ଶ୍ରୀଲଙ୍କାକୁ ମିଳିଲା IMFଙ୍କ ବେଲ ଆଉଟ୍ ପ୍ୟାକେଜ୍, ଜାଣନ୍ତୁ ପ୍ରଥମ କିସ୍ତିରେ ମିଳିଛି କେତେ ?

Published By : Prameya-News7 Bureau | March 23, 2023 IST

କଲମ୍ବୋ ୨୩।୩: ଗୁରୁତର ଆର୍ଥିକ ସଂକଟରେ ଫଶିଥିବା ଶ୍ରୀଲଙ୍କାକୁ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମଏଫ)ରୁ ଆର୍ଥିକ ପ୍ୟାକେଜ ମିଳିଛି। ନିକଟରେ ଆଇଏମଏଫ ଶ୍ରୀଲଙ୍କା ନିମନ୍ତେ ରେସ୍କ୍ୟୁ ପ୍ୟାକେଜ ଆକାରରେ ୩ ବିଲିୟନ ଡଲାର ମଞ୍ଜୁର କରିଥିଲେ। ଏଥିରୁ ୩୩୦ ମିଲିୟନ ଡଲାରର ପ୍ରଥମ କିସ୍ତି ମିଳିଯାଇଛି। ଶ୍ରୀଲଙ୍କା ରାଷ୍ଟ୍ରପତି ରନିଲ ୱିକ୍ରମସିଂଘେ ନିଜେ ସଂସଦକୁ ଏହି ସୂଚନା ଦେଇଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ ଶ୍ରୀଲଙ୍କା ସରକାର ଆଇଏମଏଫଙ୍କ ସର୍ତ୍ତ ଅନୁସାରେ ପଦକ୍ଷେପ ନେଇଥିଲେ।

ଶ୍ରୀଲଙ୍କାର ପଦକ୍ଷେପରେ ସନ୍ତୁଷ୍ଟ ଆଇଏମଏଫ ରିଲିଫ ପ୍ୟାକେଜ୍‌କୁ ମଞ୍ଜୁରୀ ଦେଇଛନ୍ତି। ତେବେ ଏଥିରେ ସବୁଠୁ ଯାହା ଖାସ କଥା ତାହା ହେଉଛି ଆଇଏମଏଫରୁ ମିଳିଥିବା ପାଣ୍ଠିକୁ ପ୍ରଥମ ଥର ସରକାରୀ ଖର୍ଚ୍ଚ ଲାଗି ମଧ୍ୟ ବ୍ୟବହାର କରାଯାଇ ପାରିବ। ତେବେ ଆଇଏମଏଫଙ୍କ ମୋଟ ବେଲ ଆଉଟ୍ ପ୍ୟାକେଜ୍ ଶ୍ରୀଲଙ୍କାକୁ ଆଗାମୀ ୪ ବର୍ଷରେ ମିଳିବ। ଏହି ପ୍ୟାକେଜ୍ ଆର୍ଥିକ ଦେବାଳିଆ ହୋଇପଡିଥିବା ଶ୍ରୀଲଙ୍କାର ପରିସ୍ଥିତିରେ ସୁଧାର ଆଣିବ। ଏହା ଶ୍ରୀଲଙ୍କା ଲାଗି ଆଇଏମଏଫଙ୍କ ସପ୍ତଦଶ(୧୭)ତମ ବେଲ ଆଉଟ୍ ପ୍ୟାକେଜ୍।

{"id":762241,"sizeSlug":"full","linkDestination":"none"}

ଶ୍ରୀଲଙ୍କା ଗଣମାଧ୍ୟମ ଅନୁସାରେ ୨୦୦୯ ମସିହାରେ ଦେଶରେ ଚାଲିଥିବା ଗୃହ ଯୁଦ୍ଧ ପରେ ଦେଶକୁ ଆଇଏମଏଫଙ୍କ ତୃତୀୟ ବେଲ ଆଉଟ୍। ଶ୍ରୀଲଙ୍କା ସରକାର ଆଇଏମଏଫରୁ ମିଳିଥିବା ବେଲ୍ ଆଉଟ୍ ପ୍ୟାକେଜ୍‌କୁ ନିଜ ଖର୍ଚ୍ଚ ଲାଗି ମଧ୍ୟ ବ୍ୟୟ କରିପାରିବେ। ରାଷ୍ଟ୍ରପତି ୱିକ୍ରମ ସିଂଘେ କହିଛନ୍ତି ଯେ ତାଙ୍କ ସରକାରୀ ଅଧିକାରୀମାନେ ଏପ୍ରିଲ ତୃତୀୟ ସପ୍ତାହରେ ବଣ୍ଡ ହୋଲ୍ଡର୍ସ ଓ ବାଇଲେଟରାଲ କରଜଦାତାଙ୍କ ସହ ପରବର୍ତ୍ତି ପର୍ଯ୍ୟାୟ ଆଲୋଚନା କରିବେ।

ସେପଟେ ଗୁରୁତର ଆର୍ଥିକ ସଂକଟରେ ଫଶିଥିବା ଭାରତର ଅନ୍ୟତମ ପଡୋଶୀ ପାକିସ୍ତାନ ଏବେ ମଧ୍ୟ ଆଇଏମଏଫଙ୍କ ପ୍ୟାକେଜକୁ ଅପେକ୍ଷା କରି ବସିଛି। ଫଳରେ ଦେଶ ଉପରେ ବିଦେଶୀ ଋଣ ବଢି ବଢି ଚାଲିଥିବା ବେଳେ ଦେଶରେ ମୁଦ୍ରାସ୍ପିତି ୩୧ ପ୍ରତିଶତକୁ ପହଞ୍ଚି ଯାଇଛି। ଏହା ଛଡା ପାକିସ୍ତାନର ବିଦେଶୀ ମୁଦ୍ରା ଭଣ୍ଡାର ମଧ୍ୟ ଶେଷ ହେବା ଅବସ୍ଥାକୁ ଆସିଗଲାଣି। ପାକିସ୍ତାନ ଆର୍ଥିକ ସଂକଟର ମୁକାବିଲା ଲାଗି ଆଇଏମଏଫଙ୍କୁ ୧.୧ ବିଲିୟନ ଡଲାରର ସହାୟତା ନିବେଦନ କରିଛି। ତେବେ ପାକିସ୍ତାନ ସମ୍ପର୍କରେ ଆଇଏମଏଫ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ଉପନୀତ ହୋଇ ପାରି ନାହାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.