୫୦ ଦିନ ପରେବି ସୁଧୁରୁନି ସ୍ଥିତି, ମଣିପୁରରେ ସ୍କର୍ପିଓ ବିସ୍ଫୋରଣରେ ୩ ଆହତ

Published By : Prameya-News7 Bureau | June 22, 2023 IST

ନୂଆଦିଲ୍ଲୀ, ୨୨/୦୬: ମଣିପୁରରେ ହିଂସା ଘଟଣା ଥମିବାର ନାଁ ନେଉନାହିଁ। କେତେବେଳେ ଗୁଳିମାଡ଼ ତ‘ ପୁଣି କେତେବେଳେ ଧମକ ଖବର ଚିନ୍ତାର କାରଣ ପାଲଟିଛି। ଅନେକ କାର୍ଯ୍ୟାନୁଷ୍ଠାନ ପରେ ବି ରାଜ୍ୟରେ ହିଂସା ଜାରି ରହିଛି। ଅବଶ୍ୟ ରାଜ୍ୟରେ ସୁରକ୍ଷାକର୍ମୀ ଲଗାତାର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। କିନ୍ତୁ ଅନେକ ସ୍ଥାନରେ ଏବେବି ହିଂସା ଦେଖିବାକୁ ମିଳୁଛି। ସେପଟେ ରାଜ୍ୟର ସ୍ଥିତି ସମୀକ୍ଷା କରିବାକୁ ଜୁନ୍‌ ୨୪ରେ ଗୃହମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ସର୍ବଦଳୀୟ ବୈଠକ ଡକାଇଛନ୍ତି।

ଏହାରି ମଧ୍ୟରେ ମଣିପୁର ବିଷ୍ଣୁପୁର ଜିଲ୍ଲାରେ ପୁଣି ଥରେ ଆଇଡି ବିସ୍ଫୋରଣ ଖବର ସାମ୍ନାକୁ ଆସିଛି। ବୁଧବାର ସନ୍ଧ୍ୟାରେ ବିଷ୍ଣୁପୁର ଜିଲ୍ଲାର କ୍ବାକ୍ଟାରେ ସ୍କର୍ପିଓରେ ଆଇଡି ବିସ୍ଫୋରଣରେ ୩ ଆହତ ହୋଇଛନ୍ତି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ବିସ୍ଫୋରଣ ପୁର୍ବରୁ ଜ​‌ଣେ ବ୍ୟକ୍ତି ସେଠାରେ ସ୍କର୍ପିଓ ଛାଡ଼ି କେଉଁ ଆଡ଼େ ପଳାଇଯାଇଥିଲେ। ଏହାପରେ ସେଠାକୁ ଆଉ କାହାକୁ ଦେଖାଯାଇନଥିଲା।

ଆହୁରି ପଢ଼ନ୍ତୁ: ମଣିପୁର ହିଂସା; ଗୃହମନ୍ତ୍ରୀ ଡାକିଲେ ସର୍ବଦଳୀୟ ବୈଠକ, ଜୁନ ୨୪ରେ ମିଟିଂ

ଏହା ବ୍ୟତୀତ କିଛି ଅଞ୍ଚଳରେ ଗୁଳିମାଡ଼ ଖବର ମଧ୍ୟ ସାମ୍ନାକୁ ଆସିଛି। ଗୁରୁବର ସକାଳେ ପଶ୍ଚିମ ଇମ୍ଫାଲର ବୋଲଜଙ୍ଗରେ ଆସାମ ରାଇଫଲ୍ସ ଏବଂ ଅଜଣା ଆକ୍ରମଣକାରୀଙ୍କ ଦ୍ବାରା ଗୁଳିମାଡ଼ ହୋଇଥିଲା। ଯେଉଁଥିରେ ଦୁଇ ଯବାନ ଆହତ ହୋଇଛନ୍ତି। ବର୍ତ୍ତମାନ ସ୍ଥିତି ନିୟନ୍ତ୍ରଣ ରହିଛି ଏବଂ ସର୍ଚ୍ଚ ଅପରେସନ ଜାରି ରହିଛି। ସର୍ଚ୍ଚ ଅପରେସନରେ INSAS ହାଲୁକା ମେସିନ୍‌ ଗନ୍‌ ମଧ୍ୟ ଜବତ ହୋଇଛି। ବୁଧବାର ସନ୍ଧ୍ୟାରେ ଉରଙ୍ଗପତ ନିକଟରେ ଗୁଳିମାଡ଼ ମଧ୍ୟ ହୋଇଥିଲା। ଏହା ପୂର୍ବରୁ ମଙ୍ଗଳବାର ବିଳମ୍ବିତ ରାତିରେ ସୁଗନୁ ଏବଂ ବୁଧବାର ସନ୍ଧ୍ୟାରେ କାଙ୍ଗପୋକପୀ ଜିଲ୍ଲାରେ ମଧ୍ୟ ଗୁଳିମାଡ଼ ହୋଇଥିବା ନେଇ ଖବର ରହିଛି।

ସୂଚନାଥାଉକି, ମେ ମାସ ଆରମ୍ଭରେ ମଣିପୁରରେ ହୋଇଥିବା ହିଂସାକୁ ୫୦ରୁ ଅଧିକ ଦିନ ବିତିଛି। ହେଲେ ଏବେବି ରାଜ୍ୟରେ ହିଂସାର ଖବର ସାମ୍ନାକୁ ଆସୁଛି। ରାଜ୍ୟରେ ଇଣ୍ଟରନେଟ୍‌ ସେବା ଏବେବି ବନ୍ଦ ରହିଛି। ହିଂସାକାଣ୍ଡ ଯୋଗୁଁ ୧୧୦ ଲୋକଙ୍କୁ ଜୀବନ ଗଲାଣି। ଶତାଧିକ ଲୋକ ଆହତ ହୋଇଛନ୍ତି। ହଜାର ହଜାର ଲୋକଙ୍କୁ ବିସ୍ଥାପିତ ହେବାକୁ ପଡ଼ିଛି। ଅନେକ ଲୋକ ମିଜୋରାମରେ ଶରଣ ନେଇଛନ୍ତି।

ଆହୁରି ପଢ଼ନ୍ତୁ: ମଣିପୁର ହିଂସା: ଭିଡିଓ ଜାରି କରି ଶାନ୍ତି ନିବେଦନ କଲେ ସୋନିଆ ଗାନ୍ଧି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.