ଭୁବନେଶ୍ବର ୬।୧୨: ପୋଲାଭରମ୍ ପ୍ରସଙ୍ଗରେ ମୁଲତବୀ ପ୍ରସ୍ତାବ ବିଧାନସଭାରେ ଅଗ୍ରାହ୍ୟ ହେବାରୁ ଗୃହରେ ହଟ୍ଟଗୋଳ କଲେ କଂଗ୍ରେସ ସଦସ୍ୟ । ପୋଲାଭରମ୍ରେ ଓଡ଼ିଶା ବୁଡୁଛି, ଆନ୍ଧ୍ର ହସୁଛି । ରାଜ୍ୟ ସରକାର ଚୁପ୍ ବସିଛନ୍ତି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ । ସେ ଆହୁରି ମଧ୍ୟ କହିଛନ୍ତି କେନ୍ଦ୍ର ସରକାର ପୋଲାଭରମ୍ ଉପରେ ଅହେତୁକ ଅନୁକମ୍ପା ଅଜାଡ଼ି ଦେଉଛନ୍ତି । ମୋହନ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି । ସେଥିପାଇଁ କଂଗ୍ରେସ ମୁଲତବୀ ପ୍ରସ୍ତାବ ଆଣିଥିଲା । କିନ୍ତୁ ସୁପ୍ରିମକୋର୍ଟଙ୍କ ଆଳ ଦେଖାଇ ଗୃହରେ ମୁଲତବୀ ପ୍ରସ୍ତାବ ଅଗ୍ରାହ୍ୟ କରିଦେଲେ ବାଚସ୍ପତି । ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଯାଉଛନ୍ତି କିନ୍ତୁ ପୋଲାଭରମ୍ କଥା ଉଠାଉ ନାହାନ୍ତି । ଡବଲ୍ ଇଞ୍ଜିନ ସରକାର ରାଜ୍ୟ ସ୍ବାର୍ଥ ପାଇଁ ଆଗେଇ ଆସୁନାହାନ୍ତି । ଯଦି ସରକାର ପଦକ୍ଷେପ ନ ନିଅନ୍ତି ତେବେ ଆଗାମୀ ଦିନରେ ଜନ ଆନ୍ଦୋଳନକୁ ଓହ୍ଲାଇବ ବୋଲି କଂଗ୍ରେସ ଚେତାବନୀ ଦେଇଛି ।
ଉଲ୍ଲେଖଯୋଗ୍ୟ ଯେ, ଶୁକ୍ରବାର ବିଧାନସଭା ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପୋଲାଭରମ୍ ପ୍ରସଙ୍ଗ ଉଠାଇଥିଲା କଂଗ୍ରେସ । ଏହାସହ ମୁଲତବୀ ପ୍ରସ୍ତାବ ମଧ୍ୟ ଆଣିଥିଲେ । ଏହାକୁ ବାଚସ୍ପତି ଗ୍ରହଣ ନକରିବାରୁ ଗୃହରେ ହୋହଲ୍ଲା କରିଥିଲେ କଂଗ୍ରେସ ବିଧାୟକ । ଫଳରେ ବାଚସ୍ପତି ଗୃହକୁ ସାଢ଼େ ୧୧ଟା ପର୍ଯ୍ୟନ୍ତ ମୁଲତବୀ କରିଥିଲେ । ପରେ ପୁଣି ସମାନ ପ୍ରସଙ୍ଗ ଉଠାଇ ହୋହଲ୍ଲା କରିଥିଲେ କଂଗ୍ରେସ ସଦସ୍ୟ । ଫଳରେ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ।
You Can Read: