ଭୁବନେଶ୍ବର ୪।୬: ଲୋକସେବା ଭବନ ଠାରେ ଆୟୋଜିତ ହୋଇଯାଇଛି ରାଜ୍ୟସ୍ତରୀୟ ରାଜସ୍ୱ ଅଧିକାରୀଙ୍କ ସମ୍ମିଳନୀ ତଥା କର୍ମଶାଳା । ଏହି ସମ୍ମିଳନୀରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଶାସନ-ପ୍ରଶାସନ ବ୍ୟବସ୍ଥାରେ ତହସିଲଦାରମାନେ ହେଉଛନ୍ତି ଆମ ରାଜସ୍ୱ ପ୍ରଶାସନର ମେରୁଦଣ୍ଡ । ଏଣୁ ଆପଣ ସମସ୍ତେ ଲୋକଙ୍କ ଅଭିଯୋଗ ଶୁଣନ୍ତୁ ଓ ତାହାର ତ୍ୱରିତ ସମାଧାନ ପାଇଁ ଚେଷ୍ଟା କରନ୍ତୁ l ଆପଣଙ୍କ ଅଫିସ୍ ଲୋକଙ୍କ ପାଇଁ ଭୟର ନୁହେଁ, ବିଶ୍ୱାସର ସ୍ଥାନ ହେଉ । ଆମ ସରକାର ଭୂମି ପ୍ରଶାସନକୁ ଆଧୁନିକ ଏବଂ ଲୋକଭିମୁଖୀ କରିବା ପାଇଁ ପ୍ରତିଶୃତିବଦ୍ଧ । ଓଡ଼ିଶାରେ କେହିବି ଭୂମିହୀନ ରହିବେ ନାହିଁ । ଯେଉଁମାନଙ୍କର ୪ ଡେସିମିଲରୁ କମ୍ ଜମି ଅଛି, ସେମାନଙ୍କୁ ବି ଭୂମିହୀନ ଭାବେ ଗଣାହେବ ଏବଂ ସରକାର ସେମାନଙ୍କୁ ଜମି ଯୋଗାଇ ଦେବେ । ତେଣୁ, ଏହି ଯୋଜନାକୁ ପ୍ରଭାବୀ ଭାବେ ଲାଗୁ କରିବା ପାଇଁ ଆପଣମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ଲୋକଙ୍କ ସରକାର ହିସାବରେ ଲୋକ ଏବଂ ସରକାରଙ୍କ ବ୍ୟବଧାନ କମାଇବା ଦରକାର । ନ୍ୟାୟ ପ୍ରଦାନ କରିବା ଆମର ପ୍ରଥମ କର୍ତ୍ତବ୍ୟ । ଆମ ସରକାର ଆସିବାର କିଛି ଦିନ ଭିତରେ ଏକ ବାତ୍ୟାର ସମ୍ମୁଖୀନ ହୋଇଥିଲୁ । ମୁଁ ସନ୍ତୋଷ ସହକାରେ କହିବାକୁ ଚାହେଁ ଯେ ବିଭାଗୀୟ ମନ୍ତ୍ରୀଙ୍କ ନେତୃତ୍ବରେ ବାତ୍ୟା “ଦାନା’’ର ସଫଳ ମୁକାବିଲା କରାଯାଇଛି । ‘ଜିରୋ କାଜୁଆଲ୍ଟି’ ଅଭିଯାନକୁ ସାକାର କରିବା ପାଇଁ ପ୍ରାୟ ୮.୧ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇ ୬ ହଜାର ୨୧୦ଟି ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ସମସ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆପଣମାନେ ସରକାରର ପ୍ରତିନିଧି ଭାବରେ ଗାଁ ଓ ଗ୍ରାମବାସୀଙ୍କୁ ସମୟରେ ଓ ନ୍ୟାୟସଙ୍ଗତ ସେବା ଦେବା ପାଇଁ ତତ୍ପର ହେବା ଆବଶ୍ୟକ ଅଛି । ସମାଜର ଶେଷ ଧାଡିରେ ଥିବା ଲୋକ ପର୍ଯ୍ୟନ୍ତ ସେବା ପହଞ୍ଚାନ୍ତୁ । ଯେଉଁମାନେ ଦୀର୍ଘଦିନ ଧରି ବଞ୍ଚିତ ଓ ଅବହେଳିତ – ସେମାନେ ହେଉଛନ୍ତି ସରକାରଙ୍କ ପ୍ରଥମ ପ୍ରାଥମିକତା । ବହୁତ ମୂଲ୍ୟବାନ ସରକାରୀ ଜମି ଜବରଦଖଲରେ ଅଛି । ସେହି ସରକାରୀ ଜମିକୁ ଆପଣ ଜବରଦଖଲମୁକ୍ତ କରି ତାହାର ସୁରକ୍ଷା କରନ୍ତୁ l ଆଗାମୀ ଦିନରେ ସରକାର ଅନେକ ରାଜସ୍ୱ କ୍ଷେତ୍ରରେ ଅନେକ ସଂସ୍କାର ଆଣିବାକୁ ଯାଉଛନ୍ତି । ସମୟ ସୀମା ମଧ୍ୟରେ ଦାଖଲ ଖାରଜ ମାମଲା ଓ ଅନ୍ୟାନ୍ୟ ଜମିଜମା ମାମଲାର ତ୍ୱରିତ ଫଇସଲା କରନ୍ତୁ l ଜମିଜମା ସଂକ୍ରାନ୍ତୀୟ ମାମଲା ବିଚାର କଲାବେଳେ ସଂପୂର୍ଣ୍ଣ ସ୍ଵଚ୍ଛତା ସହିତ କରିବେ । କାରଣ, ଯେତେବେଳେ ଆପଣ ଏହି ଭୂମିକା ତୁଲାନ୍ତି, ସେତେବେଳେ ଆପଣ ନ୍ୟାୟ ଦଣ୍ଡରେ ବିରାଜମାନ କରିଥାନ୍ତି । ଏହି କଥାକୁ ସବୁବେଳେ ମନେ ରଖିବେ ।
ସେ କହିଥିଲେ ଯେ, ଜନଜାତି ଏବଂ ଅନୁସୂଚିତ ଜାତିଙ୍କ ଜମି କିଣା ବିକାରେ ଅନେକ ସମୟରେ ଅନିୟମିତତା ଦେଖାଯାଇଥାଏ । ଏହି କିଣାବିକା ତହସିଲଦାରଙ୍କ ଅଗୋଚରରେ ହେବା ପ୍ରାୟତଃ ଅସମ୍ଭବ । ତେଣୁ, ଏହି ସମ୍ବନ୍ଧୀୟ ସବୁ ବିବାଦ, କିଣାବିକାରେ ସାମାନ୍ୟତମ ବ୍ୟତିକ୍ରମ ହେବା ଉଚିତ ନୁହେଁ । ଯଦି ଜ୍ଞାତସରରେ କିଛି ତ୍ରୁଟି ହୁଏ, ଏହାର ପରିଣାମ ସେହି ଅଧିକାରୀ ଭୋଗିବେ । ଏଥିରେ ସରକାରଙ୍କ ‘ଶୂନ୍ୟ ସହନଶୀଳତା’ ଅଛି । କିଛି ଦିନ ପରେ ମୌସୁମୀ ବର୍ଷା ଆରମ୍ଭ ହୋଇଯିବ । କିଛି କିଛି ଅଞ୍ଚଳରେ ଆରମ୍ଭ ହୋଇଗଲାଣି । ତେଣୁ, ସମସ୍ତେ ପାଣିପାଗ ବିଭାଗଦ୍ଵାରା ଜାରି ପାଣିପାଗ ସୂଚନାକୁ ନିୟମିତ ଭାବେ ଫଲୋ କରୁଥିବେ ଏବଂ ତଦନୁସାରେ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ଏସ୍ଓପି ଅନୁଯାୟୀ ପଦକ୍ଷେପ ଗ୍ରହଣ କରିବେ । ଚଳିତ ମାସ ଠାରୁ ଆରମ୍ଭ କରି ନଭେମ୍ବର ପର୍ଯ୍ୟନ୍ତ ମୌସୁମୀ ବର୍ଷା ଏବଂ ବାତ୍ୟା ଲାଗି ରହିବ । ତେଣୁ, ଏଥିପାଇଁ ନିଜ ନିଜ ଅଞ୍ଚଳର ପାରିପାର୍ଶିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁରା ପ୍ରଶାସନକୁ ପ୍ରସ୍ତୁତ କରିବେ ।
କର୍ତ୍ତବ୍ୟପରାୟଣ ଓ ସଚ୍ଚୋଟ ହୁଅନ୍ତୁ । ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଏ ସରକାର ବରଦାସ୍ତ କରିବେ ନାହିଁ । ଭଲ କାମ କରୁଥିବା ଅଧିକାରୀଙ୍କୁ ନିଶ୍ଚୟ ପୁରସ୍କୃତ କରାଯିବ । ପ୍ରତିଷ୍ଠା ନୁହେଁ, ସମର୍ପଣ ହେଉ ଆପଣମାନଙ୍କ ମାନଦଣ୍ଡ l ଏକ ସ୍ୱଚ୍ଛ ଓ ଦୁର୍ନୀତି ମୁକ୍ତ ରାଜସ୍ୱ ପ୍ରଶାସନ ଆମର ଲକ୍ଷ୍ୟ ଓ ଉଦ୍ଦେଶ୍ୟ । ଏହି ଲକ୍ଷ୍ୟକୁ ଆଖି ଆଗରେ ରଖି ଆମକୁ କାର୍ଯ୍ୟ କରିବାକୁ ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ପରିଶେଷରେ କହିଥିଲେ ।
କାର୍ଯ୍ୟକ୍ରମରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ, କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର ବି. ପରମେଶ୍ୱରନ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏବଂ ଉନ୍ନୟନ କମିଶନର ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ଦୁଇ ଦିନିଆ କର୍ମଶାଳାର ପ୍ରଥମ ଅଧିବେଶନରେ ସମସ୍ତ ଜିଲ୍ଲାର ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ତହସିଲଦାର ମାନେ ଅଂଶଗ୍ରହଣ କରିଥିଲେ ।
You Can Read:
ପାରାଦୀପ ଆଇସ୍ ପ୍ଲାଣ୍ଟରେ ଆମୋନିଆ ଗ୍ୟାସ୍ ଲିକ୍ : ୪ ଜଣ ସାମାନ୍ୟ ଅସୁସ୍ଥ