ଷ୍ଟାର୍‌ ଲିଙ୍କ୍ ଓ ଏୟାରଟେଲ୍‌ର ବଡ଼ ଡିଲ୍‌, ଲୋକଙ୍କୁ ମିଳିବ ସାଟେଲାଇଟ୍ ଇଣ୍ଟରନେଟ୍‌ ସେବା

Published By : Prameya-News7 Bureau | March 11, 2025 IST

ନୂଆଦିଲ୍ଲୀ: ଏଲନ୍ ମସ୍କଙ୍କ କମ୍ପାନି SpaceX ସହ ସୁନୀଲ ମିତ୍ତଲଙ୍କ Bharati Airtelର ବଡ଼ ଡିଲ୍‌ । ଏହି ଡିଲ୍‌ ଚୂଡ଼ାନ୍ତ ହେଲେ ଷ୍ଟାରଲିଙ୍କ୍‌ର ସାଟେଲାଇଟ୍‌ ଇଣ୍ଟରନେଟ୍ ସେବା ଭାରତରେ ଉପଲବ୍ଧ ହେବ । ଆଉ ସାଧାରଣ ଲୋକଙ୍କୁ ସାଟେଲାଇଟ୍‌ ସେବା ମିଳିପାରିବ। ଅବଶ୍ୟ ‘ସ୍ପେଶଏକ୍ସ’କୁ ଭାରତ ସରକାରଙ୍କ ଠାରୁ ଅନୁମତି ମିଳିବା ପରେ ହିଁ ଏହି ଡିଲ୍‌ ଚୁଡ଼ାନ୍ତ ହେବ। 

ବର୍ତ୍ତମାନ ଏୟାରଟେଲ Eutelsat OneWeb ସହ ମିଶି ସାଟେଲାଇଟ୍‌ ଇଣ୍ଟରନେଟ୍ ସେବା ପ୍ରଦାନ କରୁଛି। ଅବଶ୍ୟ ଏହା କେବଳ ବ୍ୟବସାୟିକ ସ୍ତରରେ ହେଉଛି। ଏହା ବାଦ୍‌ ଦେଶରେ ଜିଓ-ଏସଇଏସ ଜଏଣ୍ଟ ଭେଞ୍ଚର ଜିଓ ସାଟେଲାଇଟ୍‌ କମ୍ୟୁନିକେସନକୁ ଭାରତରେ ସାଟେଲାଇଟ ସେବା ପ୍ରଦାନ ଅନୁମତି ରହିଛି। ଯେତେବେଳେକି ଏଲନ ମସ୍କଙ୍କ ଷ୍ଟାରଲିଙ୍କ୍‌ ଏବଂ ଆମାଜନ୍‌ର ପ୍ରୋଜେକ୍ଟ କୁଇପର ଲାଇସେନ୍ସ ପାଇଁ ଆବେଦନ କରିଥିଲେବି ସେମାନଙ୍କୁ ଏପର୍ଯ୍ୟନ୍ତ ଅନୁମତି ମିଳିନାହିଁ।

ତେବେ ଏହି ଡିଲ୍ ଉଭୟ ଏୟାରଟେଲ ଏବଂ ଷ୍ଟାରଲିଙ୍କ୍‌ ପାଇଁ ଲାଭଦାୟକ ହେବ। ଷ୍ଟାର୍‌ ଲିଙ୍କ୍‌ ସହ ଯୋଡ଼ିହେବା ଫଳରେ ଦୁର୍ଗମ ଅଞ୍ଚଳରେ ଇଣ୍ଟରନେଟ୍‌ କଭରେଜ୍‌ ବଢ଼ିବ, ବ୍ୟବସାୟ ଏବଂ ଗ୍ରାମାଞ୍ଚଳରେ ଦ୍ରୁତ ଇଣ୍ଟରନେଟର ଅଧିକ ବିକଳ୍ପ ମିଳିବ । ସେହିଭଳି ଷ୍ଟାରଲିଙ୍କ୍‌, ଏୟାରଟେଲର ନେଟଓ୍ବର୍କକୁ ଆହୁରି ଉତ୍ତମ କରିବାରେ ସହାୟକ ହେବ । ଡିଲ୍‌ ଫଳରେ ଗ୍ରାମାଞ୍ଚଳରେ ସ୍କୁଲ, ସ୍ବାସ୍ଥ୍ୟ କେନ୍ଦ୍ର, ଦୁର୍ଗମ ଅଞ୍ଚଳରେ ଇଣ୍ଟରନେଟ୍‌ ସେବା ପହଞ୍ଚିପାରିବ। ସ୍ପେଶଏକ୍ସ, ଭାରତରେ ଏୟାରଟେଲରର ମୌଳିକ ଢାଞ୍ଚାର ବ୍ୟବହାର କରିପାରିବ। ଡିଲ୍ ପୂରା ହେଲେ ଏୟାରଟେଲ ଏହାର ଷ୍ଟୋରରେ ଷ୍ଟାରଲିଙ୍କ୍ ଉପକରଣ ବିକ୍ରି କରିପାରିବ। 

ଡିଲ୍‌କୁ ନେଇ ଭାରତୀ ଏୟାରଟେଲର ପ୍ରବନ୍ଧ ନିର୍ଦ୍ଦେଶକ ଏବଂ ଉପାଧ୍ୟକ୍ଷ ଗୋପାଳ ବିଟ୍ଟଲ କହିଛନ୍ତି ‘ସ୍ପେଶଏକ୍ସ ସହ ମିଶି ଭାରତରେ ଏୟାରଟେଲ ଗ୍ରାହକଙ୍କ ପାଇଁ ଷ୍ଟାରଲିଙ୍କ ସେବା ପ୍ରଦାନ କରିବା ଏକ ମହତ୍ବପୂର୍ଣ୍ଣ ଉପଲବ୍ଧ । ଏହା ଏୟାରଟେଲର ଆଗାମୀ ପିଢ଼ିର ସାଟେଲାଇଟ୍‌ କନେକ୍ଟିଭିଟି ପ୍ରତି ପ୍ରତିବଦ୍ଧତାକୁ ଆହୁରି ମଜଭୁତ କରୁଛି।’ ସେହିଭଳି ସ୍ପେଶଏକ୍ସ ଅଧ୍ୟକ୍ଷ ଏବଂ ମୁଖ୍ୟ ପରିଚାଳନା ଅଧିକାରୀ ଗ୍ବେନ ସଟଓ୍ବେଲ କହିଛନ୍ତି ‘ଷ୍ଟାରଲିଙ୍କ୍‌, ଏୟାରଟେଲ ସହ କାମ କରିବା ଏବଂ ଭାରତର ଲୋକଙ୍କ ପାଇଁ ଷ୍ଟାରଲିଙ୍କ୍‌ ଦ୍ବାରା ଆସିବାକୁ ଥିବା ପରିବର୍ତ୍ତନକାରୀ ପ୍ରଭାବକୁ ସାମ୍‌ନାକୁ ଆଣିବା ପାଇଁ ଉତ୍ସାହିତ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.