୨୫,୦୦୦ ଉପରେ ବନ୍ଦ ହେଲା ନିଫ୍ଟି, ନିବେଶକଙ୍କ ଲାଭ ୩ ଲକ୍ଷ କୋଟି ଟଙ୍କା

Published By : Prameya-News7 Bureau | May 26, 2025 IST

ନୂଆଦିଲ୍ଲୀ: ଭାରତୀୟ ସେୟାର ବଜାରରେ ଲଗାତାର ଦ୍ୱିତୀୟ ଦିନରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି । ସେନସେକ୍ସ ୪୫୫ ଅଙ୍କ ଉପରକୁ ଉଠି ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ବଢି ପୁଣି ଥରେ ୨୫,୦୦୦ ଉପରେ ପହଞ୍ଚିଛି । ଆଇଟି ଓ ମେଟାଲ୍ ସେୟାରରେ ଆଜି ଜୋରଦାର କ୍ରୟ ଦେଖିବାକୁ ମିଳିଥିଲା । ଏହି କାରଣରୁ ନିବେଶକଙ୍କୁ ଆଜି ପ୍ରାୟ ୩ ଲକ୍ଷ କୋଟି ଟଙ୍କା ଲାଭ ହୋଇଛି ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁରୋପୀୟ ୟୁନିୟନ ଉପରେ ଟାରିଫ୍ ଲଗାଇବା ସମୟକୁ ବଢାଇଛନ୍ତି, ଯେଉଁଥି ପାଇଁ ଗ୍ଲୋବାଲ୍ ମାର୍କେର ସେଣ୍ଟିମେଣ୍ଟ ଭଲ ରହିଛି । ଏହା ବ୍ୟତୀତ ଭାରତ ଦୁନିଆର ଚତୁର୍ଥ ଅର୍ଥବ୍ୟବସ୍ଥା ହେବା ଓ ଆରବିଆଇ ଦ୍ୱାରା ରେକର୍ଡ ଲାଭାଂଶ ପ୍ରଦାନ ସେୟାର ମାର୍କେଟରେ ସେଣ୍ଟିମେଣ୍ଟକୁ ମଜଭୁତ କରିଛି । ବିଏସ୍‌ଇ ମିଡ୍‌କ୍ୟାପ୍ ଇଣ୍ଡେକ୍ସ ୦.୫୬ ଶତାଂଶ ଓ ସ୍ମଲ୍‌କ୍ୟାପ୍ ଇଣ୍ଡେକ୍ସ ୦.୪୮ ପ୍ରତିଶତ ବଢିଛି ।

କାରବାର ଶେଷରେ ବିଏସ୍‌ଇ ସେନ୍‌ସେକ୍ସ ୪୫୫.୮ ଅଙ୍କ ବା ୦.୫୬ ପ୍ରତିଶତ ବଢି ୮୨,୧୭୬.୪୫ ସ୍ତରରେ ବନ୍ଦ ହୋଇଛି । ଅନ୍ୟପଟେ ଏନ୍‌ଏସ୍‌ଇର ୫୦ ସେୟାର ବିଶିଷ୍ଟ ଇଣ୍ଡେକ୍ସ ୧୪୮ ଅଙ୍କ ବା ୦.୬୦ ପ୍ରତିଶତ ବଢି ୨୫,୦୦୧.୧୫ ସ୍ତରରେ ବନ୍ଦ ହୋଇଛି ।

ବିଏସ୍‌ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମୋଟ୍ ମାର୍କେଟ୍ କ୍ୟାପ୍ ମେ ୨୬ରେ ବଢି ୪୪୪.୮୧ ଲକ୍ଷ କୋଟି ଟଙ୍କା ହୋଇଛି, ଯାହା ପୂର୍ବ କାରବାର ଦିନ ଅର୍ଥାତ୍ ଶୁକ୍ରବାର ୪୪୧.୯୬ ଲକ୍ଷ କୋଟି ଟଙ୍କା ଥିଲା । ଏହିପରି ବିଏସ୍‌ଇରେ ସୂଚୀବଦ୍ଧ କମ୍ପାନିଗୁଡ଼ିକର ମାର୍କେଟ୍ କ୍ୟାପ୍ ଆଜି ୨.୮୫ ଲକ୍ଷ କୋଟି ଟଙ୍କା ବଢିଛି । ଅନ୍ୟ ଶବ୍ଦରେ କହିବାକୁ ଗଲେ ନିବେଶକଙ୍କ ସମ୍ପତ୍ତି ୨.୮୫ ଲକ୍ଷ କୋଟି ଟଙ୍କା ବଢିଛି ।

ବିଏସ୍‌ଇ ସେନ୍‌ସେକ୍ସର ୩୦ ସେୟାର ମଧ୍ୟରୁ ୨୨ ସେୟାର ଆଜି ସବୁଜ ସଂକେତ ଅର୍ଥାତ୍ ବୃଦ୍ଧି ସହ ବନ୍ଦ ହୋଇଛି । ଏଥିରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ସେୟାରରେ ୨.୧୭ ପ୍ରତିଶତର ସବୁଠୁ ଅଧିକ ବୃଦ୍ଧି ଦେଖିବାକୁ ମିଳିଛି । ସେହିପରି ୮ ସେୟାର ଲାଲ୍ ସଂକେତରେ ବନ୍ଦ ହୋଇଛି । ଇଟର୍ନଲ ସେୟାର ସବୁଠୁ ଅଧିକ ୪.୫୧ ପ୍ରତିଶତ ହ୍ରାସ ସହ ଟପ୍ ଲୁଜର ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.