ସଂଘର୍ଷରେ କ୍ଷତି...ସିଡିଏସଙ୍କ ବୟାନ ପରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ଦାବି କଲେ କଂଗ୍ରେସ ଅଧ୍ୟକ୍ଷ

Published By : Prameya-News7 Bureau | May 31, 2025 IST

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ସଂସଦର ସ୍ୱତନ୍ତ୍ର ଅଧିବେଶନ ପାଇଁ ଦାବି କରିଛନ୍ତି । ସେ କହିଛନ୍ତି ଯେ ଆମେ ଅପରେସନ ସିନ୍ଦୂର ଉପରେ ପ୍ରଶ୍ନ କରିବାକୁ ଚାହୁଁଛୁ । ଅପରେସନ ସିନ୍ଦୂରର ତଦନ୍ତ କଥା ଉଠାଉ ସେ କହିଛନ୍ତି ଯେ କାରଗିଲ୍ ପରି ରିଭ୍ୟୁ କମିଟି କରାଯାଉ । ଭାରତର ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଅନିଲ୍ ଚୌହାନଙ୍କ ଦ୍ୱାରା ଅପରେସନ ସିନ୍ଦୂର ଉପରେ କରାଯାଇଥିବା ବୟାନ ପରେ କଂଗ୍ରେସ ଅଧ୍ୟକ୍ଷ ସ୍ୱତନ୍ତ୍ର ଅଧିବେଶନ ପାଇଁ ଦାବି କରିଛନ୍ତି । ସେ କହିଛନ୍ତି ଯେ ସିଡିଏସଙ୍କ ବୟାନ ପରେ ସଂସଦର ସ୍ୱତନ୍ତ୍ର ଅଧିବେଶନ ଏବେ ଜରୁରି ଅଟେ ।

କଂଗ୍ରେସ ନେତା ଏକ୍ସରେ ଲେଖିଛନ୍ତି, 'ସିଙ୍ଗାପୁରରେ ସିଡିଏସଙ୍କ ଦ୍ୱାରା ଦିଆଯାଇଥିବା ସାକ୍ଷାତକାରକୁ ଦୃଷ୍ଟିରେ ରଖି କିଛି ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ରହିଛି, ଯାହାକୁ ପଚରାଯିବା ଦରକାର । ଏହି ପ୍ରଶ୍ନ ସେତେବେଳେ କରାଯାଇ ପାରିବ, ଯେତେବେଳେ ସ୍ୱତନ୍ତ୍ର ଅଧିବେଶନ ଆୟୋଜନ କରାଯିବ ।'

କଂଗ୍ରେସ ନେତା କହିଛନ୍ତି, 'ସରକାର ଦେଶକୁ ଭ୍ରମିତ କରିଛନ୍ତି । ଯୁଦ୍ଧର କୁହୁଡ଼ି ଏବେ ସଫା ହେବାରେ ଲାଗିଛି । ଆମର ବାୟୁସେନାର ପାଇଲଟମାନେ ଶତ୍ରୁ ସହିତ ଲଢ଼ିବା ସମୟରେ ନିଜ ଜୀବନକୁ ବାଜି ଲଗାଇ ଥିଲେ । ଆମର କିଛି କ୍ଷତି ହୋଇଛି, କିନ୍ତୁ ଆମର ପାଇଲଟ୍‌ମାନେ ସୁରକ୍ଷିତ ଅଛନ୍ତି ।' 

ନିଜ ପୋଷ୍ଟରେ ସିଡିଏସଙ୍କ ସାକ୍ଷତକାରକୁ ଉଲ୍ଲେଖ କରି ଖଡଗେ ଲେଖିଛନ୍ତି, ‘ସିଡିଏସ କହିଛନ୍ତି ଯେ ଆମେ ଏହାକୁ ତିଆରି କଲୁ, ସଜାଡିଲୁ, ଠିକ୍ କଲୁ ଓ ପୁଣି ଦୁଇ ଦିନ ପରେ ଏହାକୁ ଲାଗୁ କଲୁ ଓ ନିଜର ସବୁ ଯୁଦ୍ଧ ବିମାନକୁ ପୁଣି ଥରେ ଦୀର୍ଘ ଦୂର ମିଶନରେ ପଠାଇଲୁ ।‘ ଏହାସହ କଂଗ୍ରେସ ଅସ୍ତ୍ରବିରତିକୁ ନେଇ ଟ୍ରମ୍ପଙ୍କ ଦାବି ଉପରେ ବି ପ୍ରଶ୍ନ ଉଠାଇଛି । କଂଗ୍ରେସ ଅଧ୍ୟକ୍ଷ ଖଡଗେ ଲେଖିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅସ୍ତ୍ରବିରତିକୁ ନେଇ ପୁଣି ଥରେ ଦାବି ଦୋହରାଇଛନ୍ତି । ଏହା ଶିମଲା ବୁଝାମଣାର ସିଧା ଅପମାନ ଅଟେ । ଖଡଗେ ପ୍ରଶ୍ନ କରିଛନ୍ତି ଯେ ଅସ୍ତ୍ରବିରତିର ସର୍ତ୍ତ କଣ ଥିଲା । ୧୪୦ କୋଟି ଦେଶଭକ୍ତ ଭାରତୀୟ ଏହା ଜାଣିବାକୁ ଚାହୁଁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.