ଭୁବନେଶ୍ବର ୨୨।୮: ଓଡ଼ିଶା ୨୦୨୪ ନିର୍ବାଚନୀ ସମ୍ପର୍କିତ ପୁସ୍ତକ “ଭଏସ୍ ଆଣ୍ଡ୍ ଭୋଟ୍ସ” ଉନ୍ମୋଚିତ । ଶୁକ୍ରବାର ଭୁବନେଶ୍ୱର ଠାରେ ବିଶିଷ୍ଟ ଲେଖକ ତଥା ପ୍ରଫେସର ଡଃ ନେତାଜୀ ଅଭିନନ୍ଦନ ଓ ପ୍ରୀତ୍ ବୁବନାଙ୍କ ଦ୍ୱାରା ରଚିତ ଇଂରାଜି ପୁସ୍ତକ “ଭଏସ୍ ଆଣ୍ଡ୍ ଭୋଟ୍ସ : ଓଡ଼ିଶା ଇଲେକ୍ଟ୍ରୋରାଲ ରିନେସନ୍ସ ଅଫ୍ - ୨୦୨୪” ପୁସ୍ତକ ଉନ୍ମୋଚିତ ହୋଇଛି । ଏହି ପୁସ୍ତକ ଉନ୍ମୋଚନ କରିବା ଅବସରରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଆକ୍ସିଡେଣ୍ଟାଲ୍ ନୁହେଁ ବରଂ ଜନଆସ୍ଥା ଓ କାର୍ଯ୍ୟକର୍ତ୍ତାଙ୍କ ତ୍ୟାଗ ଓ ପରିଶ୍ରମ ବଳରେ ବିଜେପି ଓଡ଼ିଶାରେ ଏକକ ସରକାର କରିପାରିଛି ।
ଧର୍ମେନ୍ଦ୍ର ପ୍ରଧାନ ଏହାର ଲେଖକ ତଥା ପ୍ରକାଶକଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇ କହିଛନ୍ତି, ଇତିହାସ ଓ ବର୍ତ୍ତମାନକୁ ପୁସ୍ତକର ରୂପ ଦେଲେ ଭବିଷ୍ୟତକୁ ଯିବା ସହଜ ହୁଏ । ଗତ କିଛି ଦିନ ପୂର୍ବରୁ ଚୌଧୁରୀ ଅମିତାଭ ଦାସଙ୍କ ଦ୍ୱାରା ଲିଖିତ “ନିର୍ବାଚନ ୨୦୨୪-ଓଡ଼ିଶା ରାଜନୀତିର କଡ଼ ଲେଉଟାଣି” ପୁସ୍ତକକୁ ଉନ୍ମୋଚନ କରିବାର ସୌଭାଗ୍ୟ ମିଳିଥିଲା । ଓଡ଼ିଶାର ରାଜନୀତିକୁ ଜାଣିବା ପାଇଁ ଆଜି ଏପରି ବିଶ୍ଳେଷଣାତ୍ମକ ପୁସ୍ତକ ଉନ୍ମୋଚନ ସ୍ୱାଗତଯୋଗ୍ୟ । ଏହି ପୁସ୍ତକଟି ସବୁ ବର୍ଗଙ୍କ ପାଖରେ ଆଦୃତ ହେବା ନେଇ କାମନା କରିବା ସହ ଓଡ଼ିଆ ଭାଷାରେ ମଧ୍ୟ ପ୍ରକାଶ କରିବା ପାଇଁ ସେ ଆଗ୍ରହ ରଖିଛନ୍ତି ।
ଓଡ଼ିଶା ଏବଂ ସର୍ବଭାରତୀୟ ସ୍ତରରେ ବିଜେପି ରାଜନୈତିକ ଯାତ୍ରା ଉପରେ ଆଲୋକପାତ କରିଥିଲେ କେନ୍ଦ୍ରମନ୍ତ୍ରୀ । ଓଡ଼ିଶାରେ ବିଜେପିର ରାଜନୈତିକ ଅଭ୍ୟୁଦୋୟ, ସଂଖ୍ୟାଲଘୁରୁ ସଂଖ୍ୟାଗରିଷ୍ଠ ପର୍ଯ୍ୟନ୍ତ କାର୍ଯ୍ୟକର୍ତ୍ତାମାନେ ସାମିଲ ହେବା, ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପିର ସଫଳତା, ବିରୋଧୀ ଦଳ ଭୂମିକାରେ ଅବତୀର୍ଣ୍ଣ ହେବା ଏବଂ ଗତ ନିର୍ବାଚନରେ ବିଜେପିର ଏକକ ସରକାର ହେବା ଉପରେ ଧର୍ମେନ୍ଦ୍ର ପ୍ରଧାନ ମତପ୍ରକାଶ କରିଥିଲେ ।
ଏହି ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ପୁସ୍ତକର ଲେଖକଙ୍କ ସମେତ ବରିଷ୍ଠ ସାମ୍ବାଦିକ ସୌମ୍ୟରଞ୍ଜନ ପଟ୍ଟନାୟକ, ରାଜାରାମ ଶତପଥୀ, ବିଶିଷ୍ଟ ଲେଖକ ଅଧ୍ୟାପକ ବିଶ୍ୱରଞ୍ଜନ, ପ୍ରକାଶକ ସୁଭ୍ରାଂଶୁ ପଣ୍ଡା ପ୍ରମୁଖ ଅତିଥିମାନେ ଯୋଗ ଦେଇଥିଲେ ।