ପୁରୀ ୧୭।୮: ସେମାନେ ବାଇକ୍ରେ ଆସିଥିଲେ… ମୁଁ ଘରକୁ ଫେରୁଥିଲି… ସେମାନେ ମୁହଁରେ ରୁମାଲ ବାନ୍ଧିଥିଲେ… ଜଙ୍ଗଲରେ କିରୋସିନି ଢ଼ାଳିଥିଲେ... ରୁମାଲରେ ସେମାନେ କିଛି ଆଣିଥିଲେ... ରୁମାଲ ମୁହଁରେ ଚାପିଦେବାରୁ ମୁଁ ବେହୋସ ହୋଇଯାଇଥିଲି... ତାପରେ ମୋ ହୋସ୍ ଆସିଥିଲା... ହସ୍ପିଟାଲ ବେଡ଼୍ରେ ଶୋଇଥିବା ଜଣେ ରୋଗୀ କିଛି ଅଧିକାରୀଙ୍କ ପ୍ରଶ୍ନରେ ଏଭଳି କିଛି ବୟାନ ଦେଉଥିବାର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଯାହା ବଳଙ୍ଗା ନାବାଳିକାଙ୍କ ମୃତ୍ୟୁ ପୂର୍ବର ଶେଷ ବୟାନ ବୋଲି ଚର୍ଚ୍ଚା ହେଉଛି ।
ଏହି ଭିଡିଓ ଭାଇରାଲ୍ ହେବା ପରେ ବଳଙ୍ଗା ନାବାଳିକା ପୋଡ଼ି ମୃତ୍ୟୁ ଘଟଣା ପୁଣି ଚର୍ଚ୍ଚାକୁ ଫେରିଛି । ବଳଙ୍ଗା ପୀଡ଼ିତା ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସମୟରେ ପୋଲିସ ପକ୍ଷରୁ ବୟାନ ରେକର୍ଡ କରାଯାଇଥିଲା । ତେବେ ଏହି ଭାଇରାଲ୍ ଭିଡିଓଟି ସେହି ସମୟର ବୋଲି ଚର୍ଚ୍ଚା ହେଉଛି ।
ସେପଟେ ଘଟଣାକୁ ମାସେ ବିତିବାକୁ ଯାଉଥିବା ବେଳେ ଘଟଣାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ପୋଲିସ ସ୍ପଷ୍ଟ କରିନାହିଁ । ପୀଡ଼ିତା ଜଣଙ୍କ ଏମ୍ସରେ ଚିକିତ୍ସାଧୀନ ଥିବା ବେଳେ ପୋଲିସ ନେଉଥିବା ବୟାନ ରେକର୍ଡ ସମୟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା କୁହାଯାଉଛି । ତେବେ କିଏ ଏହାକୁ ଭାଇରାଲ କରିଛି ଏବଂ ଏହା ପଛରେ କ’ଣ ଉଦ୍ଦେଶ୍ୟ ରହିଛି ? ଭିଡିଓଟି ସୋସିଆଲ ମିଡିଆକୁ କେମିତି ଆସିଲା ? ଏହା ଏକ ସମ୍ବେଦନଶୀଳ ଘଟଣା । ଏହା କୌଣସି ପରିସ୍ଥିତିରେ ବାହାରକୁ ଆସିବା କଥା ନୁହଁ । କିଏ ଏହାକୁ ସର୍ବସାଧାରଣ କରିଛି ତାକୁ ନେଇ ପ୍ରଶ୍ନ ଉଠିଛି ।
କିନ୍ତୁ ଏହି ଭିଡିଓଟି ଡାକ୍ତରଖାନା ଭିତରେ ରେକର୍ଡିଂ ହୋଇଛି ବୋଲି ସ୍ପଷ୍ଟ ଜଣାପଡ଼ିଛି । ଭୁବନେଶ୍ଵର କିମ୍ବା ଦିଲ୍ଲୀ ଏମ୍ସରେ ପୀଡ଼ିତା ଚିକିତ୍ସିତ ହେଉଥିବା ସମୟରେ ଏହି ଭିଡିଓ ରେକର୍ଡିଂ ହୋଇଥିବା କୁହାଯାଉଛି । ବୟାନ ରେକର୍ଡ ସମୟରେ ଜଣେ ମହିଳା ଅଧିକାରୀ ବୟାନ ରେକର୍ଡ କରିବା ସହ ବିଭିନ୍ନ ପ୍ରଶ୍ନ କରୁଛନ୍ତି । ଘଟଣା ଘଟିବା ସମୟରେ ସେ କେଉଁଠି ଥିଲେ ? କିଏ ଆସିଥିଲେ ? କେଉଁଥିଲେ ଆସିଥିଲେ ? ବେହୋସ କେମିତି ହେଲେ ? ଆଦି ପ୍ରଶ୍ନର ଗୋଟି ଗୋଟି କରି ଉତ୍ତର ରଖୁଛନ୍ତି ପୀଡ଼ିତା । ୧ ମିନିଟ୍ ୨୯ ସେକେଣ୍ଡର ଏହି ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଥିବା ବେଳେ ଏହାକୁ ନେଇ କୌଣସି ଅଧିକାରୀଙ୍କ ପ୍ରତିକ୍ରିୟା ଏପର୍ଯ୍ୟନ୍ତ ମିଳିପାରିନାହିଁ । ଏସବୁ ଚର୍ଚ୍ଚା ଭିତରେ ଏବେ ନାବାଳିକା ମୃତ୍ୟୁ ଘଟଣାର ପ୍ରକୃତ କାରଣ ପୋଲିସ ସ୍ପଷ୍ଟ କରିବା ଆବଶ୍ୟକ ବୋଲି ସାଧାରଣରେ ଦାବି ହୋଇଛି ।
You Can Read:
ଧରାପଡିଗଲା ଜଙ୍ଗଲୀ ବାବୁଙ୍କ ଲାଞ୍ଚ କାରବାର : କାଠ ମାଫିଆ ଠାରୁ ଲାଞ୍ଚ ନେଲେ, ବଳକା ଟଙ୍କା ଫେରାଇଦେଲେ