ମୁମ୍ଵାଇ ୨୭।୦୭; ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲ। ତାଙ୍କର ପୂର୍ବତନ ପତ୍ନୀ ତଥା କୋରିଓଗ୍ରାଫର ଧନଶ୍ରୀ ବର୍ମା। ତାଙ୍କ ସହ ଛାଡପତ୍ର ହେବାର ପ୍ରାୟ ୫ମାସ ବିତିଗଲାଣି। ଆଇପିଏଲ ଆରମ୍ଭ ପୂର୍ବରୁ ଦୁହିଁଙ୍କର ଛାଡପତ୍ର ଉପରେ ଚୂଡ଼ାନ୍ତ ରାୟ ଶୁଣାଇଥିଲେ କୋର୍ଟ। ଭରଣପୋଷଣ ବାବଦକୁ ଟଙ୍କା ଦେବା ପରେ ଦମ୍ପତ୍ତି ଅଲଗା ହୋଇଥିଲେ। ଛାଡ଼ପତ୍ର ପୂର୍ବରୁ ଗତ ବର୍ଷ ଡିସେମ୍ବର ମାସରୁ ଚହଲଙ୍କ ନାମ ଆରଜେ ମହବେଶଙ୍କ ସହ ଯୋଡା ଯାଇଥିଲା। ଆଇସିସି ଚାମ୍ପିଅନ୍ସ ଟ୍ରଫି ସମୟରେ, ଚହଲଙ୍କୁ ତାଙ୍କ ତଥାକଥିତ ପ୍ରେମିକା ଆରଜେ ମହବଶଙ୍କ ସହ ଷ୍ଟାଡିୟମରେ ମ୍ୟାଚ୍ ଦେଖୁଥିବାର ଦେଖାଯାଇଥିଲା। ଯାହା ପରେ ସେମାନଙ୍କ ଡେଟିଂର ଗୁଜବ ଆରମ୍ଭ ହୋଇଥିଲା।
ଏହା ପରେ ଆରଜେ, ଅନେକ ଥର ଚହଲଙ୍କ ଫଟୋରେ ପ୍ରଶଂସା କରି ଚର୍ଚ୍ଚାକୁ ବଢ଼ାଇଥିଲେ। ଏବେ କ୍ରିକେଟର ଋଷଭ ପନ୍ତ କରିଥିବା ଖୁଲାସା ଆଶ୍ଚର୍ଯ୍ୟ କରିଛି। କପିଲଙ୍କ ସୋ’ରେ ଜଜ୍ ଭାବେ ନଜର ଆସୁଥିବା ଅର୍ଚ୍ଚନା ପୂରଣ ସିଂହଙ୍କ ବ୍ଲଗରେ ଋଷଭ, ଚହଲଙ୍କୁ ନେଇ କରିଥିବା ଖୁଲାସା ସମସ୍ତଙ୍କୁ ଚକିତ କରିଛି। ବ୍ଲଗରେ ଦେଖାଯାଇଛି ଯେ, ଅର୍ଚ୍ଚନା ଦୁର୍ଘଟଣା ବିଷୟରେ ଋଷଭଙ୍କୁ ପଚାରୁଛନ୍ତି। ଏହା ପରେ ଦୁର୍ଘଟଣା କିଭଳି ତାଙ୍କ ଜୀବନ ବଦଳାଇ ଦେଇଥିଲା ତାହା ଋଷଭ କହୁଛନ୍ତି । ଏହା ସହ ସେ ୟୁଟ୍ୟୁବ ଚ୍ୟାନେଲ ଆରମ୍ଭ କରିଛି ବୋଲି ଋଷଭ, ଅର୍ଚ୍ଚନାଙ୍କୁ କହୁଛନ୍ତି।
ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍ ବିଷୟରେ କହୁଥିବା ସମୟରେ, ୟୁଜଭେନ୍ଦ୍ର ଚହଲଙ୍କ ଆଙ୍ଗୁଠିରେ ଋଷଭ ଏକ ମୁଦି ପିନ୍ଧାଉଥିବାର ଦେଖି ଅର୍ଚ୍ଚନା ତାଙ୍କୁ ହସି ହସି ପଚାରୁଛନ୍ତି, "ତୁମେ ଏବେ ତାଙ୍କ ସହିତ ନିର୍ବନ୍ଧ କରୁଛ କି?" ଏହା ଶୁଣି ଋଷଭ କହୁଛନ୍ତି, "ତାଙ୍କର ତ ପୂର୍ବରୁ ନିର୍ବନ୍ଧ ସରିଛି।" ଏହା ଶୁଣି ଚହଲ କହୁଛନ୍ତି, "ସେ ନିର୍ବନ୍ଧ ଏବେ ଭାଙ୍ଗିଯାଇଛି।" ତେବେ ଋଷଭ ଏଠାରେ ଧନଶ୍ରୀଙ୍କ ସହ ଚହଲଙ୍କ ନିର୍ବନ୍ଧ ବିଷୟରେ କହିଥିଲେ ବୋଲି ସ୍ପଷ୍ଟ ହୋଇଛି। ହେଲେ ଏହା ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।