ଜାନୁଆରୀ ୨୬ରୁ କଂଗ୍ରେସର ‘ସମ୍ବିଧାନ ବଚାଓ ରାଷ୍ଟ୍ରୀୟ ପଦ ଯାତ୍ରା’, ଗୋଟିଏ ବର୍ଷ ଯାଏ ଚାଲିବ ଅଭିଯାନ

Published By : Prameya-News7 Bureau | December 26, 2024 IST

india today

ନୂଆଦିଲ୍ଲୀ: କଂଗ୍ରେସ ଆସନ୍ତାବର୍ଷ ଜାନୁଆରୀ ୨୬ରୁ ‘ସମ୍ବିଧାନ ବଚାଓ ରାଷ୍ଟ୍ରୀୟ ପଦ ଯାତ୍ରା’ ଆରମ୍ଭ କରିବ। କଂଗ୍ରେସ କାର୍ଯ୍ୟକାରୀ କମିଟି(ସିଡବ୍ଲ୍ୟୁସି)ର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବୈଠକ ପରେ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ‘ଭାରତ ଯୋଡ଼ୋ ଯାତ୍ରା’ କଂଗ୍ରେସକୁ ସଞ୍ଜିବନୀ ଦେବା ସହ ଦଳର ରାଜନୈତିକ ଗତିବିଧିକୁ ଏକ ନୂତନ ମୋଡ଼ ଦେଇଥିଲା। ଆମେ ଭାରତ ଯୋଡ଼ୋ ଯାତ୍ରା ବି ଆୟୋଜନ କଲୁ। ଏବେ ୨୦୨୫ ଜାନୁଆରୀ ୨୬ରୁ ଗୋଟିଏ ବର୍ଷ ପର୍ଯ୍ୟନ୍ତ ‘ସମ୍ବିଧାନ ବଚାଓ ରାଷ୍ଟ୍ରୀୟ ପଦ ଯାତ୍ରା’ ଅଭିଯାନ ଚଲାଇବୁ।  

କଂଗ୍ରେସ ନେତା କେସି ବେଣୁଗୋପାଳ କହିଛନ୍ତି, କଂଗ୍ରେସ ୨୦୨୪ ଡିସେମ୍ବରରୁ ୨୦୨୬ ଜାନୁଆରୀ  ପର୍ଯ୍ୟନ୍ତ ଲୋକଙ୍କ ହିତ  ସଂପର୍କିତ ପ୍ରସଙ୍ଗ ଉଠାଇ ‘ଜୟ ବାପୁ, ଜୟ ଭୀମ, ଜୟ ସମ୍ବିଧାନ’ ରାଜନୈତିକ ଅଭିଯାନ ଆରମ୍ଭ କରିବ। ପିଟିଆଇ ଅନୁଯାୟୀ, କଂଗ୍ରେସ କାର୍ଯ୍ୟକାରୀ କମିଟିରେ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଇସ୍ତଫା ଦାବି ପ୍ରସଙ୍ଗ ଜୋରଦାର କରିବା ନେଇ ନିଷ୍ପତ୍ତି ହୋଇଛି। 

Also read: DMKକୁ କ୍ଷମତାରୁ ନ ହଟାଇବା ପର୍ଯ୍ୟନ୍ତ ଚପଲ ପିନ୍ଧିବି ନାହିଁ, ବିଜେପି ରାଜ୍ୟ ସଭାପତିଙ୍କ ଘୋଷଣା

ଏଥିସହ ଯଥା ଶୀଘ୍ର ସାମାଜିକ –ଆର୍ଥିକ ଜାତିଗତ ଜନଗଣନା ପ୍ରସ୍ତାବ ବୈଠକରେ ରଖା ଯାଇଛି। ସିଡବ୍ଲ୍ୟୁସି ଦରଦାମ ବୃଦ୍ଧି ଉପରେ ଚିନ୍ତା ବ୍ୟକ୍ତ କରିଛି। ଏହା ସହିତ ମଧ୍ୟବିତ୍ତ ପରିବାର ପାଇଁ ବଜେଟ୍‌ରେ ଟ୍ୟାକ୍ସରୁ ଆଶ୍ଵସ୍ତି ଦେବାକୁ ସରକାରଙ୍କୁ ଅପିଲ୍ କରିଛି । ସିଡବ୍ଲ୍ୟୁସି ବାଂଲାଦେଶରେ ଧାର୍ମିକ ସଂଖ୍ୟାଲଘୁ ଉପରେ ମଧ୍ୟ ଚିନ୍ତା ବ୍ୟକ୍ତ କରିବା ସହ କେନ୍ଦ୍ର ସରକାର ବାଂଲାଦେଶରେ ହିନ୍ଦୁଙ୍କ ସୁରକ୍ଷା ଓ ଶାନ୍ତି ସୁନିଶ୍ଚିତ କରିବାକୁ କଂଗ୍ରେସ ଅପିଲ୍ କରିଛି।

ଇଣ୍ଡିଆ ମେଣ୍ଟକୁ ନେଇ ଆପ୍‌ର ପ୍ରଶ୍ନ ଉପରେ କଂଗ୍ରେସର କେସି ବେଣୁଗୋପାଳ କହିଛନ୍ତି, ଆମେ ଇଣ୍ଡି ମେଣ୍ଟକୁ ନେଇ ଯତ୍ନବାନ ଅଛୁ। ଇଣ୍ଡି ମେଣ୍ଟର ସହଭାଗୀ ଦଳ ପ୍ରତି ଆମର ସମ୍ମାନ ରହିଛି। ‘ସମ୍ବିଧାନ ବଚାଓ ରାଷ୍ଟ୍ରୀୟ ପଦ ଯାତ୍ରା’ ଆଧାରରେ ଗାଁ ଗାଁ ସହରରେ ପଦଯାତ୍ରା ବାହାର କରାଯିବ। ଏଥିରେ ସମସ୍ତ ବଡ଼ ନେତା ସାମିଲ ହେବେ ବୋଲି ସେ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.