BUDGET 2025: କୃଷି ପାଇଁ ୩୭,୮୦୦ କୋଟି ବ୍ୟୟ ଅଟକଳ, 'ସିଏମ କିଷାନ' ପାଇଁ ରହିଛି ଏତିକି କୋଟି

Published By : Prameya-News7 Bureau | February 17, 2025 IST

News7

ଭୁବନେଶ୍ଵର:  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନସଭାରେ ବଜେଟ୍ ୨୦୨୫-୨୬ ଉପସ୍ଥାପନ କରିଛନ୍ତି। ସରକାରକୁ ଆସିବା ପରେ ମୋହନ ସରକାରଙ୍କ ଏହା ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍। ଏଥର ବଜେଟ୍ ଆକାର ୨ ଲକ୍ଷ ୯୦ ହଜାର କୋଟି ଟଙ୍କା ରହିଛି। କୃଷି ପାଇଁ ଏଥର ବଜେଟ୍‌ରେ ୩୭,୮୦୦ କୋଟି ବ୍ୟୟ ଅଟକଳ କରାଯାଇଛି। ଯାହା ଗତ ବର୍ଷ ତୁଳନାରେ ୧୨ ପ୍ରତିଶତ ଅଧିକ ରହିଛି। ସିଏମ କିଷାନ ଯୋଜନାରେ ବ୍ୟୟ ଅଟକଳ ୨ ହଜାର ୨୦ କୋଟି ଟଙ୍କା ରହିଛି। 

ସେହିପରି ଫସଲ ବିବିଧତାର ପ୍ରସାର ପାଇଁ ୬୯୫ କୋଟି ରଖାଯାଇଥିବା ମୁଖ୍ୟମନ୍ତ୍ରୀ ନିଜର ବଜେଟ୍ ଅଭିଭାଷଣରେ କହିଛନ୍ତି। ମିଲେଟ୍ ଶ୍ରୀଅନ୍ନ ଯୋଜନା ୧୭୭ଟି ବ୍ଲକକୁ ବର୍ଦ୍ଧିତ କରାଯାଇଛି। ମିଲେଟ୍ ପାଇଁ ଏମଏସପି ୪୨୯୦ କୋଟି ଟଙ୍କା ବାଦ ଅଧିକ ୨୦୦ ଟଙ୍କା ମିଳିବ। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ପାଇଁ ୨୯୩ କୋଟି ରଖାଯାଇଛି। ଓୟୁଏଟି ପାଇଁ ୫୧୧ କୋଟିର ବ୍ୟୟବରାଦ କରାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ୨୦୨୫-୨୬ରେ ୨ ଲକ୍ଷ ୮୫ ହେକ୍ଟର ଜମି ଜଳସେଚିତ କରିବୁ।ଚଳିତ ବର୍ଷ ଲୋୟର ସୁକତେଲ ପ୍ରକଳ୍ପ କାର୍ଯ୍ୟ ସରିବ।

Also read: State Budget : ୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟ ସରକାର ଶୀତଳଭଣ୍ଡାର ପ୍ରତିଷ୍ଠା କରିବା ଉପରେ ମଧ୍ୟ ଗୁରୁତ୍ବ ଦେଉଛନ୍ତି।  ଏଥିପାଇଁ ୨୫୨ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଏହାଦ୍ବାରା ରାଜ୍ୟର ୫୮ଟି ଉପଖଣ୍ଡରେ ଶୀତଳଭଣ୍ଡାର ଉପସ୍ଥାପନ ହୋଇପାରିବ। ୧.୮୦ ଲକ୍ଷଙ୍କ କୃଷକଙ୍କୁ ଆଳୁ ମିସନରେ ସାମିଲ କରାଯାଇଛି । ଏହି ମିସନରେ ଚଳିତ ରବି ଋତୁରେ ମୋଟ ୧ ଲକ୍ଷ ୬୦ ହଜାର କ୍ବିଣ୍ଟାଲ ବିହନ ଯୋଗାଇଦିଆଯାଇଛି ।

ଜଳ ଭିତ୍ତିଭୂମି ଓ ବିକାଶ ପାଇଁ ୧୩୧୫ କୋଟି ବ୍ୟୟବରାଦ କରାଯାଇଛି। ସେହିପରି  ତ୍ବରିତ ଜଳସେଚନ ଲାଭ ଯୋଜନା ପାଇଁ ୧୭୮୬ କୋଟି, ପାର୍ବତୀ ଗିରି ମେଗା ଉଠାଜଳସେଚନ ପ୍ରକଳ୍ପ ପାଇଁ ୧୩୧୮ କୋଟି ଓ ଜଳସଂରକ୍ଷଣ ଭିତ୍ତିଭୂମି ପାଇଁ ୮୮୦ କୋଟି ବ୍ୟୟବରାଦ କରାଯାଇଛି। 

ମୁଖ୍ୟମନ୍ତ୍ରୀ ମାଝୀ ବଜେଟ୍ ଉପସ୍ଥାପନ କରି କହିଛନ୍ତି, 'ଆମ ସରକାର ସମୃଦ୍ଧ ଓଡ଼ିଶା ୨୦୩୬ର ଯାତ୍ରା ଆରମ୍ଭ କରିଛନ୍ତି । ଯେଉଁ ସମୟରେ ଆମେ ୫୦୦ ବିଲିୟନ ଆମେରିକୀୟ ଡଲାରର ଅର୍ଥନୀତି ହେବା ନେଇ ଆଶା ରଖିଛୁ । ବିକଶିତ ଓଡ଼ିଶା ପାଇଁ ଆମର ଦୃଷ୍ଟିକୋଣ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୂର୍ବୋଦୟ ରଣନୀତି ଉପରେ ଆଧାରିତ ।' ରାଜ୍ୟର ଅଭିବୃଦ୍ଧି   ହାର ୭.୨ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.