ଭୁବନେଶ୍ବର: ରାଜ୍ୟରେ ବର୍ଷୁଛି ନିଆଁ। ପ୍ରଚଣ୍ଡ ରୌଦ୍ର ତାପରେ ଅସ୍ତବ୍ୟସ୍ତ ସାରା ରାଜ୍ୟବାସୀ। ବିଶେଷ କରି ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ଖରାର ତାତି ଅସହନୀୟ ହୋଇପଡ଼ିଛି। ଝାରସୁଗୁଡ଼ା କଥା ତ’ ନକହିବା ଭଲ। କାରଣ ଏଠାରେ ତାପମାତ୍ରା ଦିନକୁ ଦିନ ରେକର୍ଡ ଭାଙ୍ଗିବାରେ ଲାଗିଛି। ସୋମବାର ୪୫.୪ ଡିଗ୍ରୀ ସହ ଝାରସୁଗୁଡ଼ା ଦେଶର ଦ୍ୱିତୀୟ ଉତ୍ତପ୍ତ ସହର ପାଲଟିଥିବାବେଳେ, ମଙ୍ଗଳବାର ତାତି ଭାଙ୍ଗିଛି ଏହାର ସର୍ବକାଳୀନ ରେକର୍ଡ। ମଙ୍ଗଳବାର ଝାରସୁଗୁଡ଼ାରେ ତାତି ପାର୍ କରିଛି ଝାରସୁଗୁଡ଼ାରେ ୪୬.୨ ଡିଗ୍ରୀ ତାପମାତ୍ରା। ଆଉ ପ୍ରଚଣ୍ଡ ଖରାରେ ସନ୍ତୁଳି ହେଉଛନ୍ତି ଝାରସୁଗୁଡ଼ାବାସୀ। ଉପକୂଳ ଓଡ଼ିଶାରେ ତାତି କମ୍ ଥିଲେ ବି ଅସମ୍ଭାଳ ହୋଇଛି ଗୁଳୁଗୁଳି ପ୍ରକୋପ ।
ସେହିଭଳି ରାଜ୍ୟର ଅନ୍ୟ ସହର କଥା ଦେଖିଲେ ମଙ୍ଗଳବାର, ହୀରାକୁଦ ୪୪.୭, ସମ୍ବଲପୁର ୪୪.୬, ବୌଦ୍ଧ ୪୪.୫, ଟିଟିଲାଗଡ଼ ୪୪, ସୁନ୍ଦରଗଡ଼ ୪୩.୮, ସୋନପୁର ୪୩.୮, ବଲାଙ୍ଗୀର ୪୩.୨, ଭବାନୀପାଟଣା ୪୨.୮, ରାଉରକେଲା ଓ ବରଗଡ଼ ୪୨.୮, ଅନୁଗୁଳ ୪୨.୩, ନୂଆପଡ଼ା ୪୨, ତାଳଚେର ୪୦.୬, ପାରଳାଖେମୁଣ୍ଡି ୪୦, କେନ୍ଦୁଝର ୩୯.୯, ମାଲକାନଗିରି, ନୟାଗଡ଼ ୩୯, ଚାନ୍ଦବାଲି ୩୮.୭, ଖୋର୍ଦ୍ଧା ୩୮.୫, ବାରିପଦା ଭଦ୍ରକ ୩୮.୨, କେନ୍ଦ୍ରାପଡ଼ା, ୩୭.୨, କଟକ ୩୬.୮, ଭୁବନେଶ୍ବର ୩୬.୭ ଏବଂ ପୁରୀରେ ୩୪.୮ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ ହୋଇଛି।
ସେପଟେ ପାଣିପାଗ ବିଭାଗର ପୂର୍ବାନୁମାନ, ଆଗକୁ ତାତି ଆହୁରି ସାଂଘାତିକ ରୂପ ନେବ । ୨୩ରୁ ସ୍ଥିତି ଆହୁରି ଅସହ୍ୟ ହେବ । ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ପ୍ରକୋପ ବଢ଼ିବା ସହ ଉପକୂଳ ଓ ସଂଲଗ୍ନ ଜିଲ୍ଲାମାନଙ୍କରେ ଗରମ, ଗୁଳୁଗୁଳି ଆହୁରି ଛଟପଟ କରିବ। ମୁଖ୍ୟତଃ ଦକ୍ଷିଣ ଓଡ଼ିଶାର ଅଳ୍ପ କିଛି ସ୍ଥାନରେ କାଳବୈଶାଖୀ ପ୍ରଭାବରେ ହାଲୁକା ବର୍ଷା ଓ ପବନ ହୋଇପାରେ, ହେଲେବି ବିସ୍ତୃତ ଅଞ୍ଚଳରେ ଏବେ ବର୍ଷା ସମ୍ଭାବନା ନାହିଁ । ଆଉ ଏଭଳି ସ୍ଥିତି ୨୫ ଯାଏ ଲାଗି ରହିବ। ତେବେ ୨୬ରୁ ଗରମ ପ୍ରକୋପ କମିବା ସହ କାଳବୈଶାଖୀ ବଢ଼ିପାରେ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ।