ବିଜେପି କି କଂଗ୍ରେସ କଥା ନୁହେଁ, ଆମେ ସବୁ ସରକାର ସହ କାମ କରୁଛୁ: ଗୌତମ ଆଦାନୀ

Published By : Prameya-News7 Bureau | December 26, 2024 IST

ନୂଆଦିଲ୍ଲୀ: ଦେଶର ଦ୍ୱିତୀୟ ସବୁଠୁ ଧନୀ ବ୍ୟକ୍ତି ଏବଂ ଶିଳ୍ପପତି ଗୌତମ ଆଦାନୀ ଗୁରୁବାର ଏକ ବଡ଼ କଥା କହିଛନ୍ତି । କାରବାରରେ ଏକଛତ୍ରବାଦରୁ ଆରମ୍ଭ କରି ବିଜେପି ଶାସିତ ରାଜ୍ୟରେ କାମ କରିବା ପରି ମାମଲାରେ ନିଜ କଥା ରଖିଛନ୍ତି । ଗୌତମ ଆଦାନୀ କହିଛନ୍ତି ଯେ ଆଦାନୀ ଗ୍ରୁପ ଦେଶର ୨୫ ରାଜ୍ୟରେ କାମ କରୁଛି । କେବଳ ବିଜେପି କି କଂଗ୍ରେସ ନୁହେଁ, ବରଂ ସବୁ ରାଜ୍ୟ ସରକାରଙ୍କ ସହ କାମ କରୁଛନ୍ତି ।

ସମ୍ୱାଦ ସରବରାହ ସଂସ୍ଥା ଏଏନ୍‌ଆଇ ଗୌତମ ଆଦାନୀଙ୍କ ସହ କଥାବର୍ତ୍ତାର ଛୋଟିଆ କ୍ଲିପ୍ ସେୟାର କରିଛି । ଏଥିରେ ଗୌତମ ଆଦାନୀ କହିଛନ୍ତି ଯେ ଯେପର୍ଯ୍ୟନ୍ତ କୌଣସି ରାଜନୀତି ନହୋଇଛି, ସେପର୍ଯ୍ୟନ୍ତ କୌଣସି ବି ସରକାର ସହ କାମ କରିବାରେ କିଛି ଅସୁବିଧା ନାହିଁ ।

ଗୌତମ ଆଦାନୀ କହିଛନ୍ତି, 'ତାଙ୍କ ଗ୍ରୁପ୍ ଇନଫ୍ରାଷ୍ଟ୍ରକ୍ଚର ସେକ୍ଟରରେ କାମ କରୁଛି । ଏହି ସେକ୍ଟରରେ ଆଦାନୀ ଗ୍ରୁପଠାରୁ ବି ବଡ଼ ବଡ଼ କମ୍ପାନି ଅଛନ୍ତି, କିନ୍ତୁ ଇନଫ୍ରାଷ୍ଟ୍ରକ୍ଚର ସେକ୍ଟରରେ ୨୫ ପ୍ରତିଶତ ବି କାମ କରୁନାହାନ୍ତି । ଅନ୍ୟପଟେ ଆମେ ତାହା କରୁଛୁ । ଅନ୍ୟ କମ୍ପାନିଗୁଡ଼ିକ ଇଣ୍ଡଷ୍ଟ୍ରି ଆଧାରରେ ଛିଡ଼ା ହୋଇଛନ୍ତି, କିନ୍ତୁ ଇନଫ୍ରାଷ୍ଟ୍ରକ୍ଚରକୁ ନେଇ ନୁହେଁ । ଏହାର କାରଣ ସ୍ପଷ୍ଟ, କାମ କରିବା ପାଇଁ ଏହା ସବୁଠୁ କଠିନ ସେକ୍ଟର । ଏହି କାରବାରରେ ଯେପର୍ଯ୍ୟନ୍ତ ଆପଣ ୫ରୁ ୬ ବର୍ଷ ଦେଇନାହାନ୍ତି, ସେପର୍ଯ୍ୟନ୍ତ ଆପଣ ଏହି କାରବାରକୁ କରିପାରିବେ ନାହିଁ । କେବଳ ଏତିକି ନୁହେଁ, ଏଥିରେ ବି ବିପଦ ରହିଛି । ଅନେକ ସମୟରେ ବଡ଼ ଲୋକ ଆସି କାମକୁ ବନ୍ଦ କରିଦିଅନ୍ତି । ୧୦ ବର୍ଷ ପରେ ଯାଇ ଏଥିରୁ ସଠିକ୍ ରିଟର୍ଣ୍ଣ ମିଳିବା ଆରମ୍ଭ ହୋଇଥାଏ । କାହା ପାଖରେ ଏତେ ଧୈର୍ଯ୍ୟ ନାହିଁ ।'

ଗୌତମ ଆଦାନୀ କହିଛନ୍ତି ଯେ ବର୍ତ୍ତମାନ ଆମେ ୨୫ ରାଜ୍ୟରେ କାମ କରୁଛୁ । ଲୋକେ ଅଧିକାଂଶ ସମୟରେ କୁହନ୍ତି ଯେ ଆଦାନୀ ଗ୍ରୁପ୍ ବିଜେପି ଶାସିତ ରାଜ୍ୟରେ କାମ କରୁଛି । କିନ୍ତୁ ଆମେ କେରଳରେ ବି କାମ କରୁଛୁ । ୱିଞ୍ଝିଗମ ପୋର୍ଟ ୨୦ ହଜାର କୋଟି ଟଙ୍କା ଏକ ପ୍ରୋଜେକ୍ଟ ଅଟେ । ଏହି ପ୍ରୋଜେକ୍ଟ କଂଗ୍ରେସ ସରକାରରେ ମିଳିଥିଲା । ଆମେ କେବଳ ବିଜେପି ସହ କାମ କରୁଛୁ ତାହା ନୁହେଁ, ଆମେ ସବୁ ସରକାର କାମ କରିବା ପାଇଁ ପ୍ରସ୍ତୁତ ଅଛୁ । ଯେପର୍ଯ୍ୟନ୍ତ କୌଣସି ରାଜନୀତି ନହୋଇଛି, ଆମର କାହା ସହ କାମ କରିବାରେ କୌଣସି ସମସ୍ୟା ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.