ICC ରାଙ୍କିଂରେ ବଡ ପରିବର୍ତ୍ତନ; ବସି ବସି ଲାଭ ପାଇଲେ ରୋହିତ-ତିଲକ, କ୍ଷତି ସହିଲେ ବାବର ଆଜମ

Published By : Prameya-News7 Bureau | August 13, 2025 IST

ନୂଆଦିଲ୍ଲୀ ୧୩।୦୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) । ବୁଧବାର ପୁରୁଷ ଖେଳାଳିଙ୍କ ସଦ୍ୟତମ ରାଙ୍କିଂ ପ୍ରକାଶ କରିଛି । ଯେଉଁଥିରେ  ହୋଇଛି ଏକ ବଡ଼ ପରିବର୍ତ୍ତନ । ଭାରତୀୟ ODI ଦଳର ଅଧିନାୟକ ରୋହିତ ଶର୍ମା କିଛି ନକରି ଲାଭ ଉଠାଇଛନ୍ତି । ସେ ଗୋଟିଏ ସ୍ଥାନ ଉପରକୁ ଉଠି ODI ବ୍ୟାଟରଙ୍କ ତାଲିକାରେ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି । ବର୍ତ୍ତମାନ ତାଙ୍କ ଖାତାରେ ୭୫୬ ରେଟିଂ ପଏଣ୍ଟ ରହିଛି । ଭାରତ ମାର୍ଚ୍ଚ ୨୦୨୫ରେ ଶେଷ ODI ଖେଳିଥିଲା । କିନ୍ତୁ ରୋହିତ ପାକିସ୍ତାନ ବ୍ୟାଟର ବାବର ଆଜମଙ୍କ ଖରାପ ପ୍ରଦର୍ଶନରୁ ଲାଭ ପାଇଛନ୍ତି । ବାବର ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ODI ସିରିଜରେ ଫ୍ଲପ୍ ହୋଇଥିଲେ । ସେ ଶେଷ ୨ଟି ମ୍ୟାଚରେ ୦ ଏବଂ ୯ ରନ୍ କରିଥିଲେ । ଯାହା ପରେ ତାଙ୍କୁ କ୍ଷତି ସହିବାକୁ ପଡିଲା। ବାବର ୭୫୧ ପଏଣ୍ଟ ସହିତ ତୃତୀୟ ସ୍ଥାନକୁ ଖସି ଯାଇଛନ୍ତି।

ଶୀର୍ଷ-୧୦ରେ ଭାରତର ୪ ଜଣ ବ୍ୟାଟର ରହିଛନ୍ତି । ଶୁଭମନ ଗିଲ ୭୮୪ ରେଟିଂ ସହ ନମ୍ବର-୧ ଦିନିକିଆ ବ୍ୟାଟର ହୋଇଛନ୍ତି । ଷ୍ଟାର କ୍ରିକେଟର ବିରାଟ କୋହଲି ୭୩୬ ରେଟିଂରେ ଚତୁର୍ଥ ଏବଂ ଶ୍ରେୟସ ଆୟର ୭୦୪ ରେଟିଂରେ ଅଷ୍ଟମ ସ୍ଥାନରେ ରହିଛନ୍ତି। 

ଏହାରି ମଧ୍ୟରେ ICC ପୁରୁଷ T20 ଖେଳାଳି ରାଙ୍କିଂରେ ମଧ୍ୟ ଏକ ପରିବର୍ତ୍ତନ ଆସିଛି। ଭାରତର ଯୁବ ବ୍ୟାଟର ତିଲକ ବର୍ମା ଗୋଟିଏ ସ୍ଥାନ ଉପରକୁ ଉଠି ଦ୍ୱିତୀୟ ସ୍ଥାନରେ ପହଞ୍ଚିଛନ୍ତି । ତାଙ୍କର ୮୦୪ ପଏଣ୍ଟ ରହିଛି । ତିଲକ ଫେବୃଆରୀ ୨୦୨୫ରେ ତାଙ୍କର ଶେଷ T20 ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । ସେ ଅଷ୍ଟ୍ରେଲୀୟ ବ୍ୟାଟର ଟ୍ରାଭିସ୍ ହେଡ୍ ଙ୍କ ଫ୍ଲପ୍ ଶୋ’ରୁ ଲାଭ ପାଇଛନ୍ତି । ହେଡ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା T20 ସିରିଜର ପ୍ରଥମ ଦୁଇଟି ମ୍ୟାଚରେ କେବଳ ୨ ଏବଂ ୫ ରନ୍ କରିପାରିଥିଲେ । ଏଥିପାଇଁ ସେ ୭୮୨ ପଏଣ୍ଟରେ ରହି ୨ଟି ସ୍ଥାନକୁ ଖସି ଚତୁର୍ଥ ସ୍ଥାନରେ ପହଞ୍ଚିଛନ୍ତି । ଫିଲ୍ ସଲ୍ଟ ୭୯୧ ପଏଣ୍ଟ ସହ ତୃତୀୟ ସ୍ଥାନରେ ଅଛନ୍ତି ଏବଂ ଭାରତର ଅଭିଷେକ ଶର୍ମା ୮୨୯ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛନ୍ତି।

ଅଷ୍ଟ୍ରେଲିଆର ଟିମ୍ ଡେଭିଡ୍ ୬ଟି ସ୍ଥାନ ଡେଇଁଛନ୍ତି । ସେ T20 ବ୍ୟାଟର ତାଲିକାରେ ଦଶମ ସ୍ଥାନରେ ପହଞ୍ଚିଛନ୍ତି । ତାଙ୍କର ୬୮୦ ରେଟିଂ ପଏଣ୍ଟ ଅଛି । ଡେଭିଡ୍ ତାଙ୍କ କ୍ୟାରିୟରର ଏକ ନୂଆ ସର୍ବୋଚ୍ଚ ରେଟିଂ ହାସଲ କରିଛନ୍ତି । ସେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜର ପ୍ରଥମ ୨ଟି ମ୍ୟାଚ୍‌ରେ ସର୍ବାଧିକ ରନ୍ ସ୍କୋରର୍ ହୋଇଥିଲେ । ଡେଭିଡ୍‌ଙ୍କ ସାଥୀ କ୍ୟାମେରନ୍‌ ଗ୍ରୀନ୍‌ ମଧ୍ୟ ୬ଟି ସ୍ଥାନ ଉପରକୁ ଉଠି ୧୭ତମ ସ୍ଥାନରେ ପହଞ୍ଚିଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟି-୨୦ରେ ଝଡ଼ପୂର୍ଣ୍ଣ ଶତକ ହାସଲ କରିଥିବା ଡିୱାଲ୍ଡ ବ୍ରେଭିସ୍‌ ୨୧ତମ ସ୍ଥାନରେ ପହଞ୍ଚିଛନ୍ତି । ସେ ଟି-୨୦ ବ୍ୟାଟିଂ ରାଙ୍କିଙ୍ଗରେ ଶୀର୍ଷ ୧୦୦ ବାହାରେ ଥିଲେ । ସେହିପରି ଟ୍ରିଷ୍ଟାନ୍ ଷ୍ଟବ୍ସ ୧୨ଟି ସ୍ଥାନ ଉପରକୁ ଉଠି ୨୭ତମ ସ୍ଥାନରେ ପହଞ୍ଚିଛନ୍ତି ।

ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ମ୍ୟାଟ୍ ହେନରୀ ୮୪୬ ପଏଣ୍ଟ ସହ କ୍ୟାରିୟରର ନୂଆ  ସର୍ବୋଚ୍ଚ ରେଟିଂ ହାସଲ କରିଛନ୍ତି । ସେ ଟେଷ୍ଟ ବୋଲରଙ୍କ ରାଙ୍କିଙ୍ଗରେ ଗୋଟିଏ ସ୍ଥାନ ଉପରକୁ ଉଠି ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି । ହେନରୀ ୯.୧୨ ହାରରେ ସିରିଜ୍‌ରେ ୧୬ ୱିକେଟ୍ ନେଇଥିଲେ । ତାଙ୍କୁ ସିରିଜ୍‌ର ଶ୍ରେଷ୍ଠ ଖେଳାଳି ମନୋନୀତ କରାଯାଇଥିଲା। ଅଷ୍ଟ୍ରେଲିଆର ଅଧିନାୟକ ପ୍ୟାଟ୍ କମିନ୍ସ ୮୩୮ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ଅଛନ୍ତି। ଦକ୍ଷିଣ ଆଫ୍ରିକାର କାଗିସୋ ରାବାଡା ୮୫୧ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଭାରତର ଷ୍ଟାର ପେସର ଜସପ୍ରୀତ ବୁମରାହ ୮୮୯  ପଏଣ୍ଟ ସହ ଶୀର୍ଷରେ ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.