ନୂଆଦିଲ୍ଲୀ: ମଣିପୁରରେ ପୁଣି ଥରେ ସରକାର ଗଠନ ପାଇଁ ପ୍ରୟାସ ହୋଇଛି । ବିଜେପି ବିଧାୟକ ଥୋକଚୋମ ରାଧେଶ୍ୟାମ ସିଂହ ବୁଧବାର ରାଜ୍ୟପାଳ ଅଜୟ କୁମାର ଭଲ୍ଲାଙ୍କୁ ଭେଟିଛନ୍ତି । ୪୪ ଜଣ ବିଧାୟକ ନୂଆ ସରକାର ଗଠନ ପାଇଁ ରାଜି ଥିବା ସେ ରାଜ୍ୟପାଳଙ୍କୁ ଜଣାଇଛନ୍ତି । ରାଧେଶ୍ୟାମ ସିଂହ କହିଛନ୍ତି, '୪୪ ବିଧାୟକ ଜନତାଙ୍କ ଇଚ୍ଛା ଅନୁସାରେ ସରକାର କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ଆମେ ରାଜ୍ୟପାଳଙ୍କୁ ଏହା ଜଣାଇ ଦେଇଛୁ । ଏହି ପ୍ରସଙ୍ଗର କ’ଣ ସମାଧାନ ହୋଇପାରିବ, ତାହା ଉପରେ ବି ଆଲୋଚନା କରିଛୁ । ରାଜ୍ୟପାଳ ବି ଆମ କଥାକୁ ଗୁରୁତ୍ୱ ଦେଇଛନ୍ତି ଓ ଲୋକଙ୍କ ସର୍ବୋତ୍ତମ ହିତରେ ପଦକ୍ଷେପ ନେବେ ବୋଲି କହିଛନ୍ତି ।'
ସରକାର ଗଠନ ପାଇଁ ଦାବି କରିବେ କି ପ୍ରଶ୍ନର ଜବାବରେ ସେ କହିଛନ୍ତି, 'ବିଜେପି କେନ୍ଦ୍ରୀୟ ନେତୃତ୍ୱ ଏହାର ନିଷ୍ପତ୍ତି ନେବ ।' ବିଧାୟକ କହିଛନ୍ତି, 'ଆମେ ପ୍ରସ୍ତୁତ ଅଛୁ କହିବା, ସରକାର ଗଠନ ଦାବି ଉପସ୍ଥାପନା ପରି ଅଟେ । ବିଧାନସଭା ଅଧ୍ୟକ୍ଷ ସତ୍ୟବ୍ରତ ୪୪ ବିଧାୟକଙ୍କ ସହ ବ୍ୟକ୍ତିଗତ ଓ ସଂଯୁକ୍ତ ଭାବେ ବୈଠକ କରିଛନ୍ତି । କେହି ବି ନୂଆ ସରକାର ଗଠନର ବିରୋଧ କରିନାହାନ୍ତି ।' ସେ ଆହୁରି କହିଛନ୍ତି, 'ଲୋକେ ଅଧିକ ଅସୁବିଧାର ସାମନା କରୁଛନ୍ତି । ପୂର୍ବ କାର୍ଯ୍ୟକାଳରେ କରୋନା ଯୋଗୁଁ ଦୁଇ ବର୍ଷ ବର୍ବାଦ ହୋଇଥିଲା ଓ ଏହି କାର୍ଯ୍ୟକାଳରେ ସଂଘର୍ଷ କାରଣରୁ ଆଉ ଦୁଇ ବର୍ଷ ନଷ୍ଟ ହୋଇଛି ।'
ବିଜେପ ନେତା ଏନ୍ ବିରେନ ସିଂହଙ୍କ ଇସ୍ତାଫ ପରେ ଫେବ୍ରୁଆରୀରୁ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି । ୨୦୨୩ ମେ ଆରମ୍ଭରୁ ମଣିପୁରରେ ମୈତେଇ ଓ କୁକୁ ସମୁଦାୟ ମଧ୍ୟରେ ଜାତିଗତ ହିଂସ ଆରମ୍ଭ ହୋଇଥିଲା । ତେବେ ସଂଘର୍ଷ ରୋକିବାରେ ସରକାରଙ୍କ ବିଫଳତା ଓ ସମାଲୋଚନା ଭିତରେ ବୀରେନ ସିଂହ ଇସ୍ତଫା ଦେବା ପାଇଁ ନିଷ୍ପତ୍ତି ନେଇଥିଲେ ।
ମଣିପୁରର ୬୦ ସଦସ୍ୟ ବିଶିଷ୍ଟ ବିଧାନସଭାର ବର୍ତ୍ତମାନ ୫୯ ବିଧାୟକ ଅଛନ୍ତି । ଜଣେ ବିଧାୟକଙ୍କ ମୃତ୍ୟୁ ପରେ ଗୋଟିଏ ଆସନ ଖାଲି ରହିଛି । ବିଜେପି ନେତୃତ୍ୱଧୀନ ଏନଡିଏରେ ବର୍ତ୍ତମାନ ମୋଟ ୪୪ ବିଧାୟକ ଅଛନ୍ତି । ଏଥିରୁ ୩୨ ମୈତେଇ, ତିନି ମଣିପୁରୀ ମୁସଲିମ୍ ଓ ୯ ନାଗା ବିଧାୟକ ଅଛନ୍ତି । କଂଗ୍ରେସର ପାଞ୍ଚ ବିଧାୟକ ଅଛନ୍ତି । ଅନ୍ୟ ୧୦ ବିଧାୟକ କୁକି ସମୁଦାୟର- ଏଥିରୁ ୭ ଜଣ ଗତ ନିର୍ବାଚନରେ ବିଜେପି ଟିକଟରେ ବିଜୟୀ ହୋଇଥିଲେ ।