ଭୁବନେଶ୍ବର: ଫ୍ରି ଫ୍ଲୋ ରୋଡ୍ ପାଇଁ କମିଶନରେଟ୍ ପୋଲିସର ଟ୍ରାଫିକ୍ ଓ୍ବିଙ୍ଗ୍ ଚଳାଇଛି ସ୍ପେଶାଲ ଡ୍ରାଇଭ୍ । ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂଙ୍କ ନିର୍ଦ୍ଦେଶରେ ଟ୍ରାଫିକ୍ ଡିସିପି ତପନ ମହାନ୍ତିଙ୍କ ନେତୃତ୍ବରେ ସ୍ବତନ୍ତ୍ର ଡ୍ରାଇଭ୍ ଲଞ୍ଚ କରାଯାଇଛି । ଏହା ଅନୁଯାୟୀ, ବେଆଇନ୍ ପାର୍କିଂ ସହ ଟ୍ରାଫିକ୍ ନିୟମ ନମାନିବାରୁ ଗୋଟିଏ ଦିନରେ ଟ୍ବିନ୍ ସିଟିରେ ୧୯୫୮ ଜଣଙ୍କ କଟିଛି ଚାଲାଣ ।
ଖାଲି ସେତିକି ନୁହେଁ ରାସ୍ତା ଉପରେ ବେଆଇନ୍ ପାର୍କିଂ, ବିନା ସିଟ୍ ବେଲଟ୍ରେ ଗାଡ଼ି ଚଳାଇବା, ଗାଡ଼ି ଚଳାଇବା ବେଳେ ମୋବାଇଲ୍ ବ୍ୟବହାର କରିବା, ବିନା ହେଲମେଟରେ ଗାଡ଼ି ଚଳାଇବା, ମଦ ପିଇ ଗାଡ଼ି ଚଳାଇବା, ମୋଡିଫାଏଡ୍ ସାଇଲେନ୍ସର ବ୍ୟବହାର, ରଙ୍ଗରୁଟ୍ ଡ୍ରାଇଭିଂ ଭଳି ବିଭିନ୍ନ ଟ୍ରାଫିକ୍ ସମସ୍ୟା ସୃଷ୍ଟି କରୁଥିବା ଅମାନିଆଙ୍କ ପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି କମିଶନରେଟ୍ ପୋଲିସ । କଟକ ଓ ଭୁବନେଶ୍ବର ରାସ୍ତାରେ ଉଭୟ ପଥଚାରୀ ଏବଂ ଯାନବାହାନ ଚଳାଚଳକୁ ସହଜ ଓ ବ୍ୟବସ୍ଥିତ କରିବା ଲକ୍ଷ୍ୟରେ ନିଆଯାଇଛି ଏହି ପଦକ୍ଷେପ । ଆଗକୁ ସ୍ପେଶାଲ ଡ୍ରାଇଭକୁ ଜୋରଦାର କରାଯିବ ବୋଲି କହିଛନ୍ତି ଟ୍ରାଫିକ୍ ଡିସିପି ।