ଇଣ୍ଡିଗୋରୁ ନିଜ ଶେୟାର ବିକିଲେ କୋ- ଫାଉଣ୍ଡର, ୧୧ ହଜାର ୩୮୫ କୋଟିରେ ବିକିଲେ ୫.୭ ଅଂଶଧନ

Published By : Prameya-News7 Bureau | May 27, 2025 IST

ନୂଆଦିଲ୍ଲୀ: ଇଣ୍ଟରଗ୍ଲୋବ ଆଭିଏସନର ପ୍ରମୋଟର ରାକେଶ ଗଙ୍ଗଓ୍ବାଲ ଏବଂ ତାଙ୍କ ଫ୍ୟାମିଲି ଟ୍ରଷ୍ଟ, ଇଣ୍ଡିଗୋରେ ଥିବା ଏହାର ୫.୭ ପ୍ରତିଶତ ଅଂଶଧନ ବିକ୍ରି କରିଛି। ‘ବ୍ଲକ୍ ଡିଲ୍’ ଦ୍ବାରା ପ୍ରାୟ ୧୧, ୩୮୬ କୋଟି ଟଙ୍କାରେ ଏହି ଶେୟାର ବିକ୍ରି ହୋଇଛି।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଗଙ୍ଗଓ୍ବାଲଙ୍କ ବ୍ୟତୀତ ଚିଙ୍କରପୁ ଫ୍ୟାମିଲି ଟ୍ରଷ୍ଟ ଏହି ଶେୟାର ବିକ୍ରି କରିଛି। ଗୋଲ୍ଡମ୍ୟାନ ସାକ୍ସ, ମର୍ଗାନ ଷ୍ଟାନଲି ଏବଂ ଜେପି ମର୍ଗାନ ଭଳି ବଡ଼ ଇନଭେଷ୍ଟମେଣ୍ଟ ବ୍ୟାଙ୍କ ଏହି ଡିଲ୍‌କୁ କାର୍ଯ୍ୟକାରୀ କରିବେ। ସୂଚନାଥାଉକି, ଚିଙ୍କରପୁ ଫ୍ୟାମିଲି ଟ୍ରଷ୍ଟର ଟ୍ରଷ୍ଟି ହେଉଛି ଶୋଭା ଗଙ୍ଗଓ୍ବାଲ ଏବଂ ଡେଲାଓ୍ବେୟାରର ଜେପି ମର୍ଗାନ ଟ୍ରଷ୍ଟ କମ୍ପାନି । ପୂର୍ବରୁ ଗଙ୍ଗଓ୍ବାଲ ଏବଂ ପାରିବାରିକ ଟ୍ରଷ୍ଟ ନିକଟରେ ଇଣ୍ଡିଗୋରେ ପ୍ରାୟ ୧୩.୫ ପ୍ରତିଶତ ଅଂଶଧନ ଥିଲା। ଏହି ବ୍ଲକ୍ ଡିଲ ଅନୁଯାୟ ୫,୧୭୫ ଟଙ୍କା ପ୍ରତି ଶେୟାରର ମୂଲ୍ୟରେ ୨.୨ କୋଟି ଶେୟାର ବିକ୍ରି ହୋଇଛି।

ଏହା ପୂର୍ବରୁ ରାକେଶ ଗଙ୍ଗଓ୍ବାଲଙ୍କ ଫ୍ୟାମିଲି ଟ୍ରଷ୍ଟ ବିମାନ କମ୍ପାନିରେ ୫.୨୪ ପ୍ରତିଶତ ଅଂଶଧନ ୯, ୫୪୯ କୋଟି ଟଙ୍କାରେ ଅଗଷ୍ଟ ୨୦୨୪ରେ ବିକ୍ରି କରିଥିଲେ। ଏହା ପୂର୍ବରୁ ଗଙ୍ଗଓ୍ବାଲ ମାର୍ଚ୍ଚରେ ଇଣ୍ଡିଗୋର ଶେୟାର ବିକିଥିଲେ। 

ସୂଚନାଯୋଗ୍ୟ, ମାର୍କେଟ ଶେୟାର ହିସାବରେ ଇଣ୍ଡିଗୋ ଦେଶର ସବୁଠୁ ବଡ଼ ଏୟାରଲାଇନ। ଭାରତୀୟ ଏୟାରଲାଇନ ମାର୍କେଟରେ କମ୍ପାନିର ଶେୟାର ପ୍ରାୟ ୬୪% ରହିଛି। ୨୦୦୫ରେ ରାହୁଲ ଭାଟିଆ ଏବଂ ରାକେଶ ଗଙ୍ଗଓ୍ବାଲ କମ୍ପାନିର ସ୍ଥାପନା କରିଥିଲେ। କମ୍ପାନି ପ୍ରତିଦିନ ୨୦୦୦ରୁ ଅଧିକ ଫ୍ଲାଇଟ ଅପରେଟ କରୁଛି। ୮୦ରୁ ଅଧିକ ଘରୋଇ ଏବଂ ୩୦ରୁ ଅଧିକ ଅନ୍ତର୍ଜାତୀୟ ରୁଟରେ ଉଡ଼ାଣ କରୁଛି। ଏହା ୧୧୦ରୁ ଅଧିକ ଗନ୍ତବ୍ୟସ୍ଥଳକୁ ଯୋଡ଼ୁଛି। ଏୟାରଲାଇନ୍ସର ୩୨୦ରୁ ଅଧିକ ଏୟାରକ୍ରାଫ୍ଟ ଫ୍ଲିଟ୍ ରହିଛି। ଏହାର ୫୦ କୋଟିରୁ ଅଧିକ ଗ୍ରାହକ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.