ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାରରେ ଦୁଇ ଦିନ ଧରି ଜାରି କରିଥିବା ବୃଦ୍ଧିରେ ବ୍ରେକ୍ ଲାଗିଛି । ମେ ୨୭ ମଙ୍ଗଳବାର ସେନସେକ୍ସ ୬୨୫ ଅଙ୍କ ଖସି ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ଖସି ପୁଣି ଥରେ ୨୪,୮୫୦ ତଳେ ବନ୍ଦ ହୋଇଛି । ଦୁର୍ବଳ ବୈଶ୍ୱିକ ସଂକେତ ଓ ଲାଭ ଅସୁଲ ଯୋଗୁ ବଜାରରେ ଏହି ହ୍ରାସ ଦେଖିବାକୁ ମିଳିଛି । ଆଜିର ଏହି ହ୍ରାସ ଯୋଗୁ ନିବେଶକଙ୍କ ସମ୍ପତ୍ତି ଆଜି ପ୍ରାୟ ୧.୧ ଲକ୍ଷ କୋଟି ଟଙ୍କା ବୁଡ଼ିଯାଇଛି । ତେବେ ମିଡ୍କ୍ୟାପ୍ ଓ ସ୍ମଲ୍କ୍ୟାପ୍ ସେୟାରରେ ବିପରୀତ ସ୍ଥିତି ଦେଖିବାକୁ ମିଳିଥିଲା । ଉଭୟ ଇଣ୍ଡେକ୍ସ ପ୍ରାୟ ୦.୧୯ ପ୍ରତିଶତ ବଢି ବନ୍ଦ ହୋଇଛି । ଯଦି ସେକ୍ଟୋରାଲ୍ ଇଣ୍ଡେକ୍ସ କଥା କହିବା ତେବେ ଆଇଟି ଓ ବ୍ୟାଙ୍କିଂ ସେୟାରରେ ସବୁଠୁ ଅଧିକ ହ୍ରାସ ଦେଖିବାକୁ ମିଳିଛି ।
କାରବାର ଶେଷରେ ବିଏସ୍ଇ ସେନ୍ସେକ୍ସ ୬୨୪.୮୨ ଅଙ୍କ ବା ୦.୭୬ ପ୍ରତିଶତ ହ୍ରାସ ସହ ୮୧,୫୫୧.୬୩ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ଏନ୍ଏସ୍ଇର ୫୦ ସେୟାର ବିଶିଷ୍ଟ ଇଣ୍ଡେକ୍ସ ୧୭୪.୯୫ ଅଙ୍କ ବା ୦.୭୦ ପ୍ରତିଶତ ଖସି ୨୪,୮୨୬.୨୦ ସ୍ତରରେ ବନ୍ଦ ହୋଇଛି ।
ବିଏସ୍ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମୋଟ ମାର୍କେଟ୍ କ୍ୟାପ୍ ଆଜି କମି ୪୪୩.୬୬ ଲକ୍ଷ କୋଟି ଟଙ୍କା ହୋଇଛି । ଯାହା ପୂର୍ବ କାରବାର ଦିନ ଅର୍ଥାତ୍ ସୋମବାର ମେ ୨୬ରେ ୪୪୪.୭୯ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସ୍ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମାର୍କେଟ୍ କ୍ୟାର୍ ଆଜି ପ୍ରାୟ ୧.୧୩ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି ।
ବିଏସଇରେ ସେନସେକ୍ସର ୩୦ ମଧ୍ୟରୁ ୫ ସେୟାର ଆଜି ସବୁଜ ସଂକେତରେ ବନ୍ଦ ହୋଇଛି । ଏଥିରୁ ଇଣ୍ଡସଇଣ୍ଡ୍ ବ୍ୟାଙ୍କର ସେୟାରରେ ସବୁଠୁ ଅଧିକ ୨.୬୦ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି । ସେହିପରି ୨୫ ସେୟାର ଲାଲ୍ ସଂକେତରେ ବନ୍ଦ ହୋଇଛି । ଅଲ୍ଟ୍ରାଟେକ୍ ସିମେଣ୍ଟ ସେୟାର ୨.୨୧ ପ୍ରତିଶତ ସହ ଟପ୍ ଲୁଜର ହୋଇଛି ।