ଦେବଝରଣ ଜଳପ୍ରପାତରେ ଅଘଟଣ, ପାଣିରେ ବୁଡ଼ି ଦୁଇ ଡାକ୍ତରୀ ଛାତ୍ର-ଛାତ୍ରୀଙ୍କ ମୃତ୍ୟୁ

Published By : Prameya-News7 Bureau | July 26, 2025 IST

ସମ୍ବଲପୁର: ଦେବଝରଣ ଜଳପ୍ରପାତରେ ଅଘଟଣ। ବୁଡି ଯାଇ ଦୁଇ ଡାକ୍ତରୀ ଛାତ୍ର-ଛାତ୍ରୀଙ୍କ ମୃତ୍ୟୁ ଘଟିଛି।  ଯୁଯୁମୁରା ନିକଟସ୍ଥ ଦେବଝରଣ ଜଳପ୍ରପାତରେ ଗାଧୋଉଥିବାବେଳେ ଶନିବାର ଏହି ଅଘଟଣ ଘଟିଛି| ମୃତକ ଦୁଇ ଜଣ ଭୀମସାରର ବୋଲି ଜଣା ପଡିଛି। ମୃତ ଛାତ୍ରୀଙ୍କ ନାଁ ମୋନିକା ମୀନା ଓ ଛାତ୍ରଙ୍କ ନାଁ ସନ୍ଦୀପ ପୁରୀ। 

ସୂଚନା ଅନୁଯାୟୀ, ଆଜି ଦିନ ପ୍ରାୟ ୨ଟାରେ ଭୀମସାରର କିଛି ଛାତ୍ର ଛାତ୍ରୀ ଯୁଯୁମୁରା ଦେବଝରଣ ଜଳ ପ୍ରପାତକୁ ବୁଲି ଯାଇଥିଲେ l ସେଠାରେ ଗାଧେଇବା ବେଳେ ଜଳ ପ୍ରପାତର ଗଭୀର ଗାତକୁ ଚାଲି ଯାଇଥିଲେ l ଯାହା ଫଳରେ ଦୁଇ ଜଣ ଛାତ୍ର ଛାତ୍ରୀ ପାଣିରେ ବୁଡି ନିଖୋଜ ହୋଇଯାଇଥିଲେ l ତୁରନ୍ତ ସ୍ଥାନୀୟ ଲୋକେ ଖୋଜା ଖୋଜି କରିଥିଲେ l ହେଲେ କିଛି ପତ୍ତା ନ ମିଳିବାରୁ ଅଗ୍ନିଶମ ବିଭାଗ ଓ ପୋଲିସକୁ ଖବର ଦେଇଥିଲେ l ଅଗ୍ନିଶମ ବିଭାଗର କର୍ମଚାରୀ ଉଭୟ ଛାତ୍ର ଛାତ୍ରୀଙ୍କୁ ପାଣିରୁ ଉଦ୍ଧାର କରିଥିଲେ l ଉଭୟଙ୍କୁ ତୁରନ୍ତ ନିକଟସ୍ଥ ମେଡିକାଲକୁ ନେଇଥିଲେ, ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l 

ଏହା ପୂର୍ବରୁ ୨୦୨୦ ଜାନୁଆରୀ ୧ରେ ସେହି ଦେବଝରଣ ଜଳପ୍ରପାତରେ ବୁଡ଼ି ଦୁଇ ଜଣ ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା। ମୃତ ଦୁଇ ଛାତ୍ର ବୁର୍ଲା ଭିସୁଟ୍‌ରେ କମ୍ପ୍ୟୁଟର ସାଇନ୍ସ ବିଭାଗର ତୃତୀୟ ବର୍ଷର ଛାତ୍ର ଥିଲେ। ବୁର୍ଲା ଭିସୁଟ୍‌ରେ କମ୍ପ୍ୟୁଟର ସାଇନ୍ସ ବିଭାଗର ତୃତୀୟ ବର୍ଷର ୪୦ଜଣ ଛାତ୍ର ଯୁଯୁମୁରା ଦେବଝରଣକୁ ପିକ୍‌ନିକ୍ କରିବାକୁ ଯାଇଥିଲେ । ତେବେ ଜଳପ୍ରପାତରେ ଗାଧୋଇବା ସମୟରେ ଗଭୀର ପାଣିରେ ଗୋଡ଼ ଖସି ଯାଇଥିଲା । ସେହି ସ୍ଥାନରେ ସମ୍ବଲପୁରର ଏକ ପରିବାର ପିକ୍‌ନିକ୍ ପାଇଁ ଯାଇଥିବା ବେଳେ, ଖବର ପାଇ ଦୁଇ ଛାତ୍ରଙ୍କୁ ଉଦ୍ଧାର କରିଥିଲେ । ସଙ୍ଗେ ସଙ୍ଗେ ଦୁଇ ଛାତ୍ରଙ୍କୁ ଯୁଯୁମୁରା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ଡାକ୍ତର ସେଠାରେ ଦୁଇ ଛାତ୍ରଙ୍କୁ ମୃତ ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ, ଗତ ଦୁଇ ବର୍ଷ ତଳେ ଦେବକୁଣ୍ଡରେ ଏପରି ଜଣେ ଢାକ୍ତରୀ ଛାତ୍ର ଭାସି ଯାଇ ପ୍ରାଣ ହରାଇଥିଲେ।  ୨୦୨୩ ଜୁନରେ ମୟୂରଭଞ୍ଜର ଦେବକୁଣ୍ଡରେ ପିକନିକ କରିବାକୁ ଆସି ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ଭେଷଜ ମହା ବିଦ୍ୟାଳୟର ଡାକ୍ତରୀ ଛାତ୍ର ଦୁର୍ଘଟଣାର ଶିକାର ହୋଇଥିଲେ।  ସେ ୩ ଜଣ ସାଙ୍ଗଙ୍କ ସହ ବୁଲିବାକୁ ଆସିଥିଲେ। ତେବେ ଦେବକୁଣ୍ଡରେ ଗାଧୋଇବା ବେଳେ ଏହି ଅଘଟଣ ଘଟିଥିଲା। ସେହିପରି ଚଳିତ ବର୍ଷ ଏପ୍ରିଲ ମାସରେ ଅନୁଗୁଳର ଡେରଜାଙ୍ଗ ଡ୍ୟାମରେ ଜଣେ ଡାକ୍ତରୀ ଛାତ୍ର ବୁଡ଼ି ଯାଇଥିଲେ। ହାଇଦ୍ରାବାଦର ଏକ ମେଡିକାଲ୍ କଲେଜରେ ପଢୁଥିବା ସେହି ଛାତ୍ର ଜଣଙ୍କ ଗାଧୋଇବା ବେଲେ ଗୋଡ଼ ଖସି ଯିବାରୁ ଗଭୀର ଜଳରେ ବୁଡ଼ି ଯାଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.