ପୂରା ସିରିଜରେ ମିଳିଲାନି ସୁଯୋଗ, କୁଲଦୀପ ସମେତ ବେଞ୍ଚରେ ବସି ରହିଲେ ଏହି ୩ ଖେଳାଳି

Published By : Prameya-News7 Bureau | July 31, 2025 IST

ନୂଆଦିଲ୍ଲୀ: ଲଣ୍ଡନର ଓଭାଲ ଗ୍ରାଉଣ୍ଡରେ ଖେଳାଯାଉଛି ଭାରତ ଓ ଇଂଲଣ୍ଡ ସିରିଜର ପଞ୍ଚମ ମ୍ୟାଚ୍। ପ୍ରଥମ ୪ଟି ମ୍ୟାଚ୍ ପରେ ଟିମ୍ ଇଣ୍ଡିଆ ସିରିଜରେ ୧-୨ରେ ରହିଛି ପଛୁଆ। ଏହି ମ୍ୟାଚ୍ ଜିତି ସିରିଜ୍ ବରାବର କରିବାକୁ ଭାରତୀୟ ଦଳ ପାଖରେ ରହିଛି ସୁଯୋଗ। ନିର୍ଣ୍ଣାୟକ ମ୍ୟାଚ୍ ପାଇଁ ନିଜର ଚୂଡ଼ାନ୍ତ ଏକାଦଶରେ ୪ଟି ବଡ଼ ପରିବର୍ତ୍ତନ କରିଛି ଭାରତୀୟ ଦଳ। ଏମିତି ପରିବର୍ତ୍ତନ ହେବ ବୋଲି ପୂର୍ବରୁ  ମଧ୍ୟ ଆଶଙ୍କା ଥିଲା। ତେଣୁ ବେଞ୍ଚରେ ବସିଥିବା କିଛି ପ୍ରମୁଖ ଖେଳାଳିଙ୍କୁ ସୁଯୋଗ ମିଳିବ ବୋଲି ଆଶା କରାଯାଉଥିଲା। କିନ୍ତୁ ଏହି ସବୁ ଖେଳାଳିଙ୍କୁ ଶେଷରେ ନିରାଶ ହେବାକୁ ପଡ଼ିଛି। ତାଲିକାରେ ଥିବା ଖେଳାଳି ହେଉଛନ୍ତି କୁଲଦୀପ ଯାଦବ, ଅଭିମନ୍ୟୁ ଈଶ୍ଵରନ ଓ ଅର୍ଶଦୀପ ସିଂ। 

ଆଣ୍ଡରସନ-ତେନ୍ଦୁଲକର ଟେଷ୍ଟ ସିରିଜ୍‌ରେ  ସବୁଠୁ ଅଧିକ ନିରାଶ ହୋଇଛନ୍ତି ରିଷ୍ଟ ସ୍ପିନର ତଥା ଚାଇନାମ୍ୟାନ୍ ବୋଲର କୁଲଦୀପ ଯାଦବ।ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରେ ବଡ଼ ଦାବିଦାର ଖେଳାଳି ଥିଲେ କୁଲଦୀପ। ହେଲେ ବ୍ୟାଟିଂରେ ଗଭୀରତା ପାଇଁ ଏହି ଚାଇନାମ୍ୟାନ ବୋଲରଙ୍କୁ ସର୍ବଦା ଅଣଦେଖା କରିଛନ୍ତି ଟିମ୍ ମ୍ୟାନେଜମେଣ୍ଟ। ମାଞ୍ଚେଷ୍ଟର ଟେଷ୍ଟରେ କୁଲଦୀପଙ୍କୁ ଖେଳାଇବା ପାଇଁ ଦାବି ହେଉଥିଲା। କିନ୍ତୁ ଟିମ୍ ମ୍ୟାନେଜମେନ୍ଟ ଶେଷ ମୁହୂର୍ତ୍ତରେ କୁଲଦୀପଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରି ନଥିଲେ। । କୁଲଦୀପ ହେଉଛନ୍ତି ଭାରତୀୟ ଦଳର ମ୍ୟାଚ୍ ବିଜୟୀ ସ୍ପିନର। ତଥାପି ଆଶା କରାଯାଉଥିଲା ଓଭାଲ ଟେଷ୍ଟରେ ଏହି ତାରକା ବୋଲରଙ୍କୁ ସୁଯୋଗ ମିଳିବ। କିନ୍ତୁ ଓଭାଲର ଘାସୁଆ ପିଚ୍ ଦେଖି ଦ୍ରୁତ ବୋଲରଙ୍କୁ ସୁଯୋଗ ଦେବାରୁ ପୁଣି ଥରେ କୁଲଦୀପ ଯାଦବଙ୍କୁ ନିରାଶ ହେବାକୁ ପଡ଼ିଛି। ଏହା ପୂର୍ବରୁ ବି ଅନେକ ଥର ଏହି ଏହି ବୋଲରଙ୍କୁ କେବଳ ବେଞ୍ଚରେ ବସିବାକୁ ପଡ଼ିଛି।

ଦ୍ୱିତୀୟ ଖେଳାଳିଙ୍କ ନାଁ ହେଉଛି ଅଭିମନ୍ୟୁ ଈଶ୍ୱରନ। ଈଶ୍ଵରନ ସାଧାରଣତଃ ଜଣେ ଓପନିଂ ବ୍ୟାଟର। ତାଙ୍କୁ ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଦଳରେ ମଧ୍ୟ ସ୍ଥାନ ମିଳିଥିଲା, କିନ୍ତୁ ସେତେବେଳେ ବି ଏହି ଖେଳାଳିଙ୍କୁ ସୁଯୋଗ ମିଳିନଥିଲା। ଆଉ ଏବେ ଇଂଲଣ୍ଡ ବିପକ୍ଷ ସିରିଜରେ ଈଶ୍ଵରନଙ୍କୁ ଟେଷ୍ଟରେ ଡେବ୍ୟୁ କରିବାର ବି ମିଳିଲାନି ସୁଯୋଗ। ଯଶସ୍ୱୀ ଜୟସ୍ୱାଲ ଏହି ସିରିଜରେ ବାରମ୍ବାର ବିଫଳ ହୋଇ ଚାଲିଛନ୍ତି।ଅନ୍ୟପଟେ କରୁଣ ନାୟାର ଏବଂ ସାଇ ସୁଦର୍ଶନ ନମ୍ବର-୩ ରେ ସୁଯୋଗ ପାଇ ସାରିଛନ୍ତି।  ଉଭୟଙ୍କ ପ୍ରଦର୍ଶନ ସେତେ ପ୍ରଭାବଶାଳୀ ନାହିଁ। ଏହା ସତ୍ତ୍ୱେ, ଅଭିମନ୍ୟୁ ଈଶ୍ୱରନଙ୍କୁ ଟପ୍ ଅର୍ଡର ବ୍ୟାଟିଂରେ ସୁଯୋଗ ବି ଦିଆଗଲାନି। ଲିଷ୍ଟ ଏ କ୍ରିକେଟ୍‌ରେ ଈଶ୍ଵରନଙ୍କ ପ୍ରଦର୍ଶନ ଦମଦାର ରହିଛି। କିନ୍ତୁ ଦଳ ପ୍ରବନ୍ଧକ ତାଙ୍କୁ ଏ ପର୍ଯ୍ୟନ୍ତ ବେଞ୍ଚରେ ବସାଇ ଅଣଦେଖା କରି ଚାଲିଛନ୍ତି। 

ତାଲିକାରେ ତୃତୀୟରେ ଅଛନ୍ତି ଅର୍ଶଦୀପ ସିଂହ।  ସମଗ୍ର ସିରିଜରେ ଅର୍ଶଦୀପ ଟେଷ୍ଟ ଡେବ୍ୟୁ ପାଇଁ ଅପେକ୍ଷା କରି ରହିଥିଲେ। ଶେଷ ଟେଷ୍ଟରେ ଦଳରେ ଦୁଇଟି ସ୍ଥାନ ଖାଲି ରହିଥିଲା। ଯଶପ୍ରୀତ ବୁମରାହଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ  ଅଂଶୁଲ କମ୍ବୋଜଙ୍କୁ ଖରାପ ପ୍ରଦର୍ଶନ ଯୋଗୁଁ ବାଦ ଦିଆଯାଇଛି। ବୁମରଙ୍କ ସ୍ଥାନରେ ସ୍ଵାଭାବିକ ଭାବେ ଆକାଶଦୀପଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରାଯାଇଛି। କିନ୍ତୁ ଅଂଶୁଲଙ୍କ ସ୍ଥାନରେ ଅର୍ଶଦୀପଙ୍କୁ ଦଳରେ ସାମିଲ କରାଯାଇ ପାରିଥାନ୍ତା ବୋଲି ଅନେକ କ୍ରିକେଟ୍ ବିଶେଷଜ୍ଞ କହିଛନ୍ତି। କିନ୍ତୁ ଶେଷ ମୁହୂର୍ତ୍ତରେ ପ୍ରସିଦ୍ଧ କୃଷ୍ଣଙ୍କୁ ଦଳରେ ସ୍ଥାନ ମିଳିଲା। ଆଉ ଏହି ବାମହାତୀ ଷ୍ଟାର ବୋରଲଙ୍କ ଟେଷ୍ଟ ଡେବ୍ୟୁ ସ୍ଵପ୍ନ ପୁଣି ଥରେ ଘୁଞ୍ଚି ଯାଇଛି।  ଦେଖିବାକୁ ବାକି ରହିଲା କୁଲଦୀପଙ୍କୁ କେବେ ଧଳା ଜର୍ସିରେ ଦେଖିବାକୁ ମିଳିବ ଏବଂ ଈଶ୍ଵରନ ଓ ଅର୍ଶଦୀପଙ୍କ ଟେଷ୍ଟ ଡେବ୍ୟୁ ସ୍ଵପ୍ନ ପୂରଣ ହେବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.