ନୂଆଦିଲ୍ଲୀ ୦୪/୦୮: ଖାଦ୍ୟଭାବରେ ବଢିଛି ଅନାହାର । ଦିଶିଲାଣି ଲୋକଙ୍କ ହାଡ଼କଙ୍କାଳ । ଶିଶୁଙ୍କ ଅବସ୍ଥା ସାଂଘାତିକ୍ । ଅପପୁଷ୍ଟିର ଶିକାର ହେଉଛନ୍ତି ଗାଜାର ଶିଶୁ । ରିପୋର୍ଟ ଅନୁସାରେ ପ୍ରାୟତଃ ୨୦ହଜାର ଶିଶୁ ହସ୍ପିଟାଲରେ ଭର୍ତ୍ତି । ଖାଦ୍ୟଭାବରେ ୧୧୧ ଜଣଙ୍କ କେବଳ ଲୋକଙ୍କ ଜୀବନ ଯାଇଛି । ଡଜନ ଡଜନ ଶିଶୁ ମୃତ୍ୟୁବରଣ କରିଛନ୍ତି। ତେବେ ଭୋକର ଦାରୁଣ ଚିତ୍ର ସେୟାର କରିଛି ଇସ୍ରାଏଲୀ ବୈଦେଶିକ ମନ୍ତ୍ରଣାଳୟ ।
ଗାଜାରେ କ୍ଷୁଧା ଓ ମାନବୀୟ ସଙ୍କଟ ସମ୍ପର୍କରେ ସେୟାର ହୋଇଛି ଫଟୋ । ଯେଉଁଥିରେ ଦାବି ହୋଇଛି ଯେ ଖାଦ୍ୟ ବିନା ଜଣେ ବନ୍ଧକର ଅବସ୍ଥା କଣ । ପ୍ରତିଦିନ ବଞ୍ଚିବାକୁ ସଂଘର୍ଷ କରୁଥିବା ବନ୍ଦୀ ନିଜେ ନିଜକୁ ମାରିବାର ପ୍ରୟାସ । ଆଉ ଏପରି କରିବା ସମୟରେ ନିଜେ ସେୟାର କରିଛନ୍ତି ଏପରି ଭିଡିଓ । ଯାହା ଦେଖି ଚିନ୍ତାରେ ପଡିଯାଇଛନ୍ତି ନେତାନ୍ୟାହୁ ।
ଇସ୍ରାଏଲ ନାଗରିକ ୨୪ ବର୍ଷୀୟ ଇଭ୍ୟାତର ଡେଭିଡ୍ । ୨୦୨୩ ଅକ୍ଟୋବର ୭ରେ ଅପହରଣ କରିଥିଲେ ହମାସ୍ । ଏହାରି ଭିତରେ ବିତିଗଲାଣି ଦେଢବର୍ଷରୁ ଅଧିକ ସମୟ । ଏହି ସମୟ ମଧ୍ୟରେ ବଦଳିଯାଇଛି ତାଙ୍କର ଜୀବନଶୈଳୀ । କେବଳ ନିଶ୍ୱାସ ଚାଲିଛି, ଶରୀର ବେଶ୍ ଦୁର୍ବଳ ।
ସଂକୀର୍ଣ୍ଣ ସୁଡ଼ଙ୍ଗରେ କଟୁଛି ବନ୍ଦୀ ଜୀବନ । ତେବେ ସେୟାର ହୋଇଥିବା ଭିଡିଓ ବଖାଣୁଛି ଅନେକ କିଛି । କାରଣ ନିଜ ମୃତ୍ୟୁର ରାସ୍ତା କାଢୁଛନ୍ତି ସେ । କ୍ୟାମେରା ଆଡ଼କୁ ଦେଖି କହୁଛନ୍ତି, ‘ମୁଁ ନିଜ କବର ନିଜେ ଖୋଳୁଛି । ମୋ ଶରୀର ଦିନକୁ ଦିନ ଦୁର୍ବଳ ହୋଇଚାଲିଛି । ମୁଁ ମୃତ୍ୟୁ ଆଡ଼କୁ ବଢ଼ୁଛି । ଏହା ହିଁ ମୋ କବର, ଯେଉଁଠି ମୋତେ ପୋତାଯିବ ।
ଡେଭିଡଙ୍କ ଶରୀର ଅବସ୍ଥା ଦେଖିଲେ ଲାଗୁଛି ଦୀର୍ଘ ଦିନ ହେଲା ସେ ଖାଇନାହାନ୍ତି । ଏମିତିକି ସ୍ୱର ବି ଶିଥିଳ ପଡିଲାଣି । ଠିକ୍ରେ ଚାଲି ବି ପାରୁନାହାଁନ୍ତି । ତେବେ ଡେଭିଡ୍ଙ୍କ ପରିବାର ଲୋକେ ଭିଡିଓ ଦେଖି କହିଛନ୍ତି ପୁଅକୁ ଜାଣିଶୁଣି ଭୋକିଲା ରଖାଯାଇଛି । ହମାସ୍ ଡେଭିଡ୍ଙ୍କ ଜରିଆରେ ନିଜ ପ୍ରଚାର କରିବାକୁ ଚାହୁଁଛି । ଏହା ଦୁନିଆର ସବୁଠୁ ଭୟାବହ କାର୍ଯ୍ୟ । ପ୍ରଧାନମନ୍ତ୍ରୀ ନେତ୍ୟନ୍ୟାହୁ ଡେଭିଡ୍ଙ୍କ ପରିବାର ସହ କଥା ହୋଇଛନ୍ତି । ସରକାର ସମସ୍ତ ବନ୍ଧକଙ୍କୁ ସୁରକ୍ଷିତ ଭାବେ ମୁକୁଳାଇବା ଆଣିବାକୁ ସବୁ ପ୍ରକାର ଚେଷ୍ଟା କରୁଛନ୍ତି ବୋଲି ନେତନ୍ୟାହୁ କହିଛନ୍ତି ।
ପୂର୍ବରୁ ବି ଆଉ ଏକ ଭିଡିଓ ଜାରି କରିଥିଲା ହମାସ୍ । ଯେଉଁଥିରେ ୨୧ ବର୍ଷୀୟ ରୋମ ବ୍ରାସଲାଭସ୍କିଙ୍କୁ ବେଶ୍ ଦୁର୍ବଳ ଏବଂ ରୋଗିଣା ଅବସ୍ଥାରେ ଦେଖିବାକୁ ମିଳିଥିଲା । ସେପଟେ ହମାସ୍କୁ ଚେତାବନୀ ଦେଇଛି ଇସ୍ରାଏଲ ସେନା । ତୁରନ୍ତ ଇସ୍ରାଏଲ ବନ୍ଧକଙ୍କୁ ମୁକ୍ତ ନ କଲେ ଗାଜାରେ ଅବିରତ ଆକ୍ରମଣ ହେବ ବୋଲି ସେନା ପକ୍ଷରୁ ବୟାନ ଜାରି କରାଯାଇଛି । ସେପଟେ ଘଟଣାକୁ ନେଇ ଚିନ୍ତା ପ୍ରକଟ କରିଛି ମିଳିତ ଜାତିସଂଘ । IPC ସ୍ପଷ୍ଟ କରିଛି ଯେ ଗାଜାରେ ଦୁର୍ଭିକ୍ଷର ସବୁଠାରୁ ଖରାପ ସ୍ଥିତି ବର୍ତ୍ତମାନ ଦେଖାଯାଉଛି ।