ନୂଆଦିଲ୍ଲୀ: ଭାରତର ଅପରେସନ ସିନ୍ଦୂରରେ ପାକିସ୍ତାନର ବ୍ୟାପକ କ୍ଷତି ଘଟିଛି। ଏମିତି ସ୍ଥିତିରୁ ମୁକୁଳିବା ପାଇଁ ପାକିସ୍ତାନକୁ ଆର୍ଥିକ ସହାୟତା ପାଇଁ ଏ ଦୁଆର ସେ ଦୁଆର ଭିକ ମାଗିବାକୁ ପଡ଼ୁଛି। ଏହା ମଧ୍ୟରେ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ(ଏଡିବି) ପାକିସ୍ତାନ ପାଇଁ ୮୦୦ ମିଲିୟନ ଆମେରିକୀୟ ଡଲାରର ବେଲଆଉଟ୍ ପ୍ୟାକେଜକୁ ମଞ୍ଜୁରୀ ଦେଇଛି। ଭାରତର ବିରୋଧ ସତ୍ତ୍ଵେ ବି ଏଡିବି ପାକିସ୍ତାନକୁ ଏହି ପ୍ୟାକେଜ୍ ଦେଇଛି।
ଭାରତ ଆତଙ୍କବାଦକୁ ଫଣ୍ଡିଂ କରିବାର ପାକିସ୍ତାନର ଇତିହାସକୁ ଦେଖି ଏହି ଦେଶକୁ ଆର୍ଥିକ ସହାୟତା ଦେବା ଉପରେ କଡ଼ା ଆପତ୍ତି ପ୍ରକାଶ କରିଥିଲା। ଗତ ମାସରେ ପାକିସ୍ତାନକୁ ଅନ୍ତର୍ଜାତୀୟ ମୁଦ୍ରା କୋଷ(ଆଇଏମଏଫ) ମଧ୍ୟ ପ୍ରାୟ ୮ ହଜାର ୫୦୦ କୋଟିର ବେଲଆଉଟ୍ ପ୍ୟାକେଜ୍ ଜାରି କରିଥିଲା। ପାକିସ୍ତାନ ସର୍ବଦା ନିଜ ଦେଶର ଆର୍ଥିକ ଦୂରାବସ୍ଥାର କାରଣ ଦର୍ଶାଇ ମିଳୁଥିବା ଲୋନକୁ ଆତଙ୍କବାଦ କାର୍ଯ୍ୟକଳାପରେ ବ୍ୟବହାର କରୁଥିବା ଭାରତ ଅଭିଯୋଗ କରିଥିଲା। ଏହା ପରେ ବି ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ(ଏଡିବି) ପାକିସ୍ତାନକୁ ୮୦୦ ମିଲିୟନ ଆମେରିକୀୟ ଡଲାରର ବେଲଆଉଟ୍ ପ୍ୟାକେଜକୁ ମଞ୍ଜୁରୀ ଦେଇଛି।
Also read: ପଞ୍ଜାବରୁ ଧରାପଡିଲା ଆଉ ଜଣେ ୟୁଟ୍ୟୁବର, ପାକିସ୍ତାନ-ଜ୍ୟୋତି-ଦାନିଶ ସହ କନେକ୍ସନ
ପାକିସ୍ତାନର ଅର୍ଥ ମନ୍ତ୍ରୀଙ୍କ ପରାମର୍ଶଦାତା ଖୁରମ ଶେହଜାଦ କହିଛନ୍ତି, ଏହି ପ୍ୟାକେଜ୍ ଆଧାରରେ ୩୦୦ ମିଲିୟନ ଡଲାରର ପଲିସି ବେସ୍ଡ ଲୋନ(ପିବିଏଲ) ଓ ୫୦୦ ମିଲିୟନ ଆମେରିକୀୟ ଡଲାରର ଲୋନ ଦେଶର ଯୋଜନା କାର୍ଯ୍ୟ ତ୍ଵରାନ୍ଵିତ ପାଇଁ ଦିଆଯାଇଛି। ସେ କହିଛନ୍ତି ଏଡିବି ସୁଧାର କାର୍ଯ୍ୟକ୍ରମ ଆଧାରରେ ପାକିସ୍ତାନକୁ ଏହି ଅର୍ଥ ରାଶି ମଞ୍ଜୁରୀ ଦେଇଛି।
ଭାରତର କହିବା କଥା ଏଡିବି ଓ ଅନ୍ୟ ଅନ୍ତର୍ଜାତୀୟ ସଂସ୍ଥାରୁ ମିଳୁଥିବା ଲୋନର ଉପଯୋଗ ପାକିସ୍ତାନ ନିଜ ଦେଶର ବିକାଶ ପରିବର୍ତ୍ତେ ଆତଙ୍କବାଦ ଓ ସାମରିକ ଖର୍ଚ୍ଚରେ କରିପାରେ। ଏଡିବି ଓ ଆଇଏମଏଫଠୁ ଅନେକ ଥର ଲୋନ ମିଳିବା ପରେ ବି ପାକିସ୍ତାନ ନିଜର ଆର୍ଥିକ ସୁଧାର ଲାଗୁ କରିବାରେ ବାରମ୍ବାର ବିଫଳ ହେଉଛି। ପାକିସ୍ତାନର ଦୁର୍ବଳ ସରକାରରେ ସେନା ସବୁ ନିଷ୍ପତ୍ତିରେ ହସ୍ତକ୍ଷେପ କରୁଥିବା ଭାରତ କହିଛି। ଭାରତର ଅଭିଯୋଗ ପରେ ବି ପାକିସ୍ତାନକୁ ଅନ୍ତର୍ଜାତୀୟ ସଂସ୍ଥାରୁ ଲୋନ ମିଳି ସାରିଛି।