜିଏସଟି ଆଇନ୍‌ରେ ସଂଶୋଧନ ମଞ୍ଜୁରୀ ମିଳିବା ପରେ ଉଭୟ ବିଲ୍‌କୁ ସଂସଦରେ ଉପସ୍ଥାପନ କରାଯାଇଥିଲା। ସୂଚନାଥାଉକି ଜିଏସଟି ପରିଷଦ ଅଗଷ୍ଟ ୨ରେ ୫୧ ତମ ବୈଠକରେ କ୍ୟସିନୋ, ଘୋଡ଼ା ଦୌଡ଼ ଏବଂ ଅନଲାଇନ୍ ଗେମିଂରେ କର ଆଦାୟରେ ସ୍ପଷ୍ଟତା ଆଣିବା ପାଇଁ ସିଜିଏସଟି ଅଧିନିୟମ ୨୦୧୭ର ଅନୁସୂଚୀ ତିନିରେ ସଂଶୋଧନ କରିବାକୁ ସୁପାରିଶ କରିଥିଲେ। ଜିଏସଟି ଅଧିନିୟମରେ ସଂଶୋଧିତ ନିୟମ ଅକ୍ଟୋବର ୧ ଠାରୁ ଲାଗୁ ହେବ। ସଂସଦର ଉଭୟ ଗୃହରେ ମଞ୍ଜୁରୀ ପରେ ପ୍ରସ୍ତାବିତ ସଂଶୋଧନ ଆଇନରେ ପରିବର୍ତ୍ତନ ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.