ମୁମ୍ବାଇ ୩୧/୭:ବଲିଉଡ,ହଲିଉଡ ଅବା ଟଲିଉଡ । ଗ୍ଲାମର ଲାଇନରେ କାମ କରୁଥିବା ଷ୍ଟାରଙ୍କ ଡିମାଣ୍ଡ ଢେର । ଫ୍ୟାନ ଫଲୋଅର୍ସ ବି ଅସଂଖ୍ୟ । ଅନେକ ଫ୍ୟାନ ନିଜର ଫେବରିଟ ଷ୍ଟାରଙ୍କ ପାଇଁ ସବୁ ସୀମା ପାର୍ କରିଯାଆନ୍ତି । ଅନେକ ଥର ଏ ପ୍ରେମ ଆକ୍ଟରଙ୍କ ତଣ୍ଟିର କଣ୍ଟା ହୋଇଯାଏ ତ ପୁଣି କେବେ ଫୁଲ ବର୍ଷା କରିଥାଏ । ଏମିତି ବି କିଛି ଫ୍ୟାନ ଅଛନ୍ତି ପସନ୍ଦର କଳାକାରଙ୍କ ପାଇଁ ଜୀବନ ଦେବାକୁ ପଛାନ୍ତିନି। କିଏ କିଏ ତ ଦେହରେ ଟାଟୁ କରନ୍ତି । ଆଉ କିଏ ଟିକେ ଝଲକ ପାଇବାକୁ ଘର ଆଗରେ ଭିଡ ଜମାନ୍ତି ।ଏମିତିକି କିଛି ଜଣ ଆକ୍ଟରଙ୍କ ନାଁକୁ ପିଲାମାନଙ୍କ ନାଁ ରଖିଦିଅନ୍ତି । କିନ୍ତୁ ବଲିଉଡ ଷ୍ଟାର ସଂଜୟ ଦତ୍ତଙ୍କ ଜଣେ ମହିଳା ପ୍ରଶଂସକ ଯାହାକୁ ସଂଜୟ ଚିହ୍ନି ନାହାନ୍ତି କି ଜାଣିନାହାନ୍ତି ସେ ଏମିତି କିଛି କାମ କରିଛନ୍ତି ଯାହା ସାଧାରଣ ଲୋକ କଣ ନିଜେ ସଂଜୟ ଦତ୍ତ ଜାଣିବା ପରେ ତାଙ୍କ ପାଦ ତଳୁ ମାଟି ଖସିଯାଇଛି । ମହିଳା ଫ୍ୟାନ ଜଣକ ନିଜର ପୁରା ସଂପତ୍ତି ସଂଜୟଙ୍କ ନାଁରେ କରିଦେଇଛନ୍ତି । ସଂପତ୍ତିର ପରିମାଣ ଲକ୍ଷେ କି କୋଟିଏ ନୁହେଁ ଏକାଥରକେ ୭୨ କୋଟି । ଅନେକ ସମୟ ଧରି ସମସ୍ତଙ୍କୁ ଲାଗିଥିଲା କି ଏଇଟା ସତ ନୁହେଁ ଫେକ ନ୍ୟୁଜ । କିନ୍ତୁ ନିଜେ ସଂଜୟ ଦତ୍ତ ଯେତେବେଳେ ଏକଥାର ଖୁଲାସା କଲେ ଆଉ କହିଲେ କି ଏତେ ପରିମାଣର ସଂପତ୍ତିର ସେ କଣ କଲେ । ସେତେବେଳେ ପୁରା ଘଟଣା ଜଣାପଡିଯାଇଥିଲା ।
ସଂଜୟ ଦତ୍ତଙ୍କ ଏ ମହିଳା ଫ୍ୟାନଙ୍କ କାହାଣୀ ୨୦୧୮ର । ସେ ହେଉଛନ୍ତି ମୁମ୍ବାଇରେ ରହୁଥିବା ୬୨ ବର୍ଷୀୟ ନିଶା ପାଟିଲ । ଗୁରୁତର ରୋଗରେ ଆକ୍ରାନ୍ତ ହୋଇ ବଂଚିବାକୁ ସଂଘର୍ଷ କରୁଥିଲେ । ଗୋଟିଏ ସମୟରେ ନିଶାଙ୍କ ଦେହ ଏତେ ଖରାପ ହୋଇଗଲା ଯେ ତାଙ୍କୁ ଜଣାପଡିଯାଇଥିଲା କି ମୋର ଶେଷ ସମୟ ଆସିଗଲା । ସେଥିପାଇଁ ସେ ନିଜର ସବୁ ସଂପତ୍ତି ଆଉ କାହା ନାଁରେ କରିଦେବାକୁ ଚାହିଁଲେ । ତେବେ ଏମିତି କେସ୍ରେ ପ୍ରାୟ ସମସ୍ତେ ନିଜର ପରିବାରର କୌଣସି ସଦସ୍ୟ ,ଏନଜିଓକୁ ସଂପତ୍ତି ଦାନ କରିଦିଅନ୍ତି । କିନ୍ତୁ ନିଶାଙ୍କ କାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଲା । ନିଶା ସଂଜୟ ଦତ୍ତଙ୍କର ବହୁତ ବଡ ଫ୍ୟାନ ଥିଲେ । ସେଥିପାଇଁ ସେ ୭୨ କୋଟିର ସଂପତ୍ତି ସଂଜୟଙ୍କ ନାଁରେ କରିଦେଇଥିଲେ । ମରିବା ପୂର୍ବରୁ ସେ ଏସବୁ କାମ ସାରିଦେଇଥିଲେ । ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ କଥା ହୋଇ ୭୨ କୋଟି ସଂପତ୍ତିର ନୋମିନି ସଂଜୟଙ୍କୁ ରଖିଥିଲେ ।ସଂଜୟଙ୍କ ଓକିଲ ମଧ୍ୟ ଏକଥାକୁ ସ୍ବୀକାର କରିବା ସହ କହିଛନ୍ତି ସଂଜୟ କେବେ ସେହି ସଂପତ୍ତିରୁ ଅଧିକାର ମାଗିବେନି ।
ନିଶାଙ୍କ ଦେହାନ୍ତର ଗୋଟିଏ ଦିନ ପରେ ପୋଲିସ ସଂଜୟ ଦତ୍ତଙ୍କୁ ଫୋନ କରି କହିଥିଲେ ।ଯାହା ଶୁଣି ସଂଜୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ସବୁଠାରୁ ରୋଚକ କଥା ହେଉଛି ନିଶା କେବେ ସଂଜୟଙ୍କୁ ସତରେ ଦେଖିନଥିଲେ କି ଭେଟି ନଥିଲେ । ତେଣୁ ନିଶାଙ୍କ ଏ ପଦକ୍ଷେପ ସଂଜୟଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ସେ ନିଶାଙ୍କୁ ଜାଣିନଥିବାରୁ ସଂପତ୍ତି ନେବାକୁ ସିଧା ମନା କରିଦେଇଥିଲେ । ଏମିତିକି ବାହାର ଲୋକ ଯେତେବେଳେ ଏ ୭୨ କୋଟିର ଗିଫ୍ଟ କଥା ଶୁଣୁଥିଲେ ସମସ୍ତେ ଭାବୁଥିଲେ ମିଛ ଖବର । କିନ୍ତୁ ଏକ ଡିଜିଟାଲ ପ୍ଲାଟଫର୍ମ Curly Talesରେ ସଂଜୟ ଏକଥାର ଖୁଲାସା କରି କହିଛନ୍ତି ନିଶାଙ୍କ ୭୨ କୋଟିର ଦାନ ଖବର ସଂପୂର୍ଣ୍ଣ ସତ । ତେବେ ସେ ଟଙ୍କା ମୁଁ ରଖିନଥିଲି ବରଂ ନିଶାଙ୍କ ପରିବାରକୁ ଫେରାଇ ଦେଇଥିଲି । ଏତେ ଭଲପାଇବା ପାଇଁ ସେ ନିଶାଙ୍କୁ ଧନ୍ୟବାଦ ଦେବାକୁ ଭୁଲିନଥିଲେ । ଆଉ କହିଥିଲେ ମୋତେ ଏ ପଇସା ଦରକାର ନାହିଁ । ସେଥିପାଇଁ ସେ ପଇସାକୁ ନିଶାଙ୍କ ପରିବାରକୁ ଫେରାଇବାକୁ ନିଷ୍ପତ୍ତି ନେଇଥିଲେ ।
୭୨ କୋଟି ଟଙ୍କା ପାଇଲେ କେହି ବି ଖୁସିରେ ଝୁମି ଉଠିବ କିନ୍ତୁ ସଂଜୟ ଦତ୍ତ ଟେନସନ ହୋଇଯାଇଥିଲେ । ଆଉ ଏତେ ପରିମାଣର ସଂପତ୍ତି ରଖିବାକୁ ମନା କରିଦେଇଥିଲେ ।ସଂଜୟ ଦତ୍ତଙ୍କ ପାଖରେ ପଇସାର ଅଭାବ ନାହିଁ । ତାଙ୍କ ମୋଟ ସଂପତ୍ତି ପରିମାଣ ପ୍ରାୟ ୨୯୫ କୋଟି ହେବ । ଗୋଟିଏ ଫିଲ୍ମ ପାଇଁ ସେ ୮ରୁ ୧୫ କୋଟି ଡିମାଣ୍ଡ କରନ୍ତି । ଏଥି ସହ ସଂଜୟ ଦତ୍ତଙ୍କ ପାଖରେ ୨ଟି ପ୍ରଡକ୍ସନ ହାଉସ ରହିଛି । ମୁମ୍ବାଇର ୪୦ କୋଟିର ଘର ବି ଅଛି । ଦୁବାଇରେ ଏକ ଆଲିସାନ ବଙ୍ଗଳା ରହିଛି ।
ଅନେକ ଜାଣିନଥିବେ ସଂଜୟ ଦତ୍ତଙ୍କ ପୁରା ନାଁ ସଂଜୟ ବଲରାଜ ଦତ୍ତ । ୧୯୫୯ ଜୁଲାଇ ୨୯ରେ ମୁମ୍ବାଇରେ ତାଙ୍କର ଜନ୍ମ ହୋଇଥିଲା । ସୁନୀଲ ଦତ୍ତ ଓ ନର୍ଗିସଙ୍କ ୩ ପିଲାଙ୍କ ମଧ୍ୟରୁ ସଂଜୟ ଦତ୍ତ ସବୁଠାରୁ ବଡ ଥିଲେ । ବଲିଉଡ କ୍ୟାରିୟର ଆରମ୍ଭ ୧୯୭୧ରେ ଫିଲ୍ମ ରେଶ୍ମା ଓ ଶେରାରୁ ଆରମ୍ଭ ହୋଇଥିଲା । ମାତ୍ର ୧୨ ବର୍ଷ ବୟସରେ ଶିଶୁ କଳାକାର ଭାବରେ ସେ କବାଲି ସିଙ୍ଗର ରୋଲ୍ ପ୍ଲେ କରିଥିଲେ । ପୁଣି ୧୦ ବର୍ଷ ପରେ ୧୯୮୧ରେ ସେ ଲିଡ୍ ଆକ୍ଟର ଭାବରେ ଡେବ୍ୟୁ କରିଥିଲେ ରୋମାଣ୍ଟିକ ଆକ୍ସନ ଫିଲ୍ମ ରୋକିରୁ । ଏହାପରେ ଆଉ ପଛକୁ ଫେରିନାହାନ୍ତି ସେ । ସାଜନ, ବାସ୍ତବ, ମୁନ୍ନା ଭାଇ ଏମ୍ବିବିଏସ୍, ଲାଗେ ରାହ ମୁନ୍ନାଭାଇ ,ମିଶନ କାଶ୍ମୀର,କାଣ୍ଟେ,ଅଗ୍ନିପଥ, କେଜିଏଫ୍ ୨ ପରି ଅନେକ ସଫଳ ଫିଲ୍ମରେ ନିଜ ଅଭିନୟର ଯାଦୁ ଦେଖାଇ ସାରିଛନ୍ତି । ତେବେ ଚଳିତ ବର୍ଷ ହାଉସଫୁଲ୍-୫ ଓ ଭୁତନି ଭଲ ବ୍ୟବସାୟ କରିଛି । ଏବେବି ୨ ରୁ ଅଧିକ ବିଗ ବଜେଟ୍ର ଫିଲ୍ମ ରିଲିଜ ଅପେକ୍ଷାରେ ।
ୟେ ଥିଲା ସଂଜୟଙ୍କ ଫିଲ୍ମ କ୍ୟାରିୟର । ତାଙ୍କ ବୈବାହିକ ଜୀବନ ବି ସଫଳ ନଥିଲା । ପ୍ରଥମେ ସେ ୧୯୮୭ରେ ରିଚା ଶର୍ମାଙ୍କୁ ବିବାହ କରିଥିଲେ ।ଉଭୟଙ୍କର ଗୋଟିଏ କନ୍ୟା ସନ୍ତାନ ରହିଛି । ପରେ ସଂଜୟ ୧୯୯୮ରେ ରିହା ପିଲାଇଙ୍କୁ ଦ୍ବିତୀୟ ବିବାହ କରିଥିଲେ ଉଭୟ ୧୧ ବର୍ଷ ଏକାଠି ରହିଥିଲେ । ପରେ ଏହି ସଂପର୍କରେ ବି ଫାଟ ସୃଷ୍ଟି ହୋଇଥିଲା । ୨୦୦୮ରେ ମାନ୍ୟତାଙ୍କୁ ତୃତୀୟ ବିବାହ କରିଥିଲେ ସଂଜୟ । ଉଭୟଙ୍କର ୨ଟି ଯମଜ ସନ୍ତାନ ରହିଛନ୍ତି ।