ଡାଇରେକ୍ଟ ଟ୍ୟାକ୍ସ କଲେକ୍ସନ ପାଖାପାଖି ୧୬% ବୃଦ୍ଧି, ଆର୍ଥିକ ବର୍ଷ ପୂରା ହେବା ପୂର୍ବରୁ ମୋଟ ଆକଳନର ୩୨ ପ୍ରତିଶତ କର ଆଦାୟ

Published By : Prameya-News7 Bureau | August 11, 2023 IST

ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷରେ ଟିକସରୁ ସରକାରଙ୍କ ଆୟ କ୍ରମାଗତ ଭାବେ ବୃଦ୍ଧି ପାଉଛି। କେବଳ ଡାଇରେକ୍ଟ ଟ୍ୟାକ୍ସ କ୍ଷେତ୍ରରେ, ଚଳିତ ଆର୍ଥିକ ବର୍ଷରେ ସରକାର ଗତ ବର୍ଷ ତୁଳନାରେ ୧୫.୭ ପ୍ରତିଶତ ଅଧିକ ଟ୍ୟାକ୍ସ ଆଦାୟ କରିଛନ୍ତି। ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଏତିକି ଟ୍ୟାକ୍ସ ଆଦାୟ ହୋଇଛି।

ଶୁକ୍ରବାର ଜାରି ହୋଇଥିବା ସରକାରୀ ଆକଳନ ଅନୁସାରେ, ଚଳିତ ଆର୍ଥିକ ବର୍ଷରେ ଅଗଷ୍ଟ ୧୦ ପର୍ଯ୍ୟନ୍ତ ସରକାର ପ୍ରତ୍ୟକ୍ଷ ଟିକସରୁ ମୋଟ ୬.୫୩ ଲକ୍ଷ କୋଟି ଟଙ୍କା ସଂଗ୍ରହ କରିଛନ୍ତି। ଗତ ଆର୍ଥିକ ବର୍ଷର ସମାନ ଅବଧିରେ ଆଦାୟ ହୋଇଥିବା ପ୍ରତ୍ୟକ୍ଷ ଟିକସରୁ ଏହା ୧୫.୭ ପ୍ରତିଶତ ଅଧିକ। ଯଦି କରଦାତାଙ୍କ ଫେରସ୍ତ(ରିଫଣ୍ଡ)କୁ ବାଦ୍ ଦିଆଯାଏ ତେବେ ଅଗଷ୍ଟ ୧୦ ସୁଦ୍ଧା ୫.୮୪ ଲକ୍ଷ କୋଟି ଟଙ୍କା ସରକାର ଆଦାୟ କରିଛନ୍ତି।

ପଢ଼ନ୍ତୁ-ଲଗାତାର ଦ୍ୱିତୀୟ ଦିନରେ ହ୍ରାସ ସହ ବନ୍ଦ ହେଲା ପୁଞ୍ଜି ବଜାର, ନିବେଶକଙ୍କ କ୍ଷତି ୧ ଲକ୍ଷ କୋଟି ଟଙ୍କା

ତଥ୍ୟ ଅନୁଯାୟୀ, ଚଳିତ ଆର୍ଥିକ ବର୍ଷରେ ଅଗଷ୍ଟ ୧୦ ପର୍ଯ୍ୟନ୍ତ, ପ୍ରତ୍ୟକ୍ଷ ଟିକସରୁ ନେଟ୍‌ ବେସିସ୍‌ରେ ଆଦାୟ ହୋଇଥିବା କର ପୂର୍ବ ବର୍ଷ ତୁଳନାରେ ୧୭.୩୩ ପ୍ରତିଶତ ଅଧିକ। ଏହି ସଂଖ୍ୟା ପୂରା ଆର୍ଥିକ ବର୍ଷ ପାଇଁ ବଜେଟ୍ ଆକଳନର ୩୨.୦୩ ପ୍ରତିଶତ ସହ ସମାନ। ଅର୍ଥାତ ୨୦୨୩-୨୪ର ସମ୍ପୂର୍ଣ୍ଣ ଆର୍ଥିକ ବର୍ଷରେ ଯେତିକି ଆୟ ହେବ ବୋଲି ସରକାର ଆନୁମାନ କରିଥିଲେ, ତା'ର ୩୨ ପ୍ରତିଶତରୁ ଅଧିକ ଅଗଷ୍ଟ ୧୦ ଭିତରେ ହୋଇସାରିଛି।

ସେହିପରି ପୂର୍ବ ଠାରୁ ଏଥର ଅଧିକ ରିଫଣ୍ଡ ଜାରି ହୋଇଛି। ସରକାରଙ୍କ ସୂଚନା ଅନୁସାରେ, ଚଳିତ ଆର୍ଥିକ ବର୍ଷରେ ଟିକସଦାତାଙ୍କୁ ଅଧିକ ଫେରସ୍ତ ଦିଆଯାଇଛି। ସରକାର ଏପ୍ରିଲରୁ ୧୦ ଅଗଷ୍ଟ ୨୦୨୩ ପର୍ଯ୍ୟନ୍ତ ଟିକସଦାତାଙ୍କୁ ମୋଟ ୦.୬୯ ଲକ୍ଷ କୋଟି ଟଙ୍କା ଫେରସ୍ତ କରିଛନ୍ତି। ଗତ ଆର୍ଥିକ ବର୍ଷର ସମାନ ଅବଧିରେ ଦିଆଯାଇଥିବା ଫେରସ୍ତଠାରୁ ଏହା ୩.୭୩ ପ୍ରତିଶତ ଅଧିକ।

ପଢ଼ନ୍ତୁ-ଅନ୍‌ଲାଇନ୍‌ ଗେମିଂ ଉପରେ ୨୮ ପ୍ରତିଶତ ଜିଏଟି ଆଦାୟ ପାଇଁ ରାସ୍ତା ସଫା, ଲୋକସଭାରେ ପାସ୍‌ ହେଲା ୨ ଜିଏସଟି ସଂଶୋଧନ ବିଲ୍‌

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.